Home News in Odia ଏପ୍ରିଲ୍‍ ୧୭ରେ ପିପିଲି ଭୋଟ୍‍

ଏପ୍ରିଲ୍‍ ୧୭ରେ ପିପିଲି ଭୋଟ୍‍

ଭୁବନେଶ୍ୱର : ପିପିଲି ବିଧାନସଭା ଆସନ ଲାଗି ଉପନିର୍ବାଚନ ଆସନ୍ତା ଏପ୍ରିଲ୍‍ ୧୭ ତାରିଖରେ ହେବ । ଏଥିଲାଗି ନିର୍ବାଚନ କମିଶନ ବିଧିବଦ୍ଧ ଭାବେ ଚଳିତମାସ ୨୩ ତାରିଖରେ ବିଜ୍ଞପ୍ତି ଜାରି କରିବେ । ଘୋଷିତ ସୂଚନା ଅନୁଯାୟୀ ବିଜ୍ଞପ୍ତି ଜାରି ପରଠାରୁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହେବ ଏବଂ ନାମାଙ୍କନ ଦାଖଲର ଶେଷଦିନ ମାର୍ଚ୍ଚ ୩୦ ତାରିଖକୁ ରଖାଯାଇଛି । ତେବେ ତନଖି ପରେ ଯେଉଁ ପ୍ରାର୍ଥୀମାନଙ୍କ ନାମ ରହିବ ସେମାନଙ୍କ ମଧ୍ୟରୁ କେହି ଚାହିଁଲେ ଏପ୍ରିଲ ୩ତାରିଖ ସୁଦ୍ଧା ନାମ ପ୍ରତ୍ୟାହାର କରିପାରିବେ ।

ଏପ୍ରିଲ ୧୭ତାରିଖରେ ମତଗ୍ରହଣ ହେବାକୁ ଥିବାବେଳେ ଭୋଟଗଣନା କିନ୍ତୁ ମଇ ଦୁଇ ତାରିଖରେ ହେବ । ନିର୍ବାଚନ ଘୋଷଣା ଦୃଷ୍ଟିରୁ ଆଦର୍ଶ ଆଚରଣ ବିଧି ଲାଗୁ ହେବାକୁ ଯାଉଛି । ଏଠାରେ ଉଲ୍ଲେଖନୀୟ ଯେ ପିପିଲିର ବିଧାୟକ ଥିବା ପ୍ରଦୀପ ମହାରଥୀଙ୍କ ଅକାଳ ବିୟୋଗ ହେବାରୁ ଏହି ଆସନଟି ଖାଲି ପଡିଛି ।

ତେବେ ଆଇନ୍‍ଗତ ବ୍ୟବସ୍ଥା ଅନୁଯାୟୀ ଆସନ ଖାଲି ହେବାର ୬ମାସ ମଧ୍ୟରେ ଉପନିର୍ବାଚନ ହେବାକଥା । କିନ୍ତୁ ସମୟ ଅତିକ୍ରାନ୍ତ ହୋଇସାରିଥିଲେ ମଧ୍ୟ ଉପନିର୍ବାଚନ ଲାଗି ଠିକଣା ସମୟରେ ବିଜ୍ଞପ୍ତି ପ୍ରକାଶ ପାଇନଥିବାରୁ ଏ ସଂକ୍ରାନ୍ତରେ ଇତି ମଧ୍ୟରେ ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଛି ।

