Home Administration ଓଡ଼ିଶା ବିଧାନସଭା ଦେଶର ପ୍ରଥମ ଇ-ବିଧାନସଭା

ଓଡ଼ିଶା ବିଧାନସଭା ଦେଶର ପ୍ରଥମ ଇ-ବିଧାନସଭା

ଭୁବନେଶ୍ୱର : ଓଡ଼ିଶା ବିଧାନସଭା ଦେଶର ପ୍ରଥମ ଜାତୀୟ ଇ-ବିଧାନସଭା ହେବାର ଗୌରବ ପ୍ରାପ୍ତ ହୋଇଛି । ଓଡ଼ିଶା ସରକାରଙ୍କର ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ଏବଂ ଜାତୀୟ ପ୍ରଯୁକ୍ତି ବିଦ୍ୟା କେନ୍ଦ୍ର ଓଡ଼ିଶା ଶାଖା ଓ ଓକାକର ବୈଷୟିକ ସହାୟତା କ୍ରମେ ଓଡ଼ିଶା ବିଧାନସଭାରେ ଏହା କାର୍ଯ୍ୟକାରୀ ହୋଇପାରିଛି ।

ଜାତୀୟ ଇ-ବିଧାନ ଆପ୍ଲିକେସନ ଆପ୍ ମାଧ୍ୟମରେ ଷୋଡଶ ବିଧାନସଭାର ଷଷ୍ଠ ଅଧିବେଶନରେ ମହା ମହିମ ରାଜ୍ୟପାଳଙ୍କ ବଜେଟ୍ ଅଭିଭାଷଣ ଏବଂ ରାଜ୍ୟର ବଜେଟ୍ ବିନା କାଗଜରେ ଉପସ୍ଥାପିତ ହୋଇଥିଲା । ଏତଦ୍ ବ୍ୟତୀତ ୨୦୨୧-୨୨ ଆର୍ଥିକ ବର୍ଷର ବଜେଟ୍ ଏଷ୍ଟିମେଟ୍, ରାଜ୍ୟର ଅର୍ଥନୈତିକ ସର୍ଭେ ମଧ୍ୟ ଇ-ପୁସ୍ତକ ମାଧ୍ୟମରେ ନେଭା ମୋବାଇଲ୍ ଆପ୍ ଦ୍ୱାରା ଉପସ୍ଥାପିତ ହୋଇଥିଲା ।

ବିଧାନସଭା ସଦସ୍ୟମାନଙ୍କର ତାରକା ଏବଂ ଅଣତାରକା ଚିହ୍ନିତ ପ୍ରଶ୍ନ,  ବିଧାନସଭାର ଦୈନନ୍ଦିନ କାର୍ଯ୍ୟ ବିବରଣୀ, ବିଧାନସଭାର ବିଭିନ୍ନ କମିଟିର ରିପୋର୍ଟ, ପ୍ରଶ୍ନୋତ୍ତର, ବୁଲେଟିନ୍ ଇତ୍ୟାଦି ମଧ୍ୟ ନେଭା ଆପ୍ ମାଧ୍ୟମରେ ଓଡ଼ିଶା ବିଧାନସଭାରେ କାର୍ଯ୍ୟକାରୀ ହେଉଛି । ଓଡ଼ିଶା ବିଧାନସଭା ଏ କ୍ଷେତ୍ରରେ ସମଗ୍ର ଦେଶରେ ପ୍ରଥମ ବିଧାନସଭା ହେବାର କୀର୍ତ୍ତିମାନ ଅର୍ଜ୍ଜନ କରିଥିବା ଦୃଷ୍ଟିରୁ ଆଜି ଭାରତୀୟ କମ୍ପୁଟର ସୋସାଇଟି ତରଫରୁ ଏହାର କାର୍ଯ୍ୟକାରିତା ସମ୍ପର୍କରେ ସବିଶେଷ ବିବରଣୀ ଅବଗତ ହେବା ପାଇଁ ଏକ ଭର୍ଚୁଆଲ୍ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ।

