Home Finance ଏମ୍‍ଏସ୍‍ଏମ୍‍ଇ ପାଇଁ ବଢୁଛି ଋଣ ପରିମାଣ

ଏମ୍‍ଏସ୍‍ଏମ୍‍ଇ ପାଇଁ ବଢୁଛି ଋଣ ପରିମାଣ

ଭୁବନେଶ୍ୱର : ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‍ଏସଏମ୍‍ଇ) କ୍ଷେତ୍ରକୁ ଋଣ ପରିମାଣ ବୃଦ୍ଧି ପାଉଥିବାବେଳେ ମହାମାରୀ ସମୟରେ ଆହୁରି ଅଧିକ ଅର୍ଥ ମିଳିବ ବୋଲି ଆଶା କରାଯାଉଛି । ବିଭିନ୍ନ କ୍ଷେତ୍ରକୁ ଋଣ ପ୍ରଦାନ ନେଇ ବ୍ୟାଙ୍କଗୁଡିକ ପକ୍ଷରୁ ହୋଇଥିବା ସମୀକ୍ଷାରୁ ଜଣାଯାଇଛି ଯେ ଏମ୍‍ଏସ୍‍ଏମ୍‍ଇ କ୍ଷେତ୍ର ସବୁଠାରୁ ଅଧିକ ଲାଭବାନ ହୋଇଛି ।

ତଦନୁଯାୟୀ ବ୍ୟାଙ୍କ୍‍ଗୁଡିକ ଏହି କ୍ଷେତ୍ରକୁ ଅଧିକ ପରିମାଣରେ ଋଣ ଯୋଗାଣ ପାଇଁ କୁହାଯାଇଛି । ଏମ୍‍ଏସ୍‍ଏମଇ କ୍ଷେତ୍ରକୁ ଋଣ ପ୍ରଦାନ ପରିମାଣ ବୃଦ୍ଧି ପାଉଥିବାବେଳେ ଗତ ତିନିବର୍ଷ ଧରି ଏହାର ସଫଳତା ଶତ ପ୍ରତିଶତ ଉପରେ ରହିଛି । ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସହିତ ଏମଏସ୍‍ଏମଇ କ୍ଷେତ୍ରର କର୍ମଚାରୀଙ୍କ ସକରାତ୍ମକ ପଦକ୍ଷେପ ଯୋଗୁଁ ବ୍ୟାଙ୍କଗୁଡିକ ଏ କ୍ଷେତ୍ରରେ ଆଗ୍ରହ ପ୍ରକାଶ କରୁଛନ୍ତି ।

୨୦୨୦-୨୧ ବର୍ଷରେ ଧାର୍ଯ୍ୟ ଲକ୍ଷ୍ୟ ଠାରୁ ୧୨୮ ପ୍ରତିଶତ ଅଧିକ ଋଣ ଏମଏସ୍‍ଏମଇ କ୍ଷେତ୍ରକୁ ଦିଆଯାଇଛି । ୨୦୨୧ ମାର୍ଚ୍ଚ ୩୧ ସୁଦ୍ଧା ଏହି କ୍ଷେତ୍ରକୁ ୩୦,୪୫୭.୯୯ କୋଟି ଋଣ ଯୋଗାଣର ଲକ୍ଷ୍ୟ ଥିବାବେଳେ ଦିଆଯାଇଥିଲା ୩୮,୮୯୧.୩୭ କୋଟି ଟଙ୍କା । ସେହିଭଳି ମାର୍ଚ୍ଚ ୩୧, ୨୦୨୦ ସୁଦ୍ଧା ଏହି କ୍ଷେତ୍ରକୁ ୩୪,୨୯୮.୭୬ କୋଟି ଟଙ୍କାର ଋଣ ଯୋଗାଣ ହୋଇଥିଲା ଯାହା ଧାର୍ଯ୍ୟ ଲକ୍ଷ୍ୟର ୧୮୦.୩୨ ପ୍ରତିଶତ ଅଧିକ ଥିଲା । ସେହିବର୍ଷ ମାତ୍ର ୧୯,୦୨୧.୨୭ କୋଟି ଋଣ ଯୋଗାଣର ଲକ୍ଷ୍ୟ ଥିଲା ।

ବ୍ୟବସାୟିକ ବ୍ୟାଙ୍କମାନଙ୍କୁ ଅଧିକ କୃଷି ଋଣ ଯୋଗାଣ ପାଇଁ କୁହାଯାଉଛି । କାରଣ ଏ କ୍ଷେତ୍ରରେ ସେମାନଙ୍କ ପ୍ରଦର୍ଶନ ସେତେଟା ଭଲ ନୁହେଁ । ଅଧିକାରୀମାନେ ଦର୍ଶାଇଛନ୍ତି ଯେ ରାଜ୍ୟରେ ଯେତେ ଶସ୍ୟ ଋଣ ଦିଆଯାଉଛି ତାହାର ମାତ୍ର ୨୭.୪୯ ପ୍ରତିଶତ ବ୍ୟବସାୟିକ ବ୍ୟାଙ୍କ୍‍ମାନେ ଯୋଗାଉଛନ୍ତି । ଓଡିଶା ଗୋଟିଏ କୃଷି ପ୍ରଧାନ ରାଜ୍ୟ ହୋଇଥିବାରୁ ଏହି କ୍ଷେତ୍ରକୁ ଅଧିକ ଋଣ ଯୋଗାଣ ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି ।

ସୂଚନା ଅନୁଯାୟୀ ରାଜ୍ୟରେ ଦିଆଯାଉଥିବା ମୋଟ୍‍ କୃଷି ଋଣର ୪୭.୨୬ ବ୍ୟବସାୟିକ ବ୍ୟାଙ୍କ୍‍ମାନେ ଦେଉଥିବାବେଳେ ଶସ୍ୟ ଋଣ କ୍ଷେତ୍ରରେ ଏହା ୨୭.୪୬ ପ୍ରତିଶତ ରହିଛି । ତେବେ ସମବାୟ ବ୍ୟାଙ୍କ୍‍ଗୁଡିକ ଏ କ୍ଷେତ୍ରରେ ବହୁ ଆଗରେ ରହିଛନ୍ତି । ମୋଟ ଶସ୍ୟ ଋଣର ୬୪.୫୭ ପ୍ରତିଶତ ସମବାୟ ବ୍ୟାଙ୍କ୍‍ ଯୋଗାଇ ଏ କ୍ଷେତ୍ରରେ ସବୁଠାରୁ ଆଗରେ ରହିଛି । ୨୦୨୦-୨୧ ବର୍ଷରେ ଶସ୍ୟ ଋଣ ପାଇଁ ଧାର୍ଯ୍ୟ ଲକ୍ଷ୍ୟର ୮୨.୩୯ ପ୍ରତିଶତ ପୂରଣ ହୋଇଛି । ଏହି ବର୍ଷ ରାଜ୍ୟରେ ୨୯,୮୭୮.୯୪ କୋଟି ଟଙ୍କାର ଶସ୍ୟଋଣ ପାଇଁ ଲକ୍ଷ୍ୟ ଥିବାବେଳେ ଦିଆଯାଇଛି ୨୪,୬୧୭.୮୬ କୋଟି ଟଙ୍କା ।

୨୦୨୦-୨୧ ବର୍ଷରେ ମତ୍ସ୍ୟ କ୍ଷେତ୍ରକୁ ୧୦୮୮.୭୩ କୋଟି ଋଣ ଯୋଗାଣର ଲକ୍ଷ୍ୟ ଥିବାବେଳେ ଦିଆଯାଇଛି ମାତ୍ର ୪୬୦.୦୯ କୋଟି ଯାହା ଧାର୍ଯ୍ୟ ଲକ୍ଷ୍ୟର ୪୨.୪୫ ପ୍ରତିଶତ । ୨୦୨୦-୨୧ ବର୍ଷରେ ଦୁଗ୍ଧ କ୍ଷେତ୍ରରୁ ୧୭୬୭.୫୦ କୋଟି ଟଙ୍କାର ଋଣ ଯୋଗାଣ ଲକ୍ଷ୍ୟ ଥିବାବେଳେ ୨୦୨୧ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଦିଆଯାଇଥିଲା ମାତ୍ର ୬୨୮.୯୧ କୋଟି ଟଙ୍କା, ଯାହା ଧାର୍ଯ୍ୟ ଲକ୍ଷ୍ୟର ୩୫.୫୮ ପ୍ରତିଶତ । ଏହିସବୁ କ୍ଷେତ୍ରରେ ଆତ୍ମନିଯୁକ୍ତିର ଢେର ସୁଯୋଗ ରହିଥିବାବେଳେ ଓଡିଶା ସରକାର ବି ପ୍ରଥମ ରାଜ୍ୟ ଭାବେ ଚାଷୀଙ୍କ ଆୟ ଦୁଇଗୁଣ ବୃଦ୍ଧି କରିପାରିଛନ୍ତି । ତେଣୁ ଶସ୍ୟ ଋଣ, ମତ୍ସ୍ୟ ଓ ଦୁଗ୍ଧ କ୍ଷେତ୍ରକୁ ଅଧିକ ଋଣ ପ୍ରଦାନ ପାଇଁ ପରାମର୍ଶ ଦିଆଯାଇଛି । (ତଥ୍ୟ)