ପୂର୍ବରୁ ରାଜ୍ୟ ମୁଖ୍ୟ ର୍ନିବାଚନ ଅଧିକାରୀ ସ୍ପଷ୍ଟ କରିଦେଇଥିଲେ ଯେ ପିପିଲି ଉପନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ଏବଂ କର୍ତ୍ତୃପକ୍ଷ ନିର୍ବାଚନ କରାଇବାପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛନ୍ତି । ୫ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବାବେଳେ ତାହା ସହିତ ପିପିଲି ଉପନିର୍ବାଚନ ଲାଗି ଘୋଷଣା ହେବବୋଲି ଆଶା କରାଯାଉଥିଲା । କିନ୍ତୁ ନିର୍ବାଚନ କମିଶନ ଏହି ରାଜ୍ୟଗୁଡିକ ପାଇଁ ବିଜ୍ଞପ୍ତି ଜାରି କରିବାପରେ ଓଡିଶା ସମେତ ଅନ୍ୟ ଯେଉଁସବୁ ରାଜ୍ୟରେ ଉପନିର୍ବାଚନ ଲାଗି ପ୍ରସ୍ତୁତି ସରିଛି ସେଠାରେ ନିର୍ବାଚନ ଲାଗି ଘୋଷଣା କରିଛନ୍ତି ।

୨୦୧୯ ବିଧାନସଭା ନିର୍ବାଚନରେ ପଞ୍ଚମଥର ପାଇଁ ପ୍ରଦୀପ ମହାରଥୀ ପିପିଲି ଆସନରୁ ନିର୍ବାଚିତ ହୋଇଥିଲେ । ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପିର ଆଶ୍ରିତ ପଟ୍ଟନାୟକଙ୍କ ଠାରୁ ସେ ପ୍ରାୟ ୧୪ହଜାର ଅଧିକ ଭୋଟ ପାଇ ଜିଣିଥିବାବେଳେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ ଢେର କମ୍‍ ଭୋଟ ପାଇଥିଲେ ।
ପିପିଲି ଉପନିର୍ବାଚନ ପାଇଁ ବେଶ୍‍ କିଛିଦିନ ଧରି ବିଜେଡି, ବିଜେପି ଓ କଂଗ୍ରେସ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି ଏବଂ ବିଭିନ୍ନ ଦଳର ଆଶାୟୀ ପ୍ରାର୍ଥୀମାନେ ଟିକଟ ପାଇଁ ଲବି ଚଳାଇବା ସହିତ ନିର୍ବାଚନମଣ୍ଡଳୀରେ ମଧ୍ୟ ଜନସମ୍ପର୍କ ଅଭିଯାନ ଜାରି ରଖିଛନ୍ତି । ମହାରଥୀଙ୍କ ପତ୍ନୀ, ପୁତ୍ର କିମ୍ବା କନ୍ୟାଙ୍କ ମଧ୍ୟରୁ କେହି ବିଜେଡି ଟିକଟ ପାଇପାରନ୍ତି । ଏମାନଙ୍କ ଛଡା ଦଳର ଆଉ କେତେଜଣ ଦାବିଦାର ମଧ୍ୟ ଅଛନ୍ତି ।

ସେହିପରି ପିପିଲି ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ଜିଲ୍ଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକ ଏଥର ପୁଣି ବିଜେପି ପ୍ରାର୍ଥୀ ହେବାର ସମ୍ଭାବନା ଅଧିକ । ତାଙ୍କ ଛଡା ବି ନିର୍ବାଚନମଣ୍ଡଳୀ ଭିତର ଓ ବାହାରର ଆଉ କେତେଜଣ ଆଶାୟୀ ଏଠାରୁ ବିଜେପି ଟିକଟରେ ଲଢିବାକୁ ଚାହୁଁଛନ୍ତି । ଜିଲ୍ଲା କଂଗ୍ରେସ ସଭାପତି ଥିବା ଅଜିତ ମଙ୍ଗରାଜ ଓ ପ୍ରଦେଶ କଂଗ୍ରେସ କମିଟିର ଅନ୍ୟତମ ମୁଖପାତ୍ର ନିଶିକାନ୍ତ ମିଶ୍ର ଭିତରୁ କେହିଜଣେ ପ୍ରାର୍ଥୀ ହୋଇପାରନ୍ତି ବୋଲି ଆଲୋଚନା ଚାଲିଥିବାବେଳେ କଂଗ୍ରେସ ବି ଏଠାରୁ ମହିଳା କାର୍ଡ ଖେଳିବାର ସମ୍ଭାବନା ରହିଛି ।