Home Finance ଏନ୍‍ପିଏ ବୋଝ ୧୩ହଜାର କୋଟି ଉପରେ

ଏନ୍‍ପିଏ ବୋଝ ୧୩ହଜାର କୋଟି ଉପରେ

ଭୁବନେଶ୍ୱର : ଠିକଣା ସମୟରେ ଋଣ ଅର୍ଥ ଆଦାୟ ହୋଇପାରୁନଥିବାରୁ ବ୍ୟାଙ୍କ୍‍ମାନଙ୍କ ମୁଣ୍ଡରେ ଏବେ ଏନ୍‍ପିଏ ବୋଝ ବଢି ବଢି ୧୩ହଜାର କୋଟି ଟଙ୍କାକୁ ଟପିଗଲାଣି । କୋଭିଡ ମହାମାରୀ ସମୟରେ ଏହି ବୋଝ ଆଶାତୀତ ଭାବେ ବୃଦ୍ଧି ପାଇଛି ଯାହାକି ବ୍ୟାଙ୍କ୍‍ଗୁଡିକ ପାଇଁ ବଡ ଚିନ୍ତାର କାରଣ ପାଲଟିଛି ।

ବିଗତ କିଛିବର୍ଷ ଧରି ବ୍ୟାଙ୍କ୍‍ମାନଙ୍କ ଉପରେ ଅନାଦେୟ ଋଣ ବୋଝ ବା ନନ୍‍ ପରଫର୍ମିଂ ଆସେଟ୍‍ସ (ଏନ୍‍ପିଏ) ବଢିବାରେ ଲାଗିଛି । ଋଣ ଆଦାୟ ହୋଇପାରୁ ନଥିବାରୁ ବ୍ୟାଙ୍କ୍‍ମାନେ ପାଣ୍ଠିକୁ ଠିକଣା ଭାବେ ବ୍ୟବହାର କରିପାରୁ ନାହାନ୍ତି ଓ ଏନ୍‍ପିଏ ବୋଝ ବଢି ବଢି ଚାଲିଛି । ୨୦୨୧ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ରାଜ୍ୟରେ ଏନ୍‍ପିଏ ପରିମାଣ ୧୧,୩୩୯ କୋଟି ଟଙ୍କା ଥିବାବେଳେ ସେପ୍ଟେମ୍ବର ୩୦ରେ ଏହା ୧୨,୮୫୨ କୋଟି ଏବଂ ଡିସେମ୍ବର ୩୧ତାରିଖ ସୁଦ୍ଧା ଏହି ପରିମାଣ ୧୩ହଜାର କୋଟି ଟଙ୍କାକୁ ଟପିଯାଇଛି ।

ବିଭିନ୍ନ ସରକାରୀ ଯୋଜନା ଯଥା ପିଏମ୍‍ଇଜିପି, ଏନ୍‍ୟୁଏଲଏମ୍‍, ଏସ୍‍ଏଚ୍‍ଜି ଆଦି କ୍ଷେତ୍ରରେ ଏନ୍‍ପିଏ ହାର ସର୍ବାଧିକ ରହିଛି ଏବଂ ବ୍ୟାଙ୍କ୍‍ମାନେ ଅର୍ଥ ଯୋଗାଣରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏନ୍‍ପିଏ ବୃଦ୍ଧି ବ୍ୟାଙ୍କ୍‍ମାନଙ୍କ ପାଇଁ ସମସ୍ୟା ଆଣୁଥିବାବେଳେ ନିକଟରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକରେ ଏ ସଂକ୍ରାନ୍ତରେ ଆଲୋଚନା ହୋଇଥିଲା । ବ୍ୟାଙ୍କ୍‍ଗୁଡିକୁ ଏଥିରୁ ମୁକଳାଇବାପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଥିଲା । ଏହା ଫଳରେ ବ୍ୟାଙ୍କ୍‍ମାନେ ଅନ୍ୟ କ୍ଷେତ୍ରକୁ ସହଜରେ ଋଣ ଯୋଗାଣ କରିପାରିବେ ବୋଲି କୁହାଯାଇଥିଲା ।

ବ୍ୟାଙ୍କ୍‍ଗୁଡିକ ରାଜ୍ୟରେ ୨.୪୩ ଲକ୍ଷ କୋଟି ଟଙ୍କାର ଋଣ ପ୍ରଦାନ କରିଥିବାବେଳେ ଅଗ୍ରାଧିକାର କ୍ଷେତ୍ରରୁ ଋଣ ଆଦାୟ ହୋଇନପାରିବା ଏନ୍‍ପିଏ ବୃଦ୍ଧିର ଅନ୍ୟତମ କାରଣ ପାଲଟିଛି । ଅଗ୍ରାଧିକାର କ୍ଷେତ୍ରକୁ ଦିଆଯାଇଥିବା ଋଣର ୧୦ ପ୍ରତିଶତ ଏନ୍‍ପିଏ ହୋଇଯିବା ବ୍ୟାଙ୍କ୍‍ଗୁଡିକ ପାଇଁ ଚିନ୍ତାର କାରଣ ହୋଇଛି । ପିଏମଇଜିପି କ୍ଷେତ୍ରରେ ଏନ୍‍ପିଏ ୧୮ ପ୍ରତିଶତ ଥିବାବେଳେ ଏନୟୁଏଲଏମ୍‍ କ୍ଷେତ୍ରରେ ଏହା ୧୧ ପ୍ରତିଶତରୁ ଅଧିକ ଏବଂ ଏସ୍‍ଏଚ୍‍ଜି କ୍ଷେତ୍ରରେ ଏହା ପାଖପାଖି ୯ ପ୍ରତିଶତ ରହିଛି । ରାଜ୍ୟ ସରକାର ଏସ୍‍ଏଚ୍‍ଜିଙ୍କୁ ଅଧିକରୁ ଅଧିକ ଋଣ ଦେବାପାଇଁ ଲକ୍ଷ୍ୟ ରଖିଥିବାବେଳେ ୨୦୨୧-୨୨ ବର୍ଷରେ ୨.୮ଲକ୍ଷ ମିଶନଶକ୍ତି ଗୋଷ୍ଠିଙ୍କୁ ୬୦୦୦ କୋଟି ଟଙ୍କାର ଋଣ ଯୋଗାଣ ପାଇଁ ଧାର୍ଯ୍ୟ କରିଛନ୍ତି ।

ବର୍ତ୍ତମାନ ପ୍ରତି ଏସ୍‍ଏଚ୍‍ଜିକୁ ହାରାହାରି ୨.୧୪ଲକ୍ଷ ଟଙ୍କାର ଋଣ ପ୍ରଦାନ କରାଯାଉଥିବାବେଳେ ମିଶନ ଶକ୍ତି ବିଭାଗ ପକ୍ଷରୁ ଏହାକୁ ଆଗାମୀ ଆର୍ଥିକ ବର୍ଷ ଶେଷ ସୁଦ୍ଧା ୪ଲକ୍ଷ ଟଙ୍କାକୁ ବୃଦ୍ଦି ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି । ତେବେ ପ୍ରତି ତ୍ରୈମାସିକ ସମୀକ୍ଷାରୁ ଜଣାପଡିଛି ଯେ ଅଗ୍ରାଧିକାର କ୍ଷେତ୍ରକୁ ଦିଆଯାଇଥିବା ଋଣ ଅଧିକ ପରିମାଣରେ ଅନାଦେୟ ହୋଇ ପଡି ରହିଛି ।

ଏଭଳି ସ୍ଥିତିରେ ଅଦାଦେୟ ଋଣ ଅର୍ଥ କିଭଳି ଆଦାୟ କରାଯାଇ ପାରିବ ସେଥିପାଇଁ ମିଳିତ ରଣନୀତି ଉପରେ ଗୁରୁତ୍ୱ ଦିଆଯାଉଛି । ସେଥିପାଇଁ ଏନ୍‍ପିଏ ପରିମାଣ କମାଇ ବ୍ୟାଙ୍କ୍‍ମାନଙ୍କ ନିକଟରେ ଅଧିକ ଅର୍ଥ ଉପଲବ୍ଧ କରାଇବା ସକାଶେ ରାଜ୍ୟ ସରକାର ବ୍ୟାଙ୍କ୍‍ ପ୍ରଶାସନ ମିଳିତ ଭାବେ ପଦକ୍ଷେପ ନେବା ଆବଶ୍ୟକ ବୋଲି ଅଧିକାରୀମାନେ ମତ ଦେଇଛନ୍ତି । (ତଥ୍ୟ)