Home Finance ଏନ୍‍ପିଏ ବୋଝ ୧୩,୬୪୫ କୋଟି ଟପିଲାଣି

ଏନ୍‍ପିଏ ବୋଝ ୧୩,୬୪୫ କୋଟି ଟପିଲାଣି

ଭୁବନେଶ୍ୱର : ଠିକଣା ସମୟରେ ଋଣ ଆଦାୟ ହୋଇପାରୁନଥିବା ଯୋଗୁଁ ଓଡିଶାରେ ନନ୍ ପର୍ଫମିଂ ଆସେଟ୍ (ଏନ୍‍ପିଏ) ଉଦବେଗଜନକ ଭାବରେ ବୃଦ୍ଧି ପାଉଛି ଯାହା ବ୍ୟାଙ୍କମାନଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ବର୍ତ୍ତମାନ ସୁଦ୍ଧା ଏନ୍‍ପିଏ ପରିମାଣ ୧୩,୬୪୫ କୋଟିକୁ ଟପିବା ସହିତ କ୍ରମାଗତ ଭାବରେ ଏହା ବଢିବାରେ ଲାଗିଛି ।

୨୦୨୧ ମାର୍ଚ୍ଚ ଶେଷ ସୁଦ୍ଧା ଏନ୍‍ପିଏ ପରିମାଣ ୧୧,୩୩୯.୩୭ କୋଟି ଥିବାବେଳେ ଏହା ୧୩,୬୪୫.୧୭ କୋଟି ଟଙ୍କାକୁ ବୃଦ୍ଧି ପାଇଛି, ଯାହା ଦିଆଯାଇଥିବା ମୋଟ ଋଣର ୭.୨୦ ପ୍ରତିଶତ ଅଟେ । ଏହା ଅତ୍ୟନ୍ତ ଉଦ୍‍ବେଗଜନକ ସ୍ଥିତି ବୋଲି ଏସ୍‍ଏଲ୍‍ବିସିର ଜଣେ ବରିଷ୍ଠ ସଦସ୍ୟ ସୂଚୀତ କରିଛନ୍ତି । ବ୍ୟାଙ୍କଗୁଡିକ ଅଗ୍ରୀମ ଆକାରରେ ମୋଟ୍‍ ୧,୮୯,୪୦୪.୨୮ କୋଟି ଟଙ୍କା ପ୍ରଦାନ କରିଥିବାବେଳେ ଏନ୍‍ପିଏ ପରିମାଣ ୧୩,୬୪୫.୧୭ କୋଟି ଟଙ୍କାରେ ପହଞ୍ଚିଛି ।

ପ୍ରତ୍ୟେକ ତୈମାସିକରେ ଏନପିଏରେ ବୃଦ୍ଧି ଘଟୁଛି ଏବଂ ଋଣ ଆଦାୟ ପାଇଁ ପଦକ୍ଷେପ ଅଭାବରୁ ଏହି ବୃଦ୍ଧି ତ୍ୱରାନ୍ୱିତ ହୋଇଛି, ଯାହା ବ୍ୟାଙ୍କର୍ସଙ୍କ ପାଇଁ ଏକ ପ୍ରମୁଖ ଚିନ୍ତାର ବିଷୟ ବୋଲି ଅଧିକାରୀମାନେ ସ୍ୱୀକାର କରିଛନ୍ତି । ପ୍ରଧାନ ମନ୍ତ୍ରୀ ନିଯୁକ୍ତି ଗ୍ୟାରେଣ୍ଟି କାର୍ଯ୍ୟକ୍ରମ (ପିଏମ୍‍ଇଜିପି) ରେ ଏନ୍‍ପିଏ ସର୍ବାଧିକ ୨୧.୧୭ ପ୍ରତିଶତ ରହିଛି । ଏନ୍‍ପିଏ ସ୍ତର ୧୧.୧୦ ପ୍ରତିଶତରୁ ଅଧିକ ଥିବାରୁ କୃଷି ଋଣ ଯୋଗାଣ ବ୍ୟାଙ୍କମାନଙ୍କ ପାଇଁ ଏକ ଚିନ୍ତାର କାରଣ ହୋଇଛି ।

ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି) କୁ ବିସ୍ତାର କରିବାକୁ ରାଜ୍ୟ ସରକାର ଅଧିକରୁ ଅଧିକ ସହାୟତା କରୁଥିବାବେଳେ ଏନପିଏ ମାମଲା ସାମ୍ନାକୁ ଆସୁଛି । ୩୧ ଅଗଷ୍ଟ, ୨୦୨୧ ସୁଦ୍ଧା, ୧,୩୨୧ କୋଟି ଟଙ୍କାର ଋଣ ଏସଏଚଜିକୁ ଦିଆଯାଇଛି ଏବଂ ୮ ପ୍ରତିଶତରୁ ଅଧିକ ଏନ୍‍ପିଏରେ ପରିଣତ ହୋଇଛି । ନିକଟରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ବ୍ୟାଙ୍କର୍ସ କମିଟି (ଏସଏଲବିସି) ବୈଠକରେ ଏହି ପ୍ରସଙ୍ଗ ଉଠାଯାଇଥିଲା ଯେଉଁଥିରେ ପ୍ରମୁଖ ବ୍ୟାଙ୍କମାନେ ଏନପିଏ ବୃଦ୍ଧିକୁ ରୋକିବା ପାଇଁ ରାଜ୍ୟ ପ୍ରଶାସନର ସହଯୋଗ ଲୋଡିଥିଲେ ।

ବଢି ଚାଲିଥିବା ଏନପିଏକୁ ହ୍ରାସ କରିବା ପାଇଁ ଋଣ ପରିଶୋଧକୁ ଉତ୍ସାହିତ କରିବାକୁ ବ୍ୟାଙ୍କଗୁଡିକୁ ପରାମର୍ଶ ଦିଆଯାଇଛି ଏବଂ ଏ ବାବଦରେ ସହାୟତା କରିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଛି । ବ୍ୟାଙ୍କଗୁଡିକ ଦ୍ୱାରା ଜିଲ୍ଲା ପ୍ରଶାସନ ସହାୟତା ଲୋଡାଯାଇଥିବାବେଳେ ଏଥିପାଇଁ ଅନୁରୂପ ସହାୟତା ମିଳୁନାହିଁ । କାରଣ ଯେଉଁମାନେ ଋଣ ପରିଶୋଧ କରୁନାହାନ୍ତି ସେମାନଙ୍କ ସମ୍ପତ୍ତି ବାଜ୍ୟାପ୍ତ କରିବାପାଇଁ ବ୍ୟାଙ୍କ୍‍ କର୍ତ୍ତୃପକ୍ଷ ଯେତେବେଳେ ପଦକ୍ଷେପ ନିଅନ୍ତି ସେ ସମୟରେ ଜିଲ୍ଲା ପ୍ରଶାସନର ସହାୟତା ଆବଶ୍ୟକ ପଡିଥାଏ ।

ପିଏମଇଜିପି, ଏମ୍‍ୟୁଏଲଏମ୍‍, ଏନଆରଏଲଏମ୍‍, ଏସ୍‍ଏଚ୍‍ଜି, ଭଳି କାର୍ଯ୍ୟକ୍ରମଗୁଡିକରେ ଋଣ ପରିଶୋଧ ନକରିବା, ସମୟସୀମା ବୃଦ୍ଧି ହେତୁ ଏନ୍‍ପିଏ ବୃଦ୍ଧି ପାଉଛି । ଏନ୍‍ପିଏ ବୃଦ୍ଧି ପାଉଥିବାବେଳେ ଆଇନ୍‍ ଅନୁଯାୟୀ ଋଣ ଖିଲାପକାରୀଙ୍କ ସମ୍ପତ୍ତି ଜବତ ଲାଗି ବ୍ୟାଙ୍କଗୁଡିକ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ସହାୟତା ଆବଶ୍ୟକ କରୁଛନ୍ତି ।

ଏ ସଂକ୍ରାନ୍ତୀୟ ୬୩୦ ରୁ ଅଧିକ ଆବେଦନ ରାଜ୍ୟର ବିଭିନ୍ନ ଜିଲ୍ଲା ପ୍ରଶାସନ ନିକଟରେ ପଡିରହିଛି ଅଛି ବୋଲି ଅଧିକାରୀମାନେ ସ୍ୱୀକାର କରିଛନ୍ତି । ବ୍ୟବସାୟିକ ବ୍ୟାଙ୍କ୍‍ମାନଙ୍କ ପକ୍ଷରୁ କରାଯାଉଥିବା ଏ ସଂକ୍ରାନ୍ତୀୟ ଆବେଦନ ପ୍ରତି ଅନୁରୂପ ଦୃଷ୍ଟି ଦିଆଯାଉନଥିବା ଅଭିଯୋଗ ହେଉଛି । ସେହି ପରିପ୍ରେକ୍ଷୀରେ ଜିଲ୍ଲାପାଳମାନେ ଯେଭଳି ସକ୍ରିୟ ପଦକ୍ଷେପ ଗ୍ରହଣ କରିବେ ସେଥିପାଇଁ ବ୍ୟାଙ୍କ୍‍ମାନଙ୍କ ପକ୍ଷରୁ ଅନୁରୋଧ କରାଯାଇଛି । (ତଥ୍ୟ)