Home Health ଓଡ଼ିଶା ହେବ ମ୍ୟାଲେରିଆ ଶୂନ୍ୟ ରାଜ୍ୟ

ଓଡ଼ିଶା ହେବ ମ୍ୟାଲେରିଆ ଶୂନ୍ୟ ରାଜ୍ୟ

ଭୁବନେଶ୍ୱର : ମ୍ୟାଲେରିଆ ପ୍ରବଣ  ରାଜ୍ୟର ବିଷାଦ ଅତିକ୍ରମ କରି  ଓଡ଼ିଶା ବର୍ତ୍ତମାନ ମ୍ୟାଲେରିଆ ଶୂନ୍ୟ  ରାଜ୍ୟ ଦିଗରେ  ଗତି କରିବା ଆରମ୍ଭ କରିଛି । ୨୦୧୬ ରୁ ୨୦୧୯ ମସିହା  ମଧ୍ୟରେ ରାଜ୍ୟରେ ମ୍ୟାଲେରିଆ  ପଜିଟିଭ୍ ହାର ୯୦ ଶତକଡା  କମିଛି ।  ଏହି ସମୟ ମଧ୍ୟରେ  ମୃତ୍ୟୁ ସଂଙ୍ଖ୍ୟା ୭୭ରୁ  ୯ କୁ ହ୍ରାସ  ପାଇଛି ।

୨୦୨୦ ମସିହାରେ  ମଧ୍ୟ   ଏହି ଧାରା ବଜାୟ ରହିଛି । ମୁଖ୍ୟ ଶାସନ ସଚିବ ଶ୍ରୀ ମୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ  ଅନୁଷ୍ଠିତ ରାଜ୍ୟ ଆନ୍ତଃ-ବିଭାଗୀୟ ସମନ୍ୱୟ  ବୈଠକର ଆଲୋଚନାରୁ  ଏହା ଜଣାପଡିଛି ।  ଅନୁଷ୍ଠିତ ବୈଠକରେ ସ୍ୱାସ୍ଥ୍ୟ  ଓ ପରିବାର କଲ୍ୟାଣ ଅତିରିକ୍ତ ମୁଖ୍ୟ ଶାସନ ସଚିବ  ପ୍ରଦୀପ୍ତ କୁମାର  ମହାପାତ୍ର ମ୍ୟାଲେରିଆ ନିରାକରଣ ସମ୍ୱନ୍ଧିତ  ବିଷୟ ଆଲୋଚନା  ନିମନ୍ତେ  ଉପସ୍ଥାପନ କରିଥିଲେ ।

ବିଗତ ବର୍ଷ ମାନଙ୍କରେ ନିଆଯାଇଥିବା  ପଦକ୍ଷେପ ଏବଂ  ମ୍ୟାଲେରିଆ ସ୍ଥିତି ବିଷୟ ସମୀକ୍ଷା କରି  ଚଳିତ ବର୍ଷ  ସମ୍ଭାବ୍ୟ ମ୍ୟାଲେରିଆ ସଂକ୍ରମଣ  ପ୍ରତିରୋଧ ନିମନ୍ତେ ଆଗୁଆ  ପଦକ୍ଷେପ ନେବା ପାଇଁ  ମୁଖ୍ୟ ଶାସନ ସଚିବ  ଶ୍ରୀ ମହାପାତ୍ର  ବିଭାଗମାନଙ୍କୁ  ନିର୍ଦ୍ଦେଶ ଦେଇଥିଲେ ।  ବିଶେଷତଃ ଶିଳ୍ପାଞ୍ଚଳ, ଖଣିଖାଦନ ଅଞ୍ଚଳ, ସୁଦୂର ଗ୍ରାମାଞ୍ଚଳ, ଜଙ୍ଗଲ ଅଞ୍ଚଳରେ ଥିବା ଜନବସତି ଆଦି ଉପରେ  ସ୍ୱତନ୍ତ୍ର ଧ୍ୟାନ ଦେବା  ନିମନ୍ତେ  ନିର୍ଦ୍ଦେଶ ଦେଇଥିଲେ ।  

