Home News in Odia ଏସ୍‍ସିବିରୁ ହାଇଦର ଫେରାର

ଏସ୍‍ସିବିରୁ ହାଇଦର ଫେରାର

ଭୁବନେଶ୍ୱର : କଟକ ଏସ୍‍ସିବି ମେଡିକାଲ କଲେଜରେ ଚିକିତ୍ସିତ ହେଉଥିବା କୁଖ୍ୟାତ ଗ୍ୟାଙ୍ଗଷ୍ଟାର ହାଇଦର ଆଜି ଫେରାର ହୋଇଯାଇଛି । ସମ୍ବଲପୁର ଭିମ୍‍ସାରରୁ ଅଧିକ ଚିକିତ୍ସାପାଇଁ ଏସ୍‍ସିବି ପ୍ଲାଷ୍ଟିକ ସର୍ଜରୀ ବିଭାଗକୁ ରେଫର ହୋଇ ଆସିଥିବା ହାଇଦର ସମସ୍ତଙ୍କୁ ଚକ୍‍ମା ଦେଇ ଖସିଯାଇଛି ।

କେନ୍ଦୁଝରର ଖଣି ବ୍ୟବସାୟୀ ରଶ୍ମି ମହାପାତ୍ର ହତ୍ୟାକାଣ୍ଡ ମାମଲାରେ ସଜା ଭୋଗି ସମ୍ବଲପୁର ଜେଲ୍‍ରେ ଥିବା ହାଇଦର ପ୍ରାୟ ଦଶଦିନ ତଳେ ଅଧିକ ଚିକିତ୍ସା ପାଇଁ କଟକକୁ ଆସିଥିଲା । ପ୍ଲାଷ୍ଟିକ ସର୍ଜରୀ ୱାର୍ଡର ୫ ନମ୍ବର କ୍ୟାବିନ୍‍ରେ ହାଇଦର ରହି ଚିକିତ୍ସିତ ହେଉଥିବାବେଳେ ତାକୁ ସମ୍ବଲପୁରରୁ ଆସିଥିବା ସୁରକ୍ଷାକର୍ମୀ ଜଗିଥିଲେ ।

ତେବେ ଆଜି ସୁରକ୍ଷାକର୍ମୀଙ୍କୁ ବେହୋସ କରି ହାଇଦର ଫେରାର ହେବା ଜଣାପଡିବା ପରେ କମିଶନରେଟ ପୁଲିସ୍‍ ସହିତ ଯାଜପୁର ଓ କେନ୍ଦ୍ରାପଡା ଏସ୍‍ ମିଳିତ ଭାବେ ତାକୁ ଖୋଜିବା ଆରମ୍ଭ କରିଛନ୍ତି । ତିନି ଜିଲ୍ଲାର ସୀମାକୁ ସିଲ୍‍ କରାଯାଇ ଖାନତଲାସି ଜାରି ରହିଛି ।

ତେବେ ହାଇଦରର ସୁରକ୍ଷା ପାଇଁ ଡାକ୍ତରଖାନାରେ ନିୟୋଜିତ ଥିବା ପୁଲିସ୍‍ କର୍ମୀ ଅଚେତ ଅବସ୍ଥାରେ ଥିବାରୁ ତାଙ୍କଠାରୁ କୌଣସି ସୂଚନା ମିଳିପାରୁ ନାହିଁ । ଅନ୍ୟ ପକ୍ଷରେ କମିଶନରେଟ ପୁଲିସ୍‍ ଡାକ୍ତରଖାନା ସମେତ ଆଖପାଖର ସିସିଟିଭି ଯାଞ୍ଚ ଚଳାଇଛି ।

ହାଇଦର ଫେରାର ସଂକ୍ରାନ୍ତରେ କଟକ ଡିସିପି ପ୍ରତୀପ ସିଂହ କହିଛନ୍ତି ଯେ ହାଇଦର ଫେରାର ପରେ ତାକୁ ଧରିବାପାଇଁ ସୀମା ସିଲ୍‍ ସହିତ ଖୋଜା ଚାଲିଛି । ଖୁବ୍‍ଶୀଘ୍ର ତାକୁ ଧରାଯିବ ବୋଲି ଶ୍ରୀ ସିଂହ ଦୃଢୋକ୍ତି ପ୍ରକାଶ କରିଛନ୍ତି ।