Home Health ଏମ୍‍ସରେ ଡାକ୍ତର ନିଯୁକ୍ତି କେବେ?

ଏମ୍‍ସରେ ଡାକ୍ତର ନିଯୁକ୍ତି କେବେ?

ଭୁବନେଶ୍ୱର : ଭୁବନେଶ୍ୱରରେ ଥିବା କେନ୍ଦ୍ର ସରକାରଙ୍କ ଅନ୍ୟତମ ଚିକିତ୍ସା ପ୍ରତିଷ୍ଠାନ ଏମ୍‍ସରେ ନିୟମିତ ନିର୍ଦ୍ଦେଶକ ସମେତ ପ୍ରାୟ ୧୦୦ ଡାକ୍ତର ପଦବୀ ଖାଲି ପଡିଛି । ଚିକିତ୍ସା, ଗବେଷଣା ଓ ଡାକ୍ତରୀ ପାଠପଢ଼ା ପାଇଁ ଭୁବନେଶ୍ୱର ଏମ୍‍ସ ଉପରେ ଯେଭଳି ଚାପ ବଢ଼ୁଛି ତାହାର ମୁକାବିଲା ଲାଗି ଆଉ ଅନ୍ୟୂନ ୩୦୦ ଡାକ୍ତର ଓ ଡାକ୍ତରୀ ଶିକ୍ଷକ ଏଠାରେ ନିଯୁକ୍ତ ହେବା କଥା । କିନ୍ତୁ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଏବଂ କାର୍ମିକ ମନ୍ତ୍ରାଳୟ ମଧ୍ୟରେ ସମନ୍ୱୟ ଅଭାବରୁ ଡାକ୍ତର ଅଭାବଜନିତ ସମସ୍ୟା ଦିନକୁ ଦିନ ଏଠାରେ ଉତ୍କଟତର ହେବାରେ ଲାଗିଛି ।

ଭୁବନେଶ୍ୱର ଏମ୍‍ସରେ ପର୍ଯ୍ୟାପ୍ତ ସଂଖ୍ୟକ ଡାକ୍ତର ନଥିବା ବେଳେ ବାଲେଶ୍ୱରସ୍ଥିତ ଏମ୍‍ସର ସାଟେଲାଇଟ କେନ୍ଦ୍ରରେ ୨ ମାସ ଭିତରେ ଚିକିତ୍ସା ସୁବିଧା ଉପଲବ୍ଧ ହେବ ବୋଲି କୁହାଯାଉଛି । ଏଥିଲାଗି ପ୍ରତି ସପ୍ତାହର ଶନିବାର ଓ ରବିବାରରେ ଭୁବନେଶ୍ୱର ଏମ୍‍ସର କିଛି ଡାକ୍ତର ଯାଇ ବାଲେଶ୍ୱରରେ ରୋଗୀ ଦେଖିବା ସହିତ ଆବଶ୍ୟକ ପରାମର୍ଶ ଦେବେ ବୋଲି ସୂଚନା ମିଳିଛି । ତେବେ ଅଧିକ ଡାକ୍ତର ପଦବୀରେ ନିଯୁକ୍ତି ନ ଦେଇ ଭୁବନେଶ୍ୱରରୁ ଡାକ୍ତରମାନଙ୍କୁ ସପ୍ତାହରେ ଦୁଇଦିନ ବାଲେଶ୍ୱରରେ ରହି କାମ କରାଇଲେ ଭୁବନେଶ୍ୱର ଏମ୍‍ସ ଉପରେ ରହିଥିବା ଚାପ ଢ଼େର ଅଧିକ ବଢ଼ିଯିବ ବୋଲି ଆଶଙ୍କା କରାଯାଉଛି ।

ବାଲେଶ୍ୱରସ୍ଥିତ ଏମ୍‍ସର ସାଟେଲାଇଟ କେନ୍ଦ୍ର ପାଇଁ ୨୪ଜଣ କନସଲଣ୍ଟାଣ୍ଟ ଡାକ୍ତରଙ୍କୁ ଠିକା ନିଯୁକ୍ତି ଦେବା ଲାଗି ପ୍ରସ୍ତାବ ରହିଛି । ଏହି ପ୍ରସ୍ତାବ ଏବେ କେନ୍ଦ୍ର ସରକାରଙ୍କ ବିଚାରାଧୀନ ଅଛି । ଯଦି କେନ୍ଦ୍ର ସରକାର ନିୟମିତ ଡାକ୍ତରୀ ଶିକ୍ଷକ ନିଯୁକ୍ତି ପରିବର୍ତ୍ତେ ଠିକାରେ କନସଲଣ୍ଟାଣ୍ଟ ନିଯୁକ୍ତି ଲାଗି ଅନୁମତି ଦିଅନ୍ତି ତେବେ ଦୁଇମାସ ଭିତରେ ଏହି ସାଟେଲାଇଟ କେନ୍ଦ୍ର କାର୍ଯ୍ୟକ୍ଷମ ହୋଇପାରିବ ।

ଭୁବନେଶ୍ୱର ଏମ୍‍ସରେ ଏବେ ଯେତିକି ବିଷୟ ରହିଛି ତାହା ପର୍ଯ୍ୟାପ୍ତ ନଥିବାରୁ ଡାକ୍ତରୀ ପାଠପଢ଼ା ତଥା ରୋଗୀଙ୍କ ଉତ୍ତମ ଚିକିତ୍ସା ଲାଗି ବାୟୋଟେକ୍ନୋଲୋଜି, ଇମ୍ୟୁନୋଜେନେଟିକ୍ସ ଆଦି ବିଭାଗ ଖୋଲିବାର ଆବଶ୍ୟକତା ରହିଛି ବୋଲି ଏମ୍‍ସର ଅନେକ ଡାକ୍ତର ସ୍ୱୀକାର କରୁଛନ୍ତି । ଭୁବନେଶ୍ୱର ଏମ୍‍ସରେ ଏବେ ରୋଗୀ ଚିକିତ୍ସା କ୍ଷେତ୍ରରେ ସିନିୟର ରେସିଡେଣ୍ଟ ଡାକ୍ତରମାନେ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି । ଅନେକ ବିଭାଗ ଲାଗି ପର୍ଯ୍ୟାପ୍ତ ସଂଖ୍ୟକ ସିନିୟର ରେସିଡେଣ୍ଟ ନାହାନ୍ତି । ଏହାସତ୍ତ୍ୱେ ବି ଏମ୍‍ସରେ ଡାକ୍ତରୀ ଶିକ୍ଷକମାନେ ସୀମିତ ସଂଖ୍ୟକ ଏସଆରଙ୍କ ସହଯୋଗରେ ଆଉଟ୍‍ଡୋର, ଏମରଜେନ୍ସିଠାରୁ ଆରମ୍ଭ କରି ଆଇସିୟୁ, ୱାର୍ଡ ଓ କ୍ୟାବିନ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନ ବୁଲି ରୋଗୀ ସେବା କରୁଛନ୍ତି ।

ଗୋଟିଏ ପଟେ ପର୍ଯ୍ୟାପ୍ତ ସଂଖ୍ୟକ ଡାକ୍ତରୀ ଶିକ୍ଷକ ଅଭାବ ଯୋଗୁଁ ଭୁବନେଶ୍ୱର ଏମ୍‍ସରେ କାର୍ଯ୍ୟରତ ଡାକ୍ତରମାନଙ୍କ ଉପରେ ଅଧ୍ୟାପନା, ଗବେଷଣା, ରୋଗୀ ସେବା ଓ ପ୍ରଶାସନିକ କାର୍ଯ୍ୟର ଚାପ ବଢ଼ୁଛି । ଅନ୍ୟପଟେ ଦୁର୍ବଳ ଭିତ୍ତିଭୂମି ସତ୍ତ୍ୱେ କେନ୍ଦ୍ର ସରକାର ଏହାର ବାଲେଶ୍ୱରସ୍ଥିତ ସାଟେଲାଇଟ ସେଣ୍ଟରକୁ କାର୍ଯ୍ୟକାରୀ କରିବା ପାଇଁ ଅଣ୍ଟା ଭିଡିଥିବା ବେଳେ ସୁନ୍ଦରଗଡ ଏମ୍‍ସ କେବେ ସଂପୂର୍ଣ୍ଣ ହେବ ସେଥିଘେନି ପ୍ରଶ୍ନବାଚୀ ରହିଛି । ଓଡ଼ିଶା ସରକାର ଇତିମଧ୍ୟରେ କଟକ ଶ୍ରୀରାମଚନ୍ଦ୍ରଭଞ୍ଜ ମେଡିକାଲ କଲେଜ ଓ ହସପିଟାଲର ରୂପାନ୍ତରଣ କରି ଏହାକୁ ଏମ୍‍ସ ପ୍ଲସ୍‍ରେ ପରିଣତ କରିବାର ଯୋଜନା ରଖିଛନ୍ତି । (ତଥ୍ୟ)