Home Administration ଏ ବର୍ଷ ବଢିବନି ସ୍ଥାବର ସମ୍ପତ୍ତି ମୂଲ୍ୟ

ଏ ବର୍ଷ ବଢିବନି ସ୍ଥାବର ସମ୍ପତ୍ତି ମୂଲ୍ୟ

ଭୁବନେଶ୍ୱର : ଚଳିତ ଆର୍ଥିକ ବର୍ଷରେ ରାଜ୍ୟ ସରକାର ସ୍ଥାବର ସମ୍ପତ୍ତିର ମୂଲ୍ୟବୃଦ୍ଧି ନକରିବାକୁ ନିଷ୍ପତ୍ତି ନେଇଛନ୍ତି । କୋଭିଡ ମହାମାରୀ ସମୟରେ ଏଭଳି ନିଷ୍ପତ୍ତି ସାଧାରଣ ଲୋକଙ୍କୁ ବଡ ଆଶ୍ୱସ୍ତି ଦେବ ।

ଅସ୍ୱାଭାବିକ ଭାବେ ଉଭା ହୋଇଥିବା କୋଭିଡ ମହମାରୀ ସମୟରେ ସାଧାରଣ ଲୋକଙ୍କ ସ୍ୱାର୍ଥକୁ ଦେଖି ରାଜ୍ୟର କୌଣସି ଜିଲ୍ଲାରେ ସ୍ଥାବର ସମ୍ପତ୍ତିର ବଜାର ଦର ବୃଦ୍ଧି ନକରିବାପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ପ୍ରତିବର୍ଷ ଏହା ୧୦ପ୍ରତିଶତ ହାରରେ ବୃଦ୍ଧି ହୋଇଥାଏ । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଦିଆଯାଇଥିବା ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ତଦନୁଯାୟୀ ୨୦୨୦-୨୧ ବର୍ଷରେ ଅସ୍ଥାବର ସମ୍ପତ୍ତିର ଦର ଯାହା ଧାର୍ଯ୍ୟ ହୋଇଥିଲା ତାହା ଅପରିବର୍ତ୍ତିତ ରହିବ । 

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ ପ୍ରସ୍ତାବ ଉପସ୍ଥାପନ କରି ଦର୍ଶାଇଥିଲେ ଯେ କରୋନାର ଦ୍ୱିତୀୟ ଲହରକୁ ପ୍ରତିହତ କରିବାପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଥିବାବେଳେ ରାଜ୍ୟ ସରକାର ୨୦୨୧-୨୨ ବର୍ଷରେ ଅସ୍ଥାବର ସମ୍ପତ୍ତିର ବଜାର ଦର ବୃଦ୍ଧି ନକଲେ ତାହା ସାଧାରଣ ଲୋକଙ୍କୁ ଆଶ୍ୱସ୍ତି ଆଣିଦେବ । କୋଭିଡର ଦ୍ୱିତୀୟ ଲହରୀ  ସ୍ଥିତିକୁ ଅଧିକ ସଙ୍ଗୀନ କରିଥିବାବେଳେ ଅର୍ଥନୀତିକୁ ବିଗାଡିବାରେ ଲାଗିଛି । 

ଏଭଳି ସ୍ଥିତିରେ ସମ୍ପତ୍ତି ବିକ୍ରି ଖରିଦ ଅତ୍ୟନ୍ତ ଧିମେଇ ଯାଇଥିବାବେଳେ ସ୍ଥାବର ସମ୍ପତ୍ତିର ବଜାର ଦର ବୃଦ୍ଧି ବ୍ୟବସ୍ଥା ଉପରେ ପ୍ରତିକୂଳ ପ୍ରଭାବ ପକାଇବ । ଗତବର୍ଷ ରାଜ୍ୟ ସରକାର ଖୋରଧା ଓ ବରଗଡ ଜିଲ୍ଲାକୁ ଛାଡି ଅନ୍ୟ ସମସ୍ତ ଜିଲ୍ଲାରେ ସ୍ଥାବର ସମ୍ପତ୍ତିର ମୂଲ୍ୟ ବୃଦ୍ଧି କରିନଥିଲେ । ସେହିସବୁ ୨୮ଜିଲ୍ଲାରେ ୨୦୧୯-୨୦ ବର୍ଷର ବଜାର ଦର ବଳବତ୍ତର ରହିଥିଲା । ଚଳିତବର୍ଷ କିନ୍ତୁ ସରକାର କୋଭିଡ ଦ୍ୱିତୀୟ ଲହରକୁ ଦୃଷ୍ଟିରେ ସମସ୍ତ ୩୦ ଜିଲ୍ଲାରେ ଦରବୃଦ୍ଧିକୁ ସ୍ଥଗିତ ରଖିଛନ୍ତି । ଏହା ଫଳରେ ସରକାରଙ୍କର ରାଜସ୍ୱ ହାନି ଘଟିବ । କିନ୍ତୁ ସର୍ବସାଧାରଣଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସରକାର ଏଭଳି ନିଷ୍ପତ୍ତି ଗ୍ରହଣ କରିଛନ୍ତି ।  (ତଥ୍ୟ)