ବାଚସ୍ପତି ଡ଼ଃ ସୂର୍ଯ୍ୟ ନାରାୟଣ ପାତ୍ର ଉକ୍ତ ଭର୍ଚୁଆଲ୍ ବୈଠକରେ ଅଧ୍ୟକ୍ଷତା କରି ବିଧାନସଭାର ସମସ୍ତ କାର୍ଯ୍ୟ ବିନା କାଗଜରେ ସୁରୁଖୁରୁରେ ସମ୍ପନ୍ନ ପାଇଁ ଏ ପର୍ଯ୍ୟନ୍ତ ଗ୍ରହଣ କରାଯାଇଥିବା କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ । ୧୯୩୭ ମସିହା ଠାରୁ ଏ ପର୍ଯ୍ୟନ୍ତ ବିଧାନସଭାରେ ଆଗତ କରାଯାଇଥିବା ସମସ୍ତ ସରକାରୀ ଏବଂ ବେସରକାରୀ ବିଲ ବିଧାନସଭା ୱେବସାଇଟରେ ଉପଲବ୍ଧ କରାଯାଇଥିବା ମଧ୍ୟ ସେ ସୂଚନା ଦେଇଥିଲେ ।

ବିଧାନସଭାରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ପରେ ପରେ ସମସ୍ତ ବିବରଣୀ ସାଧାରଣ ଜନତାଙ୍କୁ ମଧ୍ୟ ଜଣାଇଦେବା ବ୍ୟବସ୍ଥା ଗ୍ରହଣ କରାଯାଇଛି । ମାନ୍ୟବର ଓଡ଼ିଶା ବାଚସ୍ପତିଙ୍କ ଦିଗଦର୍ଶନରେ ଇ-ବିଧାନସଭା କାର୍ଯ୍ୟ ଅତ୍ୟନ୍ତ ଦକ୍ଷତାର ସହିତ ପରିଚାଳିତ ହୋଇଥିବାରୁ ଭାରତୀୟ କମ୍ପୁଟର ସୋସାଇଟ ତରଫରୁ ତାଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା । ବିଧାନସଭା ପକ୍ଷରୁ ଦାଖଲ କରାଯାଇଥିବା ଇ-ବିଧାନସଭା ସଂପର୍କିତ ପ୍ରୋଜେକଟ୍ ରିପୋର୍ଟ ସର୍ବଭାରତୀୟ ସ୍ତରରେ ଆଦୃତ ହୋଇଛି ଏବଂ ହିମାଚଳ ପ୍ରଦେଶ, ପଞ୍ଜାବ, ବିହାର ସମେତ ସମସ୍ତ ବିଧାନସଭା ଏହାକୁ ପାଇଲଟ୍‌ ପ୍ରୋଜେକଟ୍ ଭାବେ ଗ୍ରହଣ କରୁଛନ୍ତି ।

ବିଧାନସଭା ସଚିବ ଦାଶରଥୀ ଶତପଥୀ ଜାତୀୟ ପ୍ରଯୁକ୍ତି ବିଦ୍ୟା କେନ୍ଦ୍ରର ସମ୍ପୂର୍ଣ୍ଣ ବୈଷୟିକ ସହାୟତାରେ ବିଧାନସଭାରେ କାର୍ଯ୍ୟକାରୀ ହେଉଥିବା ‘ନେଭା’ କାର୍ଯ୍ୟକ୍ରମ ଉପରେ ବିବରଣୀ ପ୍ରଦାନ କରିଥିଲେ । ବିଧାନସଭାର ସମସ୍ତ ଶାଖାକୁ କମ୍ପୁଟରୀକରଣ କରାଯିବା ସହିତ ବିଧାନସଭାର ବିଭିନ୍ନ ୱେବସାଇଟର ଉନ୍ନତିକରଣ କରାଯାଇଛି । ଓକାକର ବରିଷ୍ଠ ବୈଷୟିକ ନିର୍ଦ୍ଦେଶକ ସରିତା ମହାନ୍ତି ପାୱାର ପଏଣ୍ଟ ମାଧ୍ୟମରେ ଓଡ଼ିଶା ବିଧାନସଭାର ଡିଜିଟାଲ ଯାତ୍ରା ଉପରେ ସ୍ଲାଇଡ୍ ମାଧ୍ୟମରେ ପ୍ରଦର୍ଶନ କରିଥିଲେ । ବିଧାନସଭା ଯୁଗ୍ମ ସଚିବ ତଥା ନେଭାର ନୋଡାଲ୍ ଅଧିକାରୀ ଦେବାନନ୍ଦ ଦୋରା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।

ବାଚସ୍ପତିଙ୍କ ଲୋକ ସମ୍ପର୍କ ଅଧିକାରୀ

LEAVE A REPLY

Please enter your comment!
Please enter your name here