ସହରାଞ୍ଚଳରେ ଥିବା  ଛୋଟ ଛୋଟ  ସ୍ଥିର ଜଳାଶୟ  ଗୁଡିକରେ  ମଶା ବଂଶ ନାଶକାରୀ ତେଲ ପକାଇବା, ବିଭିନ୍ନ ଜଳାଶୟ ଓ ନଳା ଇତ୍ୟାଦିରେ  ଜୀବାଣୁ ଖାଦକ ମାଛ ଛାଡିବା ସହ ମଶା  ଜୀବାଣୁର ବଂଶବୃଦ୍ଧି-ଚକ୍ର ଛିନ୍ନ କରିବା ନିମନ୍ତେ  ସମସ୍ତ ପ୍ରକାର ପଦକ୍ଷେପ ନେବା ପାଇଁ  ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ ।  

ବିଭିନ୍ନ ଶିଳ୍ପାନୁଷ୍ଠାନମାନେ  ସ୍ୱତନ୍ତ୍ର  ଜନସ୍ୱାସ୍ଥ୍ୟ ୟୁନିଟ୍  ପ୍ରତି​‌ଷ୍ଠା କରିବା ସହ  ନିଜ ନିଜର  କର୍ମଚାରୀମାନଙ୍କର  ପରୀକ୍ଷଣ ଏବଂ  ସଂପୃକ୍ତ  ଅଞ୍ଚଳରେ ମ୍ୟାଲେରିଆ ସଂକ୍ରମଣ ନିରୀକ୍ଷଣ ଜାରି ରଖିବାକୁ  କୁହାଯାଇଥିଲା ।  ଜନସାଧାରଣଙ୍କ ମଧ୍ୟରେ  ବ୍ୟାପକ ସଚେତନତା ସୃଷ୍ଟି କରିବା  କାର୍ଯ୍ୟରେ  ରାଜ୍ୟର  ପ୍ରାୟ ୧୦ ହଜାର ଜିଲ୍ଲା, ବ୍ଲକ୍ ଓ ପଂଚାୟତ କଳାକାର ସଂଘ ଏବଂ ୫୦୦ ପ୍ରକାର ଲୋକକଳାକୁ  ସାମିଲ  କରିବା ପାଇଁ  ବୈଠକରେ ନିଷ୍ପତ୍ତି  ହୋଇଥିଲା ।

ମ୍ୟାଲେରିଆ ସ୍ଥିତି  ବିଷୟରେ  ସଦ୍ୟତନ ତଥ୍ୟ  ଉପସ୍ଥାପନ କରି  ଜନସ୍ୱାସ୍ଥ୍ୟ  ନିର୍ଦ୍ଦେଶକ ଡ଼ଃ ନିରଞ୍ଜନ ମିଶ୍ର  କହିଥିଲେ ଯେ  ୨୦୧୬ ମସିହାରେ ୪.୪୪ ଲକ୍ଷ  ମ୍ୟାଲେରିଆ ପଜିଟିଭ୍ କେସ୍ ଚିହ୍ନଟ ହୋଇଥିଲା । ୭୭ ଜଣ ମ୍ୟାଲେରିଆ ରୋଗରେ ପ୍ରାଣ ହରାଇଥିଲେ । ୨୦୧୯ ମସିହା ବେଳକୁ ପଜିଟିଭ୍  ଏବଂ ମୃତ୍ୟୁ ସଂଙ୍ଖ୍ୟା ହ୍ରାସ ପାଇ ଯଥାକ୍ରମେ ୩୯,୫୫୬ ଏବଂ ୯ ରେ ପହଞ୍ଚିଥିଲା ।

