Home News in Odia ଏସ୍‍ଡିଜି ରିପୋର୍ଟକୁ ନେଇ ମୁହାଁମୁହିଁ

ଏସ୍‍ଡିଜି ରିପୋର୍ଟକୁ ନେଇ ମୁହାଁମୁହିଁ

ଭୁବନେଶ୍ୱର : ନୀତି ଆୟୋଗଙ୍କ ଦ୍ୱାରା ପ୍ରସ୍ତୁତ ନିରନ୍ତର ବିକାଶ ଲକ୍ଷ୍ୟ (ଏସ୍‍ଡିଜି) ରିପୋର୍ଟକୁ ନେଇ ଏବେ ରାଜ୍ୟରେ ବିଜେପି-ବିଜେଡି ମୁହାଁମୁହିଁ ହୋଇଛନ୍ତି । ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ ସାମ୍ବାଦିକ ସମ୍ମିଳନୀରେ ଏସ୍‍ଡିଜି ରିପୋର୍ଟ ତଥ୍ୟ ଆଧାରରେ ରାଜ୍ୟ ସରକାରଙ୍କ ବିଫଳତା ଦର୍ଶାଇଥିବାବେଳେ ବିଜେଡି ସାଂସଦ ଅମର ପଟ୍ଟନାୟକ ଏସ୍‍ଡିଜି ରିପୋର୍ଟରେ କିଭଳି ରାଜ୍ୟ ସରକାରଙ୍କୁ ଯୋଜନାକୁ କମ୍‍ ନମ୍ବର ମିଳିଛି ଓ ରେଳ ଏବଂ ଇଣ୍ଟରନେଟ୍‍ ଭଳି କ୍ଷେତ୍ରକୁ ଅଣଦେଖା କରାଯାଇଛି ତାହା ଗୋଟି ଗୋଟି କରି କହିଥିଲେ ।

ଶ୍ରୀମତୀ ଷଡଙ୍ଗୀ କହିଥିଲେ ଯେ ମିଳିତ ଜାତିସଂଘ ସହାୟତାରେ ନୀତି ଆୟୋଗ ଦ୍ୱାରା ସଦ୍ୟ ପ୍ରକାଶ ପାଇଥିବା ନିରନ୍ତର ବିକାଶ ଲକ୍ଷ୍ୟ ସୁଚକାଙ୍କ ଆଧାରରେ ଦେଶର ୨୮ଟି ରାଜ୍ୟ ମଧ୍ୟରେ ଓଡିଶାର ସ୍ଥାନ ତଳଆଡୁ ୫ମ ସ୍ଥାନରେ ରହିଛି । ଦେଶରେ ସ୍ଥାୟୀତ୍ୱ, ସ୍ଥିରତା ଓ ସମନ୍ୱୟ ଆଣିବା ନିମନ୍ତେ ନୀତି ଆୟୋଗ ଦ୍ୱାରା ଏହି ରିପୋର୍ଟ ପ୍ରସ୍ତୁତ ହୋଇଥାଏ । ଓଡିଶା ପ୍ରସଙ୍ଗରେ ଏହି ରିପୋର୍ଟକୁ ଅନୁଧ୍ୟାନ କଲେ ଏହା ସ୍ପଷ୍ଟ ହେଉଛି ଯେ, ଗତ ୨୨ ବର୍ଷ ଧରି ଓଡିଶାର ବିକାଶ ବିଷୟରେ ଶାସକ ବିଜେଡି ଯାହା ପ୍ରଚାର ଓ ପ୍ରସାର କରୁଛି ତାହା ସଂପୂର୍ଣ୍ଣ ଭିନ୍ନ ଏବଂ ବାସ୍ତବରେ ବିକାଶ ଚିତ୍ର ସଂପୂର୍ଣ୍ଣ ଭିନ୍ନ ।

ଏସ୍‌ଡିଜି ମାନ୍ୟତାରେ ଓଡିଶାର ସ୍ଥାନ ୧୫ ରୁ ୧୯ କୁ ପହଂଚିଛି, ଯାହାକି ନାଗାଲାଣ୍ଡ ଓ ଛତିଶଗଡ ରାଜ୍ୟର ସମକ୍ଷକ । ଗୁରୁତ୍ୱପୂର୍ଣ୍ଣ ମାନଦଣ୍ଡ ଆଧାରରେ ଓଡିଶା ବିକାଶ କ୍ଷେତ୍ରରେ ନୀତି ଆୟୋଗ ରିପୋର୍ଟ ଏସ୍‌ଡିଜି ଲକ୍ଷ୍ୟ ହାସଲରେ ଦେଶରେ ନିମ୍ନରୁ ୫ ନମ୍ବର ସ୍ଥାନରେ ଓଡିଶା ଅଛି । ଏହି ଗୁରୁତ୍ୱପୂର୍ଣ୍ଣ ମାନଦଣ୍ଡ ଗୁଡିକ ହେଲା ଦାରିଦ୍ର‌୍ୟ ଦୂରୀକରଣ, କ୍ଷୁଧାମୁକ୍ତି, ଉତମ ସ୍ୱାସ୍ଥ୍ୟ ଓ ଜୀବନଧାରଣକ୍ଷମତା, ଉନ୍ନତ ମାନର ଶିକ୍ଷା, ଲିଙ୍ଗ ଭିତିକ ସମାନତା ଏବଂ ଶାନ୍ତି, ନ୍ୟାୟ ଓ ସୁଦୃଢ ଅନୁଷ୍ଠାନ । ଏହି କ୍ଷେତ୍ରରେ ଓଡିଶାର ସ୍ଥାନ ଅତ୍ୟନ୍ତ ନିମ୍ନସ୍ତରରେ ରହିଛି ବୋଲି ଶ୍ରୀମତୀ ଷଡଙ୍ଗୀ କହିଛନ୍ତି ।

ପ୍ରାକୃତିକ ସଂପଦରେ ଓଡିଶା ରାଜ୍ୟ ଭରପୁର ହୋଇଥିଲେ ମଧ୍ୟ ଲୋକମାନଙ୍କ ଜୀବନ ଧାରଣାର ମାନକୁ ଯଦି ଅନୁଧ୍ୟାନ କରାଯାଏ, ଓଡିଶା ସର୍ବଦା ପଛରେ ରହିଆସିଛି । ଦାରିଦ୍ର‌୍ୟ ଦୂରୀକରଣରେ ଓଡିଶା ତଳ ଆଡୁ ୩ୟ ସ୍ଥାନରେ ଅଛି । ସମୁଦାୟ ଜନସଂଖ୍ୟାର ୩୩ ପ୍ରତିଶତ ଜାତୀୟ ଦାରିଦ୍ର‌୍ୟ ସୀମାରେଖା ତଳେ ରହିଛନ୍ତି, ଏହି ସଂଖ୍ୟା ପଡୋଶୀ ଆନ୍ଧ୍ରପ୍ରଦେଶରେ ଏହା ମାତ୍ର ୯.୨ ପ୍ରତିଶତ ରହିଛି । ସେହିପରି ଓଡିଶାରେ ୧୪.୨ ପ୍ରତିଶତ କଚ୍ଚା ଘର ଅଛି, ଏହି ସଂଖ୍ୟା ପଡୋଶୀ ପଶ୍ଚିମବଙ୍ଗରେ ମାତ୍ର ୬ ପ୍ରତିଶତ ରହିଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେନ୍ଦ୍ର ସରକାର ଲକ୍ଷ ଲକ୍ଷ ପକ୍କା ଘର ଆବଂଟନ କରୁଛନ୍ତି । ମାତ୍ର ତାହା କାହିଁକି ପ୍ରତିଫଳିତ ହେଉନାହିଁ ବୋଲି ଶ୍ରୀମତୀ ଷଡଙ୍ଗୀ ପ୍ରଶ୍ନ କରିଛନ୍ତି ।

ଏହାର ଜବାବ ଦେଇ ବିଜେଡି ସାଂସଦ ତଥା ଦଳର ରାଷ୍ଟ୍ରୀୟ ମୁଖପାତ୍ର ଡକ୍ଟର ପଟ୍ଟନାୟକ କହିଛନ୍ତି ଯେ ଶ୍ରୀମତୀ ଷଡ଼ଙ୍ଗୀ ଏକ ସାମ୍ବାଦିକ ସମ୍ମିଳନୀରେ ନୀତି ଆୟୋଗଙ୍କ ଏସ୍‌ଡିଜି ରିପୋର୍ଟରେ ଓଡ଼ିଶାର ମୂଲ୍ୟାୟନକୁ ନେଇ ମତ ରଖିଥିଲେ । ତାଙ୍କ ମତରୁ ସ୍ପଷ୍ଟ ବାରିହେଲା ଯେ ଏହା ତାଙ୍କର ଏକପ୍ରକାରର ପ୍ରଳାପ । ବିଜେପି ନେତ୍ରୀଙ୍କ ପାଇଁ ଏହି ଏସ୍‌ଡିଜ ହେଉଛି = ‘ସବୁ ଡାହା ଗପ’ । ଏହି ରିପୋର୍ଟକୁ ନେଇ ରାଜନୀତିକରଣ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ।

ଡ. ପଟ୍ଟନାୟକ କହିଛନ୍ତି ଯେ କୋଭିଡ ଟିକା ଭଳି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରୁ ନଜର ହଟେଇବାକୁ ଅପଚେଷ୍ଟା କରିଥିଲେ ବି ଏଥିରେ ସେ ଗୁରୁତର ଭାବରେ ଅସଫଳ ହୋଇଛନ୍ତି । ଆଜି ଯେତେବେଳେ ଭାରତବର୍ଷର ଛାତ୍ରଛାତ୍ରୀମାନେ କୋଭାକ୍‌ସିନ ଟିକା ନେଲାପରେ ମଧ୍ୟ ଅନ୍ୟ ରାଷ୍ଟ୍ରମାନେ ଏହି ଟିକାକୁ ଅଗ୍ରାହ୍ୟ କରୁଛନ୍ତି ଓ ଭାରତୀୟ ଛାତ୍ରଛାତ୍ରୀଙ୍କର ବିଦେଶରେ ଥିବା ବିଶ୍ୱବିଦ୍ୟାଳୟମାନଙ୍କରେ ଯୋଗ ଦେବାରେ ଅସୁବିଧା ଉପୁଜୁଛି, ସେତେବେଳେ ଏହି ପ୍ରକାରର ପ୍ରସଙ୍ଗ ଏବଂ ଦ୍ରୁତ ଟୀକାକରଣ ଉପରେ ଜୋର ଦେବା ବଦଳରେ ଏକ ରିପୋର୍ଟକୁ ନେଇ ବିଜେପି ରାଜନୀତି କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ।

ଏହି ରିପୋର୍ଟ ଅନୁଯାଇ ଓଡିଶା ଦୁଇ ବର୍ଷ ମଧ୍ୟରେ ୨୨ତମ ସ୍ଥାନରୁ ଉତ୍ତୀର୍ଣ୍ଣ ହୋଇ ଭାରତବର୍ଷରେ ୧୯ତମ ସ୍ଥାନରେ ପହଞ୍ଚିଛି । ରିପୋର୍ଟରେ କେନ୍ଦ୍ର ସରକାରଙ୍କ ଯୋଜନାକୁ ଆଖି ବୁଜି ଅଧିକ ନମ୍ବର ଦିଆଯାଇଥିବାବେଳେ, ଓଡ଼ିଶାର ମିଶନ ଶକ୍ତି, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଓ ମମତା ଯୋଜନା ଭଳି ଅତି ସଫଳ ଓ ଜନପ୍ରିୟ ଯୋଜନାକୁ ମୂଲ୍ୟାୟନରେ ସମ୍ପୂର୍ଣ ଅଣଦେଖା କରାଯାଇଛି । ଶିଳ୍ପାୟନ କ୍ଷେତ୍ରରେ ଓଡିଶାକୁ ୨୦୧୯ରେ ୯୨ ପ୍ରତିଶତ ନମ୍ବର ଦିଆଯାଇଥିବାବେଳେ ଏ ବର୍ଷ ୦(ଶୂନ) ଦିଆହୋଇଛି ।

୨୦୨୦ରେ ସମଗ୍ର ଦେଶରେ ଶିଳ୍ପାୟନ କ୍ଷେତ୍ରରେ ପୁଞ୍ଜି ବିନିଯୋଗରେ ଓଡିଶା ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିଲାବେଳେ ୨୦୨୦ରେ କାହିଁକି ୦(ଶୂନ) ମାର୍କ ଦିଆଗଲା ବୋଲି ଡ.ପଟ୍ଟନାୟକ ପ୍ରଶ୍ନ କରିଛନ୍ତି । ଓଡ଼ିଶାରେ ବ୍ୟାଙ୍କ ସେବା ଏବେ ବି ଗ୍ରାମାଞ୍ଚଳରେ ପହଞ୍ଚିପାରିନାହିଁ । କିନ୍ତୁ ଏହି ରିପୋର୍ଟରେ ଓଡ଼ିଶାରେ ବ୍ୟାଙ୍କ ସେବାକୁ ୯୯ ପ୍ରତିଶତ ନମ୍ବର ଦିଆଯାଇଛି । ଏହି ପ୍ରସଙ୍ଗରେ ବି ବିଜେପି ନେତ୍ରୀ ଆଜି ତାଙ୍କର ସାମ୍ବାଦିକ ସମ୍ବିଳନୀରେ ମୁହଁ ଖୋଲିନାହାନ୍ତି ।

ରେଳବାଇ ଏକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ହୋଇଥିଲାବେଳେ ଏହି ରିପୋର୍ଟରେ ତାହାର ଉଲ୍ଲେଖ ନାହିଁ । ସ୍ୱାଧୀନତା ପରଠାରୁ ଆଜି ପର୍ଯ୍ୟନ୍ତ ଓଡ଼ିଶାର ୬ଟି ଜିଲ୍ଲାରେ ରେଳ ସେବା ପହଞ୍ଚି ପାରିନାହିଁ । ହେଲେ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ରିପୋର୍ଟରେ ସ୍ଥାନ ଦିଆଯାଇନାହିଁ । ଓଡ଼ିଶାରେ ମୋବାଇଲ ଓ ଇଣ୍ଟରନେଟ୍‍ ସେବା ଦୁର୍ଗମଞ୍ଚଅଞ୍ଚଳମାନଙ୍କରେ ଏବେ ବି ଅପହଞ୍ଚ । କିନ୍ତୁ ଏହି ରିପୋର୍ଟରେ ୨୦୧୯ରେ ଇଣ୍ଟରନେଟ୍‍ ସଂଯୋଗକୁ ୧୨୩ ପ୍ରତିଶତ ନମ୍ବର ଦିଆଯାଇ ଥିବାବେଳେ ୨୦୨୦ରେ ଅତି ଆକସ୍ମିକ ଭାବରେ ୪୪ ପ୍ରତିଶତକୁ ଖସାଇ ଦିଆଯାଇଛି ବୋଲି ବିଜେଡିର ରାଷ୍ଟ୍ରୀୟ ପ୍ରବକ୍ତା କହିଛନ୍ତି ।