Home General ଓଡିଆ ଝିଅଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ଓଡିଆ ଝିଅଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମୁହଁରେ ଓଡିଆ ଝିଅ ଭାଗ୍ୟଶ୍ରୀଙ୍କ ଭୁରି ଭୁରି ପ୍ରଶଂସା । ରେଡିଓରେ ପ୍ରସାରିତ ଚଳିତବର୍ଷ ପ୍ରଥମ ମନକି ବାତ୍‍ ରେ ପ୍ରଧାନମନ୍ତ୍ରୀ ଭାଗ୍ୟଶ୍ରୀଙ୍କ ସଫଳତାକୁ ଦେଶବାସୀଙ୍କ ଆଗରେ ବଖାଣିଛନ୍ତି ।

ପ୍ରଧାମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶାର ରାଉରକେଲାର ଭାଗ୍ୟଶ୍ରୀ ସାହୁଙ୍କୁ ଦେଖନ୍ତୁ । ସେ ଜଣେ ଇଞ୍ଜିନିୟରିଂ ଛାତ୍ରୀ, କିନ୍ତୁ ଗତ କେଇ ମାସ ଭିତରେ ସେ ପଟ୍ଟଚିତ୍ର କଳା ଶିଖିବା ଆରମ୍ଭ କରିଥିଲେ ଓ ସେଥିରେ ନିପୁଣତା ମଧ୍ୟ ହାସଲ କରିସାରିଛନ୍ତି । କିନ୍ତୁ ଆପଣ କ’ଣ ଜାଣନ୍ତି ଯେ ସେ କେଉଁଥିରେ ଚିତ୍ର କରିଛନ୍ତି – ପଥର ଉପରେ ।

କଲେଜ ଯିବା ରାସ୍ତାରେ ଭାଗ୍ୟଶ୍ରୀଙ୍କୁ ଏହି ପଥର ମିଳିଲା । ତାକୁ ସେ ଏକାଠି କଲେ ଓ ସଫା କଲେ । ପରେ ପ୍ରତିଦିନ ଦୁଇଘଂଟା ସେହି ପଥରଗୁଡ଼ିକ ଉପରେ ପଟ୍ଟଚିତ୍ର ଶୈଳୀରେ ଚିତ୍ର କଲେ । ସେ ଏହି ପଥରଗୁଡ଼ିକୁ ଚିତ୍ରିତ କରି ତାକୁ ନିଜର ବନ୍ଧୁମାନଙ୍କୁ ଉପହାର ଦେଲେ ।

ଲକ୍‌ଡାଉନ ସମୟରେ ସେ ବୋତଲ ଉପରେ ମଧ୍ୟ ଚିତ୍ର କରିବା ଆରମ୍ଭ କରିଦେଲେ । ଏବେ ତ ସେ ଏହି କଳା ଉପରେ କର୍ମଶାଳା ମଧ୍ୟ ଆୟୋଜିତ କରୁଛନ୍ତି । କିଛିଦିନ ତଳେ ସୁଭାଷ ବୋଷଙ୍କ ଜୟନ୍ତୀରେ ଭାଗ୍ୟଶ୍ରୀ ପଥର ଉପରେ ହିଁ ନିଆରା ଶ୍ରଦ୍ଧାଞ୍ଜଳି ଦେଲେ । ମୁଁ ତାଙ୍କ ଭବିଷ୍ୟତର ପ୍ରୟାସ ପାଇଁ ଶୁଭକାମନା ଦେଉଛି । ଚିତ୍ର ଏବଂ ରଙ୍ଗ ମାଧ୍ୟମରେ ବହୁତ କିଛି ନୂଆ ଶିଖାଯାଇପାରେ, କରାଯାଇପାରେ ।

ରାଉରକେଲାର ଭାଗ୍ୟଶ୍ରୀ ସାହୁଙ୍କ କଳାକୃତିକୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାଙ୍କ “ମନ୍‍ କି ବାତ୍‍” କାର୍ଯ୍ୟକ୍ରମରେ ପ୍ରଶଂସା କରିବା ପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ ଏହି କଳା ମାଧ୍ୟମରେ ସେ ଓଡ଼ିଶାକୁ ସମଗ୍ର ଭାରତବର୍ଷରେ ପରିଚୟ କରାଇପାରିଛନ୍ତି । ଓଡ଼ିଶାର ପାରମ୍ପରିକ ଚିତ୍ରକଳାକୁ ପ୍ରଚାରପ୍ରସାର କରାଇବାରେ ତାଙ୍କର ସାଧନା ଓ ନିଷ୍ଠା ଯୁବ ସମାଜ ପାଇଁ ପ୍ରେରଣାଦାୟୀ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।