Home News in Odia ଏକାସାଙ୍ଗରେ ପୌର ଓ ପଞ୍ଚାୟତ ନିର୍ବାଚନ ଦାବି

ଏକାସାଙ୍ଗରେ ପୌର ଓ ପଞ୍ଚାୟତ ନିର୍ବାଚନ ଦାବି

ଭୁବନେଶ୍ୱର : ଏକା ସାଙ୍ଗରେ ପୌର ଓ ପଞ୍ଚାୟତ ନିର୍ବାଚନ ପାଇଁ ଦାବି କରିଛି ରାଜ୍ୟ ବିଜେପି । ଏ ସଂକ୍ରାନ୍ତରେ ବିଜେପି ପ୍ରତିନିଧିଦଳ ଆଜି ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି ।

ବିଜେପି ଦର୍ଶାଇଛି ଯେ ସମ୍ବିଧାନର ଧାରା ୨୪୩ (ୟୁ) ଏବଂ ୨୪୩ (ଇ) ଅନୁଯାୟୀ ନିର୍ବାଚନ ଆୟୋଗ ସଠିକ୍ ସମୟରେ ନିର୍ବାଚନ କରିବା ବାଧ୍ୟତାମୂଳକ । କିନ୍ତୁ ଦୁର୍ଭାଗ୍ୟର କଥା ରାଜ୍ୟରେ ଗତ ୨୦୧୮ ସେପ୍ଟେମ୍ବର ମାସରୁ ପ୍ରାୟ ୩ ବର୍ଷ ପରେ ମଧ୍ୟ ପୌର ନିର୍ବାଚନ ହୋଇପାରି ନାହିଁ । ୭୪ତମ ସମ୍ବିଧାନ ସଂଶୋଧନ ଆଧାରରେ କ୍ଷମତାର୍ପିତ ଜନତା ଓ ଉତରଦାୟୀ ତୃଣମୂଳ ସରକାରର ଭୂମିକାକୁ ସଙ୍କୁଚିତ କରାଯାଇ ସାମୁହିକ ଶାସନ ଓ ସାମୁହିକ ବିକାଶ ପ୍ରକ୍ରିୟାକୁ ବ୍ୟର୍ଥ କରିବାରେ ଉଭୟ ରାଜ୍ୟ ସରକାର ଓ ରାଜ୍ୟ ନିର୍ବାଚନ ଆୟୋଗଙ୍କର ମଧୁଚନ୍ଦ୍ରିକା ଜାରି ଅଛି ।

ପରାଜୟ ଆଶଙ୍କାରେ ଆତଙ୍କିତ ସରକାର ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ହାତବାରେସୀ କରି ଜନ ସାଧାରଣଙ୍କୁ ଅର୍ପିତ କ୍ଷମତାର ଦୁରୁପଯୋଗ କରିବା ସହ ରାଜ୍ୟରେ ଅମଲାତାନ୍ତ୍ରିକ ଶାସନ ବ୍ୟବସ୍ଥା ଜାରି ରଖିଛନ୍ତି । ରାଜ୍ୟ ନିର୍ବାଚନ ଆୟୋଗ ଏକ ସାମ୍ବିଧାନିକ ସଂସ୍ଥା ହୋଇଥିବାବେଳେ ଏବଂ ରାଜ୍ୟ ସରକାରଙ୍କର ଅଭ୍ୟାସଗତ ଅସହଯୋଗକୁ ପ୍ରତିହତ କରିବା ପାଇଁ କିଶାନ ସିଂ ତୋମାର ମାମଲା (ସୁପ୍ରା) ୨୦୦୬ ଅନୁଯାୟୀ ନିର୍ବାଚନ ଆୟୋଗ କୋର୍ଟଙ୍କ ଦ୍ୱାରସ୍ଥ ନହୋଇ ସାମ୍ବିଧାନିକ ବିଧି ବ୍ୟବସ୍ଥାକୁ ଖୁଲମଖୁଲା ଉଲ୍ଲଘଂନ କରୁଛନ୍ତି ଏବଂ ସ୍ୱାୟତ ଶାସନ ଅଣାୟତ ହେବା ସଙ୍ଗେ ସଙ୍ଗେ ସଂପୂର୍ଣ୍ଣ ଅମଲାତନ୍ତ୍ରିକ ଶାସନରେ ପରିଣତ ହୋଇଛି । ଏଣୁ ରାଜ୍ୟ ନିର୍ବାଚନ ଆୟୋଗ ଏକ ସମୟରେ ପୌର ଓ ପଂଚାୟତ ନିର୍ବାଚନ କରିବା ନିମନ୍ତେ ଦୃଢ ଦାବି ଜଣାଇଛନ୍ତି ।

କୁମ୍ଭକର୍ଣ୍ଣ ନିଦ ଶୋଇଥିବା ଗଣତନ୍ତ୍ର ହତ୍ୟାକାରୀ ଓଡିଶା ସରକାର ଦୀର୍ଘ ୩ ବର୍ଷ ଧରି ରାଜ୍ୟରେ ବିଜ୍ଞପିତ ଅଂଚଳ ପରିଷଦ ଓ ପୌରାଚଂଳ ମାନଙ୍କରେ ନିର୍ବାଚିତ ଜନ ପ୍ରତିନିଧି ନଥିବାରୁ ଓଡିଶାର ସହରାଚଂଳରେ ବସବାସ କରୁଥିବା ଜନସାଧାରଣ ଉପଯୁକ୍ତ ପ୍ରଶାସନିକ ନ୍ୟାୟ ପାଇବାରୁ ବଂଚିତ ହେଉଛନ୍ତି । ତୃଣମୂଳ ସରକାରକୁ ସୁଦୃଢ ଓ ଶକ୍ତିଶାଳୀ କରିବା ପାଇଁ ସାମ୍ବିଧାନିକ ବିଧି ଆଧାରରେ କେନ୍ଦ୍ର ସରକାର ବାସଗୃହ, ପାନୀୟ ଜଳ, ସ୍ୱେରେଜ, ଆଲୋକ ବ୍ୟବସ୍ଥା ଓ ସ୍ୱାସ୍ଥ୍ୟସେବା ପାଇଁ ପର୍ଯ୍ୟାପ୍ତ ଆର୍ଥିକ ଅନୁଦାନ ଜାରି ରଖିଥିବା ସତ୍ୱେ ଅସାଧୁ ଅଧିକାରୀ ମାନଙ୍କ ଅବାଂଛିତ ନିୟନ୍ତ୍ରଣ ତଥା ଅତ୍ୟାଧିକ ଅମଲାତନ୍ତ୍ରିକ ହସ୍ତକ୍ଷେପ ଯୋଗୁଁ ଯୋଜନାର ସଫଳ କାର୍ଯ୍ୟାନ୍ୱୟନ ହୋଇପାରୁନାହିଁ ।

ରାଜ୍ୟ ସରକାରଙ୍କ ମାତ୍ରାଧିକ ଅମଲାତନ୍ତ୍ରିକ ନିୟନ୍ତ୍ରଣ ଗଣତନ୍ତ୍ରିକ ବିଧିବ୍ୟବସ୍ଥା ପ୍ରତି ଚରମ ଉପହାସ କହିଲେ ଅତୁକ୍ତି ହେବ ନାହିଁ । ପୌର ନିର୍ବାଚନ ପାଇଁ ରାଜ୍ୟ ସରକାରଙ୍କ ଅଭ୍ୟାସଗତ ଅବହେଳା ଓ ଅନିଚ୍ଛା ବିରୁଦ୍ଧରେ ରାଜ୍ୟ ନିର୍ବାଚନ ଆୟୋଗ ଆସନ୍ତା ୧ ସପ୍ତାହ ମଧ୍ୟରେ ଉଚ୍ଚ ନ୍ୟାୟଳୟର ଦ୍ୱାରସ୍ଥ ନହେଲେ ବିଧି ଆଧାରରେ ଓଡିଶାର ଦାୟୀତ୍ୱ ସଂପନ୍ନ ବିରୋଧୀଦଳ ଭାରତୀୟ ଜନତା ପାର୍ଟି ଆଇନର ସାହାଯ୍ୟ ନେବା ସହ ସାମ୍ବିଧାନିକ ବିଧି ଆଧାରରେ ମହାଅଭିଯୋଗ ପାଇଁ ସଂସଦରେ ପ୍ରସ୍ତାବ ଆଣିବ ବୋଲି ରାଜ୍ୟ ମୁଖପାତ୍ର ତଥା ବରିଷ୍ଠ ଅଧିବକ୍ତା ପୀତାମ୍ବର ଆଚାର୍ଯ୍ୟ ସୂଚନା ପ୍ରଦାନ କରିଛନ୍ତି ।

ଲୋକସଭା ଓ ବିଧାନସଭା ଭଳି ପୌର ଓ ପଂଚାୟତ ନିର୍ବାଚନ ସାମ୍ବିଧାନିକ ବିଧି ବ୍ୟବସ୍ଥାର ଫଳଶ୍ରୃତି ଏବଂ ରାଜ୍ୟ ନିର୍ବାଚନ ଆୟୋଗ ସଂପୃକ୍ତ ବିଧି ବ୍ୟବସ୍ଥାକୁ ପ୍ରତିପାଳନ କରିବାକୁ ବାଧ୍ୟ । କିନ୍ତୁ ରାଜ୍ୟ ନିର୍ବାଚନ ଆୟୋଗ ସାମ୍ବିଧାନିକ ବିଧି ବ୍ୟବସ୍ଥାର ଉଲ୍ଲଘଂନ କରି ରାଜ୍ୟ ସରକାରଙ୍କ ଇଙ୍ଗିତରେ କାