Home General ଏମ୍‍ସରେ ଆଧାର ବନ୍ଧକ

ଏମ୍‍ସରେ ଆଧାର ବନ୍ଧକ

ଭୁବନେଶ୍ୱର : ଭୁବନେଶ୍ୱର ଏମ୍‍ସ ଭିତରେ ଗୁରୁତର ରୋଗୀଙ୍କୁ ଷ୍ଟ୍ରେଚର କିମ୍ବା ହ୍ୱିଲ ଚେୟାର ନେବା ଦରକାର ପଡିଲେ ଆଧାର କାର୍ଡ ବନ୍ଧକ ରଖିବାକୁ ପଡୁଛି । ରୋଗୀଙ୍କ ବ୍ୟବହାର ପାଇଁ ନିଆଯାଇଥିବା ଷ୍ଟ୍ରେଚର ଓ ହ୍ୱିଲ ଚେୟାର ଫେରାଇବା ପରେ ବନ୍ଧା ପଡିଥିବା ଆଧାରକାର୍ଡ ଫେରସ୍ତ ମିଳୁଛି । ଆଧାରକାର୍ଡ ନଥିଲେ ଅନ୍ୟ ସାମଗ୍ରୀ ବନ୍ଧକ ରଖିବାକୁ ବାଧ୍ୟ କରାଯାଉଛି । ନହେଲେ ରୋଗୀଙ୍କୁ ନେବା-ଆଣିବା ପାଇଁ ଷ୍ଟ୍ରେଚର କି ହ୍ୱିଲ ଚେୟାର ମିଳୁନାହିଁ ।

ଗୁରୁତର ରୋଗୀମାନଙ୍କୁ ଏମ୍‍ସରେ ଜରୁରିକାଳୀନ ସେବା ବିଭାଗରେ ପ୍ରଥମେ ପଞ୍ଜିକରଣ ପାଇଁ ଭର୍ତ୍ତି କରାଯାଇଥାଏ । ଏଠାରେ ପଞ୍ଜିକରଣ କାର୍ଯ୍ୟ ସରିବା ପରେ ରୋଗୀଙ୍କୁ ନିର୍ଦ୍ଧାରିତ ଆଇସିୟୁ, ୱାର୍ଡ ଓ କ୍ୟାବିନ ଆଦିକୁ ପଠାଯାଇଥାଏ । ଜରୁରିକାଳୀନ ସେବା ବିଭାଗର ଷ୍ଟ୍ରେଚର କି ହ୍ୱିଲ ଚେୟାରରେ ସାଧାରଣତଃ ଅବଚେତନ ଅବସ୍ଥାରେ ଥିବା କିମ୍ବା ଚାଲିବା ପାଇଁ ଶକ୍ତିସାମର୍ଥ୍ୟ ହରାଇଥିବା ରୋଗୀଙ୍କୁ ନିଆଯାଇଥାଏ ।

ତେବେ ସେଠାରେ ଦାୟିତ୍ୱରେ ଥିବା କର୍ମଚାରୀ ଓ ସିକ୍ୟୁରିଟି ଗାର୍ଡମାନେ ଆଧାରକାର୍ଡ ବନ୍ଧା ନ ଦେଲେ ଛଟପଟ ହେଉଥିବା ରୋଗୀକୁ ଷ୍ଟ୍ରେଚର କିମ୍ବା ହ୍ୱିଲ ଚେୟାରରେ ଯିବାକୁ ଦେଉନାହାନ୍ତି । ଯେଉଁମାନଙ୍କ ପାଖରେ ଆଧାରକାର୍ଡ ନଥାଏ ସେମାନଙ୍କଠାରୁ ଅନ୍ୟ ବିକଳ୍ପ ସାମଗ୍ରୀ ବନ୍ଧକ ଭାବରେ ରଖାଯାଇଥାଏ ।

କେବଳ ସେତିକି ନୁହେଁ, ଏମ୍‍ସରୁ ଡିସଚାର୍ଜ ହେଉଥିବା ରୋଗୀଙ୍କୁ ଛାଡିବା ବେଳେ ସେମାନଙ୍କୁ ଯଦି ଷ୍ଟ୍ରେଚର କିମ୍ବା ହ୍ୱିଲ ଚେୟାରରେ ଆଣିବାକୁ ପଡେ ସେ କ୍ଷେତ୍ରରେ ବି ସଂପୃକ୍ତ ନର୍ସ ଓ ଅନ୍ୟ କର୍ମଚାରୀମାନେ ଆଧାରକାର୍ଡ କିମ୍ବା ଅନ୍ୟ ସାମଗ୍ରୀ ବନ୍ଧକ ରଖୁଛନ୍ତି । ରୋଗୀଙ୍କୁ ଗାଡିକୁ ଉଠାଇ ସାରିବା ପରେ ବହୁ ଦୂରରେ ଥିବା ସଂପୃକ୍ତ ୱାର୍ଡ କିମ୍ବା କ୍ୟାବିନ ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ଷ୍ଟ୍ରେଚର କି ହ୍ୱିଲ ଚେୟାର ନ ଫେରାଇବା ପର୍ଯ୍ୟନ୍ତ ବନ୍ଧକ ଥିବା ଆଧାରକାର୍ଡ ଫେରସ୍ତ ଦିଆଯାଉନାହିଁ ।

କେବଳ ଏମ୍‍ସ କାହିଁକି ଓଡ଼ିଶାର ସର୍ବବୃହତ ସରକାରୀ ଡାକ୍ତରଖାନା ଶ୍ରୀରାମଚନ୍ଦ୍ରଭଞ୍ଜ ମେଡିକାଲ କଲେଜର ଟ୍ରମା ୟୁନିଟ୍‍ରେ ଷ୍ଟ୍ରେଚର ଓ ହ୍ୱିଲ ଚେୟାର ବ୍ୟବହାର ପାଇଁ ରୋଗୀଙ୍କ ସଂପର୍କୀୟମାନେ ସେମାନଙ୍କ ମୋବାଇଲ ଫୋନ୍‍ ଦାୟିତ୍ୱରେ ଥିବା କର୍ମଚାରୀଙ୍କ ନିକଟରେ ବନ୍ଧା ରଖିବାକୁ ବାଧ୍ୟ ହେଉଛନ୍ତି । ଏହି ସମସ୍ୟା କ୍ରମଶଃ ରାଜ୍ୟରେ ଥିବା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରମୁଖ ଚିକିତ୍ସା କେନ୍ଦ୍ରଗୁଡିକୁ ସଂକ୍ରମିତ ହେବାରେ ଲାଗିଛି ।

ପୂର୍ବରୁ ସରକାରୀ ଡାକ୍ତରଖାନାଗୁଡିକରେ ସ୍ୱତନ୍ତ୍ର ଷ୍ଟ୍ରେଚର ବାହକ ରହୁଥିଲେ । ଏମାନେ ଷ୍ଟ୍ରେଚର କି ହ୍ୱିଲ ଚେୟାରରେ ରୋଗୀଙ୍କୁ ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚାଇ ପୁଣି ତାହା ଫେରାଇ ଆଣୁଥିଲେ । ଏବେ ଏମ୍‍ସ, ଏସସିବି ସମେତ ଅନ୍ୟ ପ୍ରମୁଖ ଡାକ୍ତରଖାନାଗୁଡିକରେ ଉତ୍କଟ କର୍ମଚାରୀ ସଂକଟ ଫଳରେ ସଂଖ୍ୟାଧିକ ସ୍ଥଳରେ ଗୁରୁତର ରୋଗୀଙ୍କୁ ସଂପର୍କୀୟମାନେ ହ୍ୱିଲ ଚେୟାର କି ଷ୍ଟ୍ରେଚରରେ ନେବାକୁ ବାଧ୍ୟ ହେଉଛନ୍ତି ।

ଏଥିଯୋଗୁଁ କେତେକ କ୍ଷେତ୍ରରେ ଅଘଟଣ ବି ଘଟୁଛି । ହ୍ୱିଲ ଚେୟାର ଓ ଷ୍ଟ୍ରେଚରରେ ରୋଗୀ ନେବା-ଆଣିବା ପାଇଁ ସ୍ୱତନ୍ତ୍ର ତାଲିମପ୍ରାପ୍ତ ବ୍ୟକ୍ତିଙ୍କର ଆବଶ୍ୟକତା ଥିବାବେଳେ ଅନଭିଜ୍ଞ ରୋଗୀ ସଂପର୍କୀୟଙ୍କ ଦ୍ୱାରା ସେମାନଙ୍କୁ ନେବା-ଆଣିବା କରିବା ବିପଦଜନକ ବୋଲି ଅଭିଜ୍ଞ ଚିକିତ୍ସକମାନେ ସ୍ୱୀକାର କରୁଛନ୍ତି । ଏହାଦ୍ୱାରା ବିନା ବନ୍ଧକରେ ଷ୍ଟ୍ରେଚର, ହ୍ୱିଲ ଚେୟାର ଆଦି ଦିଆଗଲେ ବହୁ କ୍ଷେତ୍ରରେ ବ୍ୟବହାର ପରେ ସେଗୁଡିକୁ ବ୍ୟକ୍ତିବିଶେଷ ଅନ୍ୟତ୍ର ଛାଡି ପଳାଉଥିବାରୁ ଷ୍ଟ୍ରେଚର ଓ ହ୍ୱିଲ ଚେୟାରର ୱାର୍ଡୱାରି ହିସାବ ରଖିବାରେ ଅସୁବିଧା ଉପୁଜୁଛି ।

ଏଥିପାଇଁ ଆଧାରକାର୍ଡ, ମୋବାଇଲ ଆଦି ବନ୍ଧକ ରଖିଲେ ଗୁରୁତର ରୋଗୀଙ୍କ ସଂପର୍କୀୟମାନେ ହଇରାଣ ହୁଅନ୍ତୁ ପଛେ ତାହା ତୁରନ୍ତ ଫେରାଇବାକୁ ବାଧ୍ୟ ହେଉଛନ୍ତି ବୋଲି ଦାୟିତ୍ୱରେ ଥିବା କର୍ମଚାରୀମାନେ କହୁଛନ୍ତି ।