Home Health ଏମ୍‍ସରେ ନିୟମିତ ନିର୍ଦ୍ଦେଶକ କେବେ?

ଏମ୍‍ସରେ ନିୟମିତ ନିର୍ଦ୍ଦେଶକ କେବେ?

ଭୁବନେଶ୍ୱର : ଭୁବନେଶ୍ୱରରେ ଥିବା କେନ୍ଦ୍ର ସରକାରଙ୍କ ଅଖିଳ ଭାରତ ଆର‌୍ୟୁବିଜ୍ଞାନ ପ୍ରତିଷ୍ଠା (ଏମ୍‍ସ)ର ନିୟମିତ ନିର୍ଦ୍ଦେଶକ ପଦବୀ ୩ ମାସ ଧରି ଖାଲି ପଡିଛି । କାମ ଚଳାଇବା ପାଇଁ ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଜିଲ୍ଲାରେ ଥିବା ମଙ୍ଗଳାଗିରି ଏମ୍‍ସର ନିର୍ଦ୍ଦେଶକ ଡଃ ମୁକେଶ ତ୍ରିପାଠୀଙ୍କୁ ଅସ୍ଥାୟୀ ଭାବେ ଭୁବନେଶ୍ୱର ଏମ୍‍ସର ନିର୍ଦ୍ଦେଶକ ଦାୟିତ୍ୱରେ ରଖାଯାଇଛି ।

ଡଃ ଅଶୋକ କୁମାର ମହାପାତ୍ର ଭୁବନେଶ୍ୱର ଏମ୍‍ସର ପ୍ରଥମ ନିର୍ଦ୍ଦେଶକ ଥିଲେ । କାର୍ଯ୍ୟକାଳ ସରିବା ପରେ ତାଙ୍କୁ ଦିଲ୍ଲୀ ଏମ୍‍ସକୁ ଫେରାଇ ନିଆଯାଇଥିଲା । ଡଃ ମହାପାତ୍ରଙ୍କ ସ୍ଥାନରେ ପ୍ରଫେସର ଗୀତାଞ୍ଜଳି ବାଟମାନବେନ୍‍ ଭୁବନେଶ୍ୱର ଏମ୍‍ସର ନିୟମିତ ନିର୍ଦ୍ଦେଶକ ପଦବୀରେ ପ୍ରାୟ ୫ବର୍ଷ ଧରି କାର୍ଯ୍ୟ କରିଥିଲେ । ଗୀତାଞ୍ଜଳିଙ୍କ କାର୍ଯ୍ୟକାଳ ୨୦୨୧ ଡିସେମ୍ବର ମାସରେ ଶେଷ ହେବା ପୂର୍ବରୁ ନୂଆ ନିର୍ଦ୍ଦେଶକ ଚୟନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା ।

ଗୀତାଞ୍ଜଳିଙ୍କ କାର୍ଯ୍ୟକାଳ ସମୟରେ ଭୁବନେଶ୍ୱର ଏମ୍‍ସରେ ଅନେକ ଉନ୍ନତି ହୋଇଥିବାରୁ ତାଙ୍କୁ ଆଉଥରେ ନିର୍ଦ୍ଦେଶକ ପଦବୀ ମିଳିବ ବୋଲି ଆଶା କରାଯାଉଥିଲା । ଗୀତାଞ୍ଜଳିଙ୍କ ସମେତ ଆଉ କେତେଜଣ ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରୁ କିଛି ଯୋଗ୍ୟ ପ୍ରାର୍ଥୀଙ୍କୁ ଚୟନ କରାଯାଇ ଏକ ପ୍ୟାନେଲ ପ୍ରସ୍ତୁତ କରାଯାଇଥିଲେ ମଧ୍ୟ ୪/୫ ମାସ ଧରି ଏହା ଉପରେ ସରକାରୀ ସ୍ତରରେ ଦିଲ୍ଲୀରେ କିଛି ନିଷ୍ପତ୍ତି ନିଆଯାଇପାରି ନଥିବାରୁ ଗୀତାଞ୍ଜଳିଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ମଙ୍ଗଳାଗିରିର ଏମ୍‍ସ ନିର୍ଦ୍ଦେଶକ ଡଃ ତ୍ରିପାଠୀଙ୍କୁ ଭୁବନେଶ୍ୱର ଏମ୍‍ସ ନିର୍ଦ୍ଦେଶକ ପଦବୀର ଅତିରିକ୍ତ ଦାୟିତ୍ୱରେ ରଖାଯାଇଥିଲା ଏବଂ ୨୦୨୧ ଡିସେମ୍ବର ଶେଷ ଭାଗରୁ ଡଃ ତ୍ରିପାଠୀ ଏହି ଦାୟିତ୍ୱ ମଧ୍ୟ ଗ୍ରହଣ କରିଛନ୍ତି । ତେବେ ତାଙ୍କ ମୂଳ କାର୍ଯ୍ୟକ୍ଷେତ୍ର ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଜିଲ୍ଲାରେ ଥିବାବେଳେ ଅତିରିକ୍ତ କାର୍ଯ୍ୟକ୍ଷେତ୍ର ଭୁବନେଶ୍ୱରରେ ରହୁଥିବାରୁ ସେ ଅଧିକ ସମୟ ମଙ୍ଗଳାଗିରିରେ ଦେଉଛନ୍ତି ।

