Home Infrastructure ଏନ୍‍ଏଚ୍‍ ମରାମତି ପାଇଁ ଟଙ୍କା ଦେଉନି କେନ୍ଦ୍ର

ଏନ୍‍ଏଚ୍‍ ମରାମତି ପାଇଁ ଟଙ୍କା ଦେଉନି କେନ୍ଦ୍ର

ଭୁବନେଶ୍ୱର : ରାଜ୍ୟରେ ଥିବା ଜାତୀୟ ରାଜପଥଗୁଡିକର ମରାମତି ଓ ରକ୍ଷଣା ବେକ୍ଷଣ ପାଇଁ ବାର୍ଷିକ ପ୍ରାୟ ୧୫୦କୋଟି ଟଙ୍କା ଆବଶ୍ୟକ ଥିବାବେଳେ କେନ୍ଦ୍ରୀୟ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି । ଅର୍ଥ ଅଭାବ ଯୋଗୁଁ ରାଜପଥଗୁଡିକ ଅତ୍ୟନ୍ତ ବିପଦସଙ୍କୁଳ ହୋଇପଡିଥିବାବେଳେ ଭାରତୀୟ ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନ୍‍ଏଚ୍‍ଏଆଇ) ଚରମ ଉଦାସୀନ ମନୋଭାବ ପୋଷଣ କରୁଛନ୍ତି ।

ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ରୀୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇ ଆଗାମୀ ଆର୍ଥିକବର୍ଷ ପାଇଁ ଉପସ୍ଥାପିତ ହେବାକୁ ଥିବା ବଜେଟ୍‍ରେ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ କୁହାଯାଇଛି । ରାଜ୍ୟରେ ପ୍ରାୟ ୧୦ହଜାର କିଲୋମିଟର ଜାତୀୟ ରାଜପଥ ଥିବାବେଳେ ଏହାର ମରାମତି ଓ ରକ୍ଷଣାବେକ୍ଷଣ ପାଇଁ ଆବଶ୍ୟକ ପଡୁଥିବା ଅର୍ଥ ଯୋଗାଇବାରେ ଏନ୍‍ଏଚ୍‍ଏଆଇ କର୍ତ୍ତୃପକ୍ଷ ଟାଳଟୂଳ ନୀତି ଅବଲମ୍ବନ କରୁଛନ୍ତି ।

ଓଡିଶା ମୋଟର ଦୁର୍ଘଟଣା କ୍ଷେତ୍ରରେ ଅତ୍ୟନ୍ତ ସମ୍ବେଦନଶୀଳ ହୋଇଥିବାବେଳେ ଜାତୀୟ ରାଜପଥଗୁଡିକ ମୃତ୍ୟୁଯନ୍ତାରେ ପରିଣତ ହୋଇଛି । ସଂଖ୍ୟାଧିକ ଜାତୀୟ ରାଜପଥ ବର୍ଷ ବର୍ଷ ଧରି ସମ୍ପ୍ରସାରିତ ହେଉଥିବା ଯୋଗୁଁ ଏହି ସଡକଗୁଡିକର ମରାମତି ଦାୟିତ୍ୱ ଠିକାଦାରଙ୍କ ହାତରେ ନ୍ୟସ୍ତ କରାଯାଇଛି । ହେଲେ ଠିକାଦାରମାନେ ଯେଭଳି ପଦକ୍ଷେପ ଗ୍ରହଣ କରିବାକଥା ତାହା କରୁନାହାନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ଏ ସଂକ୍ରାନ୍ତରେ ସ୍ମାରକପତ୍ର ଦିଆଯାଇ ଆବଶ୍ୟକ ମୁତାବକ ଅର୍ଥ ଯୋଗାଇ ଦେବାପାଇଁ କୁହାଯାଇଛି । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏ ସଂକ୍ରାନ୍ତରେ ସ୍ୱତନ୍ତ୍ର ଭାବରେ ପ୍ରସ୍ତାବ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀଥାରମଣଙ୍କ ନିକଟରେ ଉପସ୍ଥାପିତ କରିଥିବା ଜଣାଯାଇଛି ।

ରାଜ୍ୟ ସରକାରଙ୍କ ପକ୍ଷରୁ ପୂର୍ବରୁ ମଧ୍ୟ ଏହିଭଳି ଦାବି କେନ୍ଦ୍ରୀୟ କର୍ତ୍ତୃପକ୍ଷଙ୍କ ନିକଟରେ ଉପସ୍ଥାପିତ କରାଯାଇଥିଲା । କିନ୍ତୁ କର୍ତ୍ତୃପକ୍ଷ କର୍ଣ୍ଣପାତ ନକରିବା ଯୋଗୁଁ ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ପ୍ରାୟ ୫୦କୋଟି ଟଙ୍କା ଯୋଗାଇଦେଇ ସଂଖ୍ୟା ଜାତୀୟ ରାଜପଥର ମରାମତି କରିଛନ୍ତି । ଜାତୀୟ ରାଜପଥର ରକ୍ଷଣା ବେକ୍ଷଣ ପାଇଁ ଅର୍ଥ ଯୋଗାଇବା କେନ୍ଦ୍ରୀୟ କର୍ତ୍ତୃପକ୍ଷଙ୍କ ଦାୟିତ୍ୱ ଥିବାବେଳେ ଏହାର ମରାମତି ଦାୟିତ୍ୱ ରାଜ୍ୟ ସରକାରଙ୍କ ହାତରେ ନ୍ୟସ୍ତ କରାଯାଇଛି । ତେଣୁ କେନ୍ଦ୍ର ଟଙ୍କା ଯୋଗାଉନଥିବାରୁ ରାଜ୍ୟ କର୍ତ୍ତୃପକ୍ଷ ଏ କ୍ଷେତ୍ରରେ ଅଡୁଆରେ ପଡି ଯାଉଛନ୍ତି ।

ପୂର୍ବରୁ ଜାତୀୟ ରାଜପଥର ଦୈର୍ଘ୍ୟ ଅପେକ୍ଷାକୃତ କମ୍‍ ଥିବାବେଳେ ବିଗତବର୍ଷମାନଙ୍କରେ ଅଧିକ ସଂଖ୍ୟକ ରାଜ୍ୟ ରାଜପଥଗୁଡିକୁ ଜାତୀୟ ରାଜପଥରେ ପରିଣତ କରାଯାଇଛି । ହେଲେ ଯେଉଁ ପରିମାଣରେ ରାଜ୍ୟ ରାଜପଥକୁ ଜାତୀୟ ବ୍ୟବସ୍ଥାରେ ସାମିଲ କରାଯାଇଛି ଅନୁରୂପ ପରିମାଣ ଅର୍ଥ କେନ୍ଦ୍ରୀୟ କର୍ତ୍ତୃପକ୍ଷ ପ୍ରଦାନ କରୁନାହାନ୍ତି । ଏଥିନେଇ ରାଜ୍ୟ ସରକାର ଅତ୍ୟନ୍ତ ଚିନ୍ତିତ । ସେଥିପାଇଁ ଆଗାମୀ ବଜେଟ୍‍ରେ ଓଡିଶା ସକାଶେ ସ୍ୱତନ୍ତ୍ର ଅର୍ଥ ବରାଦ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ମାରକପତ୍ର ଦିଆଯାଇଛି ।