୨୦୨୦ ମସିହାରେ ମଧ୍ୟ  ଏହି ହ୍ରାସ ବଜାୟ ରହିଥିଲା । ୨୦୧୮ ରୁ ୨୦୧୯ ମସିହା ମଧ୍ୟରେ  ସର୍ବଭାରତୀୟ  ସଂକ୍ରମଣ ହାର  ୧୭ % ଭାଗ  କମିଥିବାବେଳେ ଓଡ଼ିଶାରେ ସଂକ୍ରମଣ ହାର ୪୦ % ଭାଗ  କମିଥିଲା ।  ସେହିପରି  ୨୦୧୬ ମସିହାରେ ବାର୍ଷିକ  ପାରାସାଇଟ୍ ହାର ମାତ୍ର ୮ ଟି ଜିଲ୍ଲାରେ  ୧ ରୁ ତଳେ  ରହିଥିଲା ।  ୨୦୧୯ ମସିହା ବେଳକୁ ସ୍ଥିତିର  ଘାଟି ହେତୁ  ଏହି  ହାର ୨୩ ଟି ଜିଲ୍ଲାରେ  ୧ ରୁ ତଳେ ରହିଥିଲା ।  

ଏହିସବୁ ତଥ୍ୟ  ଭିତ୍ତିରେ ବିଶ୍ୱ ସ୍ୱାସ୍ଥ୍ୟ  ସଂଗଠନ ଓଡ଼ିଶାରେ ମ୍ୟାଲେରିଆ  ନିରାକରଣ  କାର୍ଯ୍ୟଧାରାକୁ  ଏକ ଉତ୍ତମ  ପ୍ରାମାଣିତ  ପନ୍ଥା (ବେଷ୍ଟ ପ୍ରାକ୍‌ଟିସ୍) ଭାବେ ବିଶ୍ୱ ମ୍ୟାଲେରିଆ  ବିବରଣୀ-୨୦୨୦ ରେ ସ୍ଥାନିତ  କରିଛନ୍ତି ।  ସୂଚନାଯୋଗ୍ୟ , ମ୍ୟାଲେରିଆ  ବିରୁଦ୍ଧ  ଅଭିଯାନଭାବେ  ରାଜ୍ୟ  ସରକାର ଦୁର୍ଗମ ଅଂଚଳରେ ମ୍ୟାଲେରିଆ  ନିରାକରଣ (ଦମନ) ନାମକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଜାରି ରଖିଛନ୍ତି ।  

ପ୍ରାପ୍ତ ସୂଚନାରୁ ଜଣାପଡିଛି, ୨୦୧୮ ରୁ ୨୦୨୦ ବର୍ଷ ମଧ୍ୟରେ  ରାଜ୍ୟର ବିଭିନ୍ନ ସ୍ଥାନରେ ୧୬,୦୮୮ ଟି ମ୍ୟାଲେରିଆ  ନିରାକରଣ କ୍ୟାମ୍ପ୍ ଆୟୋଜନ କରାଯାଇଛି ।  କେନ୍ଦ୍ରୀୟ ମନ୍ତ୍ରଣାଳୟରୁ ମିଳିଥିବା  ପ୍ରାୟ ୧.୫୭ କୋଟି ଜୀବାଣୁ  ନାଶକ ମଶାରୀ ବଣ୍ଟନ କରାଯାଇ  ଏହାର  ଉପଯୁକ୍ତ  ବ୍ୟବହାର ନିମନ୍ତେ  ବ୍ୟାପକ  ସଚେତନତା  ଓ ଅନୁଧାବନ କାର୍ଯ୍ୟକ୍ରମ  କରାଯାଇଛି ।  

ଏହା ଫଳରେ ପ୍ରାୟ ୨.୮ କୋଟି  ଲୋକଙ୍କୁ ମ୍ୟାଲେରିଆ  ସଂକ୍ରମଣରୁ ସୁରକ୍ଷା  ଦିଆଯାଇଛି ।  ଏହି ସମୟ  ମଧ୍ୟରେ ୪୮,୪୫୫ ଜଣ ଆଶାକର୍ମୀଙ୍କୁ  ମ୍ୟାଲେରିଆ ଚିହ୍ନଟ ଓ ଚିକିତ୍ସା ପରିଚାଳନା ବିଷୟରେ  ତାଲିମ ଦିଆଯାଇ  କାର୍ଯ୍ୟରେ ନିୟୋଜିତ  କରାଯାଇଛି ।