Home News in Odia ଓଟିଡିସି ପିଏମୟୁଙ୍କ ପାଉଣା ମାସକୁ ଅଢେଇ ଲକ୍ଷ

ଓଟିଡିସି ପିଏମୟୁଙ୍କ ପାଉଣା ମାସକୁ ଅଢେଇ ଲକ୍ଷ

ଭୁବନେଶ୍ୱର : ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମରେ ପିଏମୟୁ ଅଧୀନରେ କାର୍ଯ୍ୟରତ କର୍ମଚାରୀଙ୍କ ମାସିକ ପାଉଣା ହାରାହାରି ଅଢ଼େଇ ଲକ୍ଷ ଟଙ୍କାରୁ ଅଧିକ । ଏମାନେ ଯାତ୍ରୀଙ୍କ ଅଭିକଳ୍ପ ବିଭାଗକୁ ସାହାଯ୍ୟ ଓ ସୁଦୃଢ଼ କରୁଛନ୍ତି ।

ବିଧାୟକ ଶଙ୍କର ଓରାମଙ୍କ ଏକ ପ୍ରଶ୍ନରେ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଆଜି ବିଧାନସଭାରେ ଦେଇଥିବା ଉତ୍ତରରୁ ଏହି ସୂଚନା ମିଳିଛି । ମନ୍ତ୍ରୀ ଦର୍ଶାଇଛନ୍ତି ଯେ ଓଟିଡିସିରେ କାର୍ଯ୍ୟରତ ଏହି ୪ଜଣ ମାସିକ ୧୦,୨୦,୭୦୦ ଟଙ୍କା ପ୍ୟାକେଜରେ କାର୍ଯ୍ୟ କରୁଛନ୍ତି ।

ଏମାନଙ୍କ ମଧ୍ୟରୁ ପ୍ରକଳ୍ପ ପରିଚାଳକଙ୍କ ଅଭିଜ୍ଞତା ୩୦ବର୍ଷରୁ ଅଧିକ ଥିବାବେଳେ ସାମଗ୍ରୀ ଖରିଦ୍‍ ବିଶେଷଜ୍ଞଙ୍କ ଅଭିଜ୍ଞତା ୭ବର୍ଷ ରହିଛି । ବରିଷ୍ଠ ସ୍ଥପତିଙ୍କ ଅଭିଜ୍ଞତା ୧୦ବର୍ଷ ଥିବାବେଳେ ସ୍ଥପତି ଭାବେ କାର୍ଯ୍ୟରତ ବ୍ୟକ୍ତିଙ୍କର ସାଢ଼େ ୩ବର୍ଷର ଅଭିଜ୍ଞତା ଅଛି ।

ପ୍ରକଳ୍ପ ପରିଚାଳକଙ୍କ ଶିକ୍ଷାଗତ ଯୋଗ୍ୟତା ଏମବିଏ (ଫାଇନାନ୍ସ ଆଣ୍ଡ ମାର୍କେଟିଂ) ଏବଂ ବିଏସସି ଇଞ୍ଜିନିୟରିଂ ଥିବାବେଳେ ଖରିଦ ବିଶେଷଜ୍ଞ (ପ୍ରୋକ୍ୟୁରମେଣ୍ଟ ଏକ୍ସପୋର୍ଟ)ଙ୍କର ଶିକ୍ଷାଗତ ଯୋଗ୍ୟତା ଏମବିଏ (ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ) ଏବଂ ସିଭିଲ ଇଞ୍ଜିନିୟରିଂରେ ବି-ଟେକ୍‍ କରିଛନ୍ତି ।

ବରିଷ୍ଠ ସ୍ଥପତିଙ୍କ ଶିକ୍ଷାଗତ ଯୋଗ୍ୟ ସହରାଞ୍ଚଳ ଡିଜାଇନିଂରେ ସ୍ନତକୋତ୍ତର ଏବଂ ବ୍ୟାଚଲର୍ସ ଇନ୍‍ ଆର୍କିଟେକଚର ରହିଛି । ସେହିଭଳି ସ୍ଥପତି ଭାବେ କାର୍ଯ୍ୟରତ କର୍ମଚାରୀ ଏମ.ପ୍ଲାନ୍‍ ଏବଂ ବ୍ୟାଚଲର୍ସ ଇନ୍‍ ଆର୍କିଟେକଚର ଥିବା ଜଣାଯାଇଛି ।