Home Covid ଏନ୍‍ଜିଓ କର୍ମୀଙ୍କୁ ଟିକା କେବେ ?

ଏନ୍‍ଜିଓ କର୍ମୀଙ୍କୁ ଟିକା କେବେ ?

ଭୁବନେଶ୍ୱର : ଦ୍ୱିତୀୟ ଲହରୀ କରୋନା ମୁକାବିଲା ପାଇଁ କେନ୍ଦ୍ର ସରକାର ଏବେ ଏନ୍‍ଜିଓ ଓ ସିଭିଲ ସୋଟାଇଟିର ସହାୟତା ଉପରେ ଗୁରୁତ୍ୱ ଦେଉଥିବାବେଳେ ଏମାନେ କିନ୍ତୁ ସହଯୋଗ ପାଇଁ ଆଗପଛ ହେଉଛନ୍ତି । ବର୍ତ୍ତମାନ ସୁଦ୍ଧା ଏନ୍‍ଜିଓ କର୍ମଚାରୀଙ୍କୁ ସମ୍ମୁଖ ଯୋଦ୍ଧା ଘୋଷଣା କରାନଯିବା ଓ ଅଗ୍ରାଧିକାର ଭିତ୍ତିରେ ଟିକା ଦିଆଯାଇ ନଥିବାରୁ ଏଭଳି ଅବସ୍ଥା ଉପୁଜିଛି ।

ସହର ଠାରୁ ଗାଁ ଗହଳ ପର୍ଯ୍ୟନ୍ତ କରୋନା ମୁକାବିଲା ପାଇଁ ନୀତି ଆୟୋଗଙ୍କ ଠାରୁ ଆରମ୍ଭ କରି ଜାତୀୟ ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷ ସମସ୍ତ ଏବେ ଏନ୍‍ଜିଓଙ୍କ ସହଯୋଗ ଉପରେ ଗୁରୁତ୍ୱ ଦେଉଛନ୍ତି । ଏପରିକି ଜିଲ୍ଲା ସ୍ତରରେ ଏନ୍‍ଜିଓ ସମନ୍ୱୟ ଦପ୍ତର ପ୍ରତିଷ୍ଠା ସହିତ ଜଣେ ନୋଡାଲ ଅଫିସର ନିଯୁକ୍ତି ଲାଗି ଜିଲ୍ଲାପାଳମାନଙ୍କୁ କୁହାଯାଇଛି । ତେବେ ଜିଲ୍ଲା ରୁ ରାଜ୍ୟ ସ୍ତର ପର୍ଯ୍ୟନ୍ତ ଥିବା ଏନ୍‍ଜିଓ ଓ ବିଭିନ୍ନ ସିଭିଲି ସୋସାଇଟି କର୍ତ୍ତୃପକ୍ଷ କିନ୍ତୁ ଗତବର୍ଷ ଭଳି ଏବର୍ଷ ଆଉ ଆଗକୁ ବାହାରିବାକୁ ରାଜି ହେଉନାହାନ୍ତି ।

କିଛି ଏନ୍‍ଜିଓ କର୍ମକର୍ତ୍ତାଙ୍କ କହିବା କଥା ଯେ କରୋନାର ପ୍ରଥମ ଲହରୀ ସମୟରେ ଗତବର୍ଷ ସେମାନେ ସରକାରଙ୍କ ସହିତ କାନ୍ଧକୁ କାନ୍ଧ ମିଳାଇ କାର୍ଯ୍ୟ କରିଥିଲେ । ରାସ୍ତାକଡର ଲୋକଙ୍କୁ ଖାଦ୍ୟ ଯୋଗାଣ ଠାରୁ ଆରମ୍ଭକରି ବିଭିନ୍ନ ଯୋଜନାରେ ଲୋକଙ୍କ ହାତକୁ କାମ ଯୋଗାଇଥିଲେ । ତେବେ କରୋନାର ପ୍ରକୋପ ହ୍ରାସ ପାଇବାପରେ ସେମାନଙ୍କ ଉପରେ କେନ୍ଦ୍ର ଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ବିଭିନ୍ନ କଟକଣା ଜାରି କରିଦେଲେ । ବିଶେଷକରି ବିଦେଶରୁ ମିଳୁଥିବା ଅନୁଦାନ ପାଇବାକୁ ବିଭିନ୍ନ ସର୍ତ୍ତ ଲଗାଯିବା ଯୋଗୁଁ ଅନେକ ପ୍ରକଳ୍ପ ଅଧାରୁ ବନ୍ଦ ହୋଇଗଲା । ଏଥିରେ କାମ ପାଉଥିବା ଗାଁ ଗହଳର ଲୋକେ ଜୀବିକା ହରାଇ ବସିଲେ ।

ସେହିଭଳି କରୋନା କାଳରେ ଜୀବନକୁ ବାଜି ଲଗାଇ ଘରୁ ବାହାରି ଲୋକଙ୍କ ପାଇଁ କାମ କରିଥିବା ସ୍ୱେଚ୍ଛାସେବୀମାନଙ୍କୁ ସରକାର ସମ୍ମୁଖ ଯୋଦ୍ଧା ଭାବେ ବର୍ତ୍ତମାନ ସୁଦ୍ଧା ଘୋଷଣା କଲେନାହିଁ କି ସେମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଟିକା ଦେବାପାଇଁ କୌଣସି ପଦକ୍ଷେପ ନେଲେ ନାହିଁ । ଜିଲ୍ଲା ସ୍ତରରେ କାର୍ଯ୍ୟରତ ସ୍ୱେଚ୍ଛାସେବୀମାନେ ଏବେ ଟିକାଟିଏ ପାଇବାକୁ ନାକେଦମ ହେଉଛନ୍ତି ଓ ଅନେକ ଟିକା ପାଇବେ କି ନାହିଁ ସେହି ଚିନ୍ତାରେ ଅଛନ୍ତି ।

ଗୋଟିଏ ପଟେ ନିଜ ଜୀବନର ସୁରକ୍ଷା ଓ ଅନ୍ୟ ପଟେ ସ୍ୱଳ୍ପ ସମ୍ବଳକୁ ନେଇ ଏହି ବେସରକାରୀ ସଂସ୍ଥା ଓ ସିଭିଲି ସୋସାଇଟିର କର୍ମକର୍ତ୍ତାମାନେ କିଭଳି ପଦାକୁ ବାହାରିବେ ସେହି ଚିନ୍ତାରେ ଅଛନ୍ତି । ତେଣୁ କରୋନା କାଳରେ କ୍ଷେତ୍ର ସ୍ତରରେ କାର୍ଯ୍ୟ କରୁଥିବା ଏବଂ ସଂଗଠନ ଓ ଲୋକବଳ ଥିବା ସଂସ୍ଥାଗୁଡିକ ଉପରେ ବିଭିନ୍ନ କଟକଣା ଜାରି କରିବା ବଦଳରେ ସେମାନଙ୍କୁ ମୁକ୍ତଭାବେ କାମ କରିବାକୁ ସୁଯୋଗ ଦେବା ଏବଂ ସମ୍ମୁଖ ଯୋଦ୍ଧା ଭାବେ ଘୋଷଣାକରି ତୁରନ୍ତ ଟିକା ଦେବାର ବ୍ୟବସ୍ଥା କରିବାକୁ ଅନେକ ଏନ୍‍ଜିଓ କର୍ମକର୍ତ୍ତା ମତ ଦେଇଛନ୍ତି । (ତଥ୍ୟ)

LEAVE A REPLY

Please enter your comment!
Please enter your name here