ଭୁବନେଶ୍ୱର ଏମ୍‍ସରେ ବିଭିନ୍ନ ପାହ୍ୟାରେ ଏକ ତୃତୀୟାଂଶରୁ ଅଧିକ ପଦବୀ ଖାଲି ପଡିଛି । ଅଧିକାଂଶ ବିଭାଗରେ ନିୟମିତ ପ୍ରଫେସର ନାହାନ୍ତି । ଏଥିଯୋଗୁଁ ଡାକ୍ତରୀ ପାଠପଢ଼ା ସହିତ ଗବେଷଣା ଓ ରୋଗୀ ଚିକିତ୍ସା କାମ ଗୁରୁତର ଭାବେ ବ୍ୟାହତ ହେଉଛି । ଭୁବନେଶ୍ୱର ଏମ୍‍ସ ଉପରେ ଓଡ଼ିଶା ସମେତ ଆନ୍ଧ୍ର, ପଶ୍ଚିମବଙ୍ଗ, ଝାଡଖଣ୍ଡ, ଛତିଶଗଡ ଆଦି ରାଜ୍ୟର ଗୁରୁତର ରୋଗୀମାନେ ନିର୍ଭର କରୁଛନ୍ତି ।

ଏ ପରିପ୍ରେକ୍ଷୀରେ ରୋଗୀ ସଂଖ୍ୟାକୁ ଆଖି ଆଗରେ ରଖି ଖାଲି ଥିବା ସମସ୍ତ ଡାକ୍ତରୀ ଶିକ୍ଷକ, ଡାକ୍ତର ଓ ଅଣଡାକ୍ତର ପଦବୀଗୁଡିକ ପୂରଣ କରିବା ସଂଗେ ସଂଗେ କାମର ଚାପା ଓ ରୋଗୀଙ୍କ ସଂଖ୍ୟା ଦୃଷ୍ଟିରୁ ଅଧିକ ପଦବୀ ଓ ଅଧିକ ବିଭାଗ ଭୁବନେଶ୍ୱର ଏମ୍‍ସରେ ଖୋଲିବା ପାଇଁ ବାରମ୍ବାର ବିଭିନ୍ନ ମହଲରୁ ଦାବି ଉଠୁଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇପାରୁ ନାହିଁ ।

ଭୁବନେଶ୍ୱର ଏମ୍‍ସ ସେତେବେଳର ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ମାନସ ସନ୍ତାନ ଥିଲା । ଚିକିତ୍ସା କ୍ଷେତ୍ରରେ ଏହି ଅନୁଷ୍ଠାନର ମଧ୍ୟ ବେଶ୍‍ ସୁନାମ ରହିଛି । ତେବେ ଏଠାରେ ବହୁ ଗୁରୁତ୍ୱପୂର୍ଣ୍ଣ ପଦବୀ ବର୍ଷ ବର୍ଷ ଧରି ଖାଲି ରଖାଯିବା ଯୋଗୁଁ ପରିସ୍ଥିତି ଜଟିଳ ହେଉଛି । ଏ ପରିପ୍ରେକ୍ଷୀରେ ନିୟମିତ ଅଧ୍ୟକ୍ଷ ପଦବୀ ପ୍ରାୟ ୩ ମାସ ଧରି ଖାଲି ରଖି ଅନ୍ୟ ଏକ ରାଜ୍ୟର ଏମ୍‍ସ ନିର୍ଦ୍ଦେଶକଙ୍କୁ ଭୁବନେଶ୍ୱର ଏମ୍‍ସର ଅତିରିକ୍ତ ଦାୟିତ୍ୱରେ ରଖାଯିବାକୁ ଲୋକେ ପସନ୍ଦ କରୁନାହାନ୍ତି ।

ଭୁବନେଶ୍ୱର ଏମ୍‍ସର ବାଲେଶ୍ୱର କ୍ୟାମ୍ପସ କାର୍ଯ୍ୟକ୍ଷମ ହୋଇପାରୁ ନାହିଁ । ଅନ୍ୟପକ୍ଷରେ ସୁନ୍ଦରଗଡରେ ଆଉ ଗୋଟିଏ ଏମ୍‍ସ ଖୋଲିବା ପାଇଁ ସରକାରୀ ଓ ବେସରକାରୀ ସ୍ତରରେ ଜୋରଦାର ଦାବି ଉଠୁଛି । ଓଡ଼ିଶାରେ ନୂଆ ଏମ୍‍ସ ଖୋଲିବା ତ ଦୂରର କଥା କାର୍ଯ୍ୟକ୍ଷମ ଥିବା ଏମ୍‍ସର ନିର୍ଦ୍ଦେଶକ ପଦବୀ ପ୍ରାୟ ୩ ମାସ ଧରି ଖାଲି ରଖାଯିବା ଓ ଅନ୍ୟ ବହୁ ଗୁରୁତ୍ୱପୂର୍ଣ୍ଣ ଡାକ୍ତରୀ ଶିକ୍ଷକ ଓ ଅଣଶିକ୍ଷକ ପଦବୀ ବର୍ଷ ବର୍ଷ ଧରି ପୂରଣ କରାନଯିବା ଘଟଣାରୁ କର୍ତ୍ତୃପକ୍ଷ ଭୁବନେଶ୍ୱର ଏମ୍‍ସକୁ ଯେତେ ଗୁରୁତ୍ୱ ଦେବା କଥା ତାହା ଦେଉନାହାନ୍ତି ବୋଲି ବିଭିନ୍ନ ମହଲରୁ ବାରମ୍ବାର ଅଭିଯୋଗ ଉଠୁଛି । (ତଥ୍ୟ)