Home Culture ଏସ୍‌ସିଏସ୍‌ଟିଆର୍‌ଟିଆଇର ଏକାଡେମିକ ଭବନ ଉଦ୍‌ଘାଟିତ

ଏସ୍‌ସିଏସ୍‌ଟିଆର୍‌ଟିଆଇର ଏକାଡେମିକ ଭବନ ଉଦ୍‌ଘାଟିତ

ଭୁବନେଶ୍ୱର : ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ନୂତନ ଏକାଡେମିକ୍‌ ଉଇଙ୍ଗ ଆଜି ସନ୍ଧ୍ୟାରେ ବାରିପଦା ସ୍ୱୟଂଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ପଦ୍ମଶ୍ରୀ ଡ. ଦମୟନ୍ତୀ ବେଶ୍ରାଙ୍କ ଦ୍ୱାରା ଶୁଭ ଉଦ୍‌ଘାଟିତ ହୋଇଯାଇଛି ।

୧୯୫୨ ମସିହାରେ ପ୍ରତିଷ୍ଠିତ ଏହି ଅନୁଷ୍ଠାନ ଭୁବନେଶ୍ୱର ସହରର କେନ୍ଦ୍ରସ୍ଥଳରେ ୧୨ ଏକର ପରିମିତ ଜାଗାରେ ଅବସ୍ଥିତ । ଜନଜାତି ଗବେଷଣାର ଉତ୍କର୍ଷର ଏକ ନମୁନା ଭାବରେ ପରିଚିତ ଏସ୍‌ସିଏସ୍‌ଟିଆର୍‌ଟିଆଇକୁ ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ଜନଜାତି ଗବେଷଣା ପ୍ରତିଷ୍ଠାନର ନୋଡାଲ ଗବେଷଣା ପ୍ରତିଷ୍ଠାନ ଭାବେ ୨୦୦୯ ମସିହାରେ ମାନ୍ୟତା ପ୍ରଦାନ କରାଯାଇଛି ।

ଏଥି ସହିତ ୨୦୧୫ ମସିହାରେ କେନ୍ଦ୍ର ଆଦିବାସୀ ମନ୍ତ୍ରାଳୟ ଦ୍ୱାରା ଏହି ଅନୁଷ୍ଠାନ ଜାତୀୟ ସମ୍ବଳ କେନ୍ଦ୍ରର ମର୍ଯ୍ୟାଦା ଅର୍ଜନ କରିଥିଲା । ଜନଜାତି ଗବେଷଣାରେ ଅଗ୍ରଣୀ ଏହି ଅନୁଷ୍ଠାନକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ଗବେଷକ-ଗବେଷିକାମାନେ ଗବେଷଣା ସନ୍ଦର୍ଭରେ ଗସ୍ତ କରିଥାନ୍ତି ଓ ପ୍ରାୟ ୨୫ ହଜାରରୁ ଊଦ୍ଧ୍ୱର୍ ଜନଜାତି ସମ୍ବନ୍ଧୀୟ ପୁସ୍ତକରେ ସମୃଦ୍ଧ ଅତ୍ୟାଧୁନିକ ଗ୍ରନ୍ଥାଗାରର ଉପଯୋଗ କରିଥାନ୍ତି ।

ଏହି ଅନୁଷ୍ଠାନଟି ଜନଜାତି ସମାଜ, ସଂସ୍କୃତି, ପରମ୍ପରା, ଜ୍ଞାନକୌଶଳ ଇତ୍ୟାଦି ଉପରେ ଗବେଷଣା କରିବା ସହିତ ସରକାରଙ୍କ ପଲିସି ନିର୍ଦ୍ଧାରଣ ଓ ତାଲିମ କାର୍ଯ୍ୟକ୍ରମ ପାଇଁ ଗବେଷଣା ନିସୃତ ତଥ୍ୟ ଆଦି ପ୍ରଦାନ କରିଥାଏ । ଏସ୍‌ସିଏସ୍‌ଟିଆର୍‌ଟିଆଇ କ୍ୟାମ୍ପସ୍‌ ମଧ୍ୟରେ ପ୍ରତିଷ୍ଠିତ ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟ ଏକ ବିଶ୍ୱସ୍ତରୀୟ ସଂଗ୍ରହାଳୟ ଭାବରେ ଦେଶବିଦେଶରେ ଖ୍ୟାତି ଅର୍ଜନ କରିଛି । ସ୍ୱଦେଶୀ ତଥା ଅତ୍ୟାଧୁନିକ କାରିଗରୀ ଓ ଜ୍ଞାନକୌଶଳରେ ନିର୍ମିତ ଏହି ସଂଗ୍ରହାଳୟରେ ଆଦିବାସୀ ପରମ୍ପରା ସହିତ ନିଜକୁ ନିମଜ୍ଜିତ କରିପାରିବାର ଅନୁଭୂତି ପାଇବାର ପର୍ଯ୍ୟାପ୍ତ ବ୍ୟବସ୍ଥା ରହିଛି । ଏହି ସଂଗ୍ରହାଳୟ ସହିତ ଓଡ଼ିଶାର ଆଦିମ ଜନଜାତି (ପିଭିଟିଜି)ଙ୍କ ଉପରେ ଅନ୍ୟ ଏକ ସଂଗ୍ରହାଳୟ ମଧ୍ୟ ରହିଛି ।

ଆଜି ଉଦ୍‌ଘାଟିତ ହୋଇଥିବା ଏହି ୨୮ ହଜାର ବର୍ଗଫୁଟ ପରିମିତ ତି୍ରତଳ ଏକାଡେମିକ୍‌ ଉଇଙ୍ଗର ଡିଜାଇନ୍‌ଟି ଜନଜାତି ସଂସ୍କୃତିର ଝଲକରେ ପରିପୁଷ୍ଟ । ଅତ୍ୟାଧୁନିକ ବ୍ୟବସ୍ଥା ଥିବା ଏହି ବିଲଡିଂରେ ୧୦୦ ଜଣ ବସିବା ଭଳି ସମ୍ମିଳନୀ କକ୍ଷ, ଭିନ୍ନକ୍ଷମମାନଙ୍କ ପାଇଁ ସୁବିଧା ସହିତ ଅନ୍ୟାନ୍ୟ ଆବଶ୍ୟକୀୟ ସୁବିଧା ଉପଲବ୍ଧ । ଜନଜାତିଙ୍କର ଚିତ୍ରକଳା, ସ୍ୱାଧୀନତା ସଂଗ୍ରାମରେ ଅବଦାନ ଥିବା ଆଦିବାସୀ ନେତାମାନଙ୍କର ପ୍ରତିକୃତିରେ ସଜ୍ଜିତ ଏହି ବିଲଡିଂଟି ନିଜ ପାଇଁ ଏକ ସ୍ୱତନ୍ତ୍ର ପରିଚିତ ସୃଷ୍ଟି କରିପାରୁଛି ।

ଏହି ଏକାଡେମିକ୍‌ ଭବନ ପାଇଁ କେନ୍ଦ୍ର ସରକାରଙ୍କ ଜନଜାତି ମନ୍ତ୍ରାଳୟ ଓ ଓଡ଼ିଶା ସରକାର ପାଣ୍ଠି ଯୋଗାଇ ଦେଇଛନ୍ତି । ଏହି ବିଲଡିଂର ଶୁଭ ଉଦ୍‌ଘାଟନ ଅବସରରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସଂପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ରଞ୍ଜନା ଚୋପ୍ରା, ବିଭାଗୀୟ ନିର୍ଦ୍ଦେଶକ ଗୁହା ପୁନମ ତାପସ କୁମାର, ଏସ୍‌ସିଏସ୍‌ଟିଆର୍‌ଟିଆଇର ନିର୍ଦ୍ଦେଶକ ତଥା ସ୍ୱତନ୍ତ୍ର ଶାସନ ସଚିବ ପ୍ରଫେସର (ଡ.) ଅଖିଳ ବିହାରୀ ଓତା, ଆଦିବାସୀ ଉନ୍ନୟନ ସମବାୟ ନିଗମର ପରିଚାଳନା ନିର୍ଦ୍ଦେଶକ ମାନସୀ ନିମ୍ଭାଲ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।