Home Education ଓଡିଆ ବିଶ୍ୱବିଦ୍ୟାଳୟରେ ପଢା ଆରମ୍ଭ କର

ଓଡିଆ ବିଶ୍ୱବିଦ୍ୟାଳୟରେ ପଢା ଆରମ୍ଭ କର

ଭୁବନେଶ୍ୱର : ଓଡିଆ ବିଶ୍ୱବିଦ୍ୟାଳୟ ପାଇଁ ନିର୍ମାଣ କାର୍ଯ୍ୟ ବିଳମ୍ବିତ ହେଉଥିବାବେଳେ ତୁରନ୍ତ ଅସ୍ଥାୟୀ ଘରେ ଏହି ବିଶ୍ୱବିଦ୍ୟାଳୟର ପାଠପଢା ଓ ଗବେଷଣା କାମ ଆରମ୍ଭ କରିବାକୁ ଶିକ୍ଷାବିତ୍‍ ଓ ସଂସ୍କୃତିପ୍ରେମୀମାନେ ମତ ଦେଉଛନ୍ତି ।

ଏଠାରେ ଉଲ୍ଲେଖନୀୟ ଯେ ୨୦୧୮ ଅକ୍ଟୋବର ୯ତାରିଖରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାକ୍ଷୀଗୋପାଳରେ ଓଡିଆ ବିଶ୍ୱବିଦ୍ୟାଳୟ ଲାଗି ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଇତି ମଧ୍ୟରେ ପ୍ରାୟ ଅଢେଇବର୍ଷ ସମୟ ଅତିବାହିତ ହୋଇଯାଇଥିଲେ ମଧ୍ୟ ବିଶ୍ୱବିଦ୍ୟାଳୟ ପାଇଁ ବଖରାଏ ବି ଘର ତିଆରି ହୋଇନାହିଁ ।

ଅତୀତରେ ଉତ୍କଳ ବିଶ୍ୱବିଦ୍ୟାୟ, ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ, ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ଆଦି ପ୍ରତିଷ୍ଠାପାଇଁ ସରକାର ନିଷ୍ପତ୍ତିନେବାପରେ ଏହା ପ୍ରଥମେ ଅସ୍ଥାୟୀ ଘରେ ଚାଲୁଥିଲା । ବ୍ରହ୍ମପୁର ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟ ବି ଅସ୍ଥାୟୀ କ୍ୟାମ୍ପସରୁ ଆରମ୍ଭ ହୋଇଥିଲା । ଏମିତିକି ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନପରେ ଓଡିଶା ବିଧାନସଭା ଓସଚିବାଳୟ ମଧ୍ୟ ପ୍ରଥମେ ଅସ୍ଥାୟୀ ଘରେ ଚାଲିଥିଲା । ରମାଦେବୀ, ରାଜଧାନୀ, ବିଶ୍ୱବିଦ୍ୟାଳୟ ଆଇନ୍‍ କଲେଜ, ମଧୁସୂଦନ ଆଇନ୍‍ କଲେ ଆଦି ମଧ୍ୟ ଅସ୍ଥାୟୀ ଘରେ ଆରମ୍ଭ ହୋଇଥିଲା ।

ଏହାଛଡା ରାଜ୍ୟର ବହୁ ଶିକ୍ଷାନୁଷ୍ଠାନ ପ୍ରଥମେ ଅସ୍ଥାୟୀ ଘରେ ଆରମ୍ଭ ହୋଇ ପରେ ତାହାର ସ୍ଥାୟୀ କ୍ୟାମ୍ପସକୁ ସ୍ଥାନାନ୍ତରିତ ହୋଇଥିବା ପରିପ୍ରେକ୍ଷୀରେ ବହୁ ପ୍ରତୀକ୍ଷିତ ଓଡିଆ ବିଶ୍ୱବିଦ୍ୟାଳୟ ମଧ୍ୟ ଅନୁରୂପ ଭାବେ ଗୋପବନ୍ଧୁଙ୍କ ଆଗାମୀ ଜନ୍ମ ଦିବସରେ ନୂଆ କ୍ୟାମ୍ପସରେ ସରାକର ଚାହିଁଲେ ଆରମ୍ଭ ହୋଇପାରିବ ବୋଲି ଶିକ୍ଷାବିତ୍‍ମାନେ ମତ ଦେଉଛନ୍ତି ।

ଉଚ୍ଚଶିକ୍ଷା ବିଭାଗ ନିୟନ୍ତ୍ରଣରେ ଓଡିଆ ବିଶ୍ୱବିଦ୍ୟାଳୟ କାର୍ଯ୍ୟ କରିବ । ଏହି ବିଶ୍ୱବିଦ୍ୟାଳୟ ନିର୍ମାଣ ଉପରେ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବ ଗୁରୁତ୍ୱଆରୋପ କରୁଥିବାବେଳେ ଉନ୍ନୟନ କମିଶନର, ଉଚ୍ଚଶିକ୍ଷା ସଚିବ ଓ ପୂର୍ତ୍ତ ସଚିବ ମଧ୍ୟ ବିଭିନ୍ନ ବୈଠକରେ ମିଳିତ ହୋଇ ବିଶ୍ୱବିଦ୍ୟାଳୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରୁଛନ୍ତି ।

ଇତି ମଧ୍ୟରେ ଏହି ବିଶ୍ୱବିଦ୍ୟାଳୟ ଲାଗି ୧୦ଏକର ପରିମିତ ଜମି ସଂଗୃହୀତ ହୋଇସାରିଛି ଏବଂ ଆବଶ୍ୟକ ପଡିଲେ ଅଧିକ ଜମି ଅଧିଗ୍ରହଣ କରାଯିବାର ସମ୍ଭାବନା ଅଛି । ଓଡିଶା ରାଜ୍ୟ ସେତୁ ନିଗମ ଖୁବ୍‍ଶୀଘ୍ର ଏହି ବିଶ୍ୱବିଦ୍ୟାଳୟର ପାଚେରୀ ନିର୍ମାଣ କାମ ଆରମ୍ଭ କରିବାକୁ ଯାଉଥିବାବେଳେ ପୂର୍ତ୍ତ ବିଭାଗ ସ୍ଥପତିମାନଙ୍କ ସହ ପରାମର୍ଶ କରି ଯେଉଁ ନକ୍ସା ପ୍ରସ୍ତୁତ କରିଛି ତାହାକୁ ପ୍ରଶାସନିକ ମଞ୍ଜୁରୀ ମଧ୍ୟ ମିଳିସାରିଛି । ତେବେ ଏହି ନିର୍ମାଣ କାର୍ଯ୍ୟପାଇଁ କେତେ ଅର୍ଥ ବ୍ୟୟ ହେବ ତାହାର ଚୂଡାନ୍ତ ଆକଳନ କରାଯିବା ପରେ ଟେଣ୍ଡର ଡକାଯାଇ ବିଶ୍ୱବିଦ୍ୟାଳୟ କ୍ୟାମ୍ପସର ନିର୍ମାଣ କାମ ଆରମ୍ଭହେବ ।

ଏ ପରିପ୍ରେକ୍ଷୀରେ କେବେ ସୁଦ୍ଧା ସାକ୍ଷୀଗୋପାଳରେ ଓଡିଆ ବିଶ୍ୱବିଦ୍ୟାଳୟର କ୍ୟାମ୍ପସ ନିର୍ମାଣ ଶେଷହେବ ସେ ସମ୍ପର୍କରେ କେହି କିଛି ସ୍ପଷ୍ଟ ସୂଚନା ଦେଇପାରୁନଥିଲେ ମଧ୍ୟ ୨୦୨୩-୨୪ବେଳକୁ ଏହାର ନିର୍ମାଣ କାର୍ଯ୍ୟ ସରିବ ବୋଲି ଆଶା କରାଯାଉଛି । ପ୍ରସ୍ତୁତ ହୋଇଥିବା ନକ୍ସାରେ ଓଡିଆ ବିଶ୍ୱବିଦ୍ୟାଳୟ ଲାଗି ପ୍ରଶାସନିକ ସୌଧ, ଶ୍ରେଣୀଗୃହ,ଚାତ୍ର/ଛାତ୍ରୀ ନିବାସ, କର୍ମଚାରୀଙ୍କ କ୍ୱାଟର୍ସ, ଅତିଥିଭବନ, ଖେଳପଡିଆ, ପ୍ରେକ୍ଷାଳୟ ଆଦି ଲାଗି ବ୍ୟବସ୍ଥା ଥିବାବେଳେ ବିଶ୍ୱବିଦ୍ୟାଳୟର ପରିସରକୁ ସବୁଜ ରଖିବାପାଇଁ ବ୍ୟାପକ ସଂଖ୍ୟକ ବୃକ୍ଷରୋପଣ କରାଯିବାର ଯୋଜନା ରହିଛି ।

ଓଡିଆ ଭାଷା, ସଂସ୍କୃତି, ଐତିହ୍ୟ, ଇତିହାସ ଆଦି ଉପରେ ଏହି ବିଶ୍ୱବିଦ୍ୟାଳୟରେ ବ୍ୟାପକ ଗବେଷଣା ଚାଲିବ । ଘର ତିଆରି କାମ ଶେଷ ହେବାକୁ ବହୁବର୍ଷ ସମୟ ଲାଗିପାରେ । ତେଣୁ ଓଡିଆ ବିଶ୍ୱବିଦ୍ୟାଳୟ ଲାଗି ତୁରନ୍ତ କୁଳପତି,କୁଳସଚିବ ଆଦିଙ୍କ ନିଯୁକ୍ତି ସହ ଅଭିଜ୍ଞ ବ୍ୟକ୍ତିମାନଙ୍କୁ ନିରପେକ୍ଷ ଚୟନ ପ୍ରକ୍ରିୟା ମାଧ୍ୟମରେ ଶିକ୍ଷକ ଭାବେ ନିଯୁକ୍ତି ଦେଇ ଆଗାମୀ ଅକ୍ଟୋବର ସୁଦ୍ଧା ଅସ୍ଥାୟୀ କ୍ୟାମ୍ପସରେ ଏହି ବିଶ୍ୱବିଦ୍ୟାଳୟକୁ କାର୍ଯ୍ୟକ୍ଷମ କରିବା ଲାଗି ମତପ୍ରକାଶ ପାଉଛି । (ତଥ୍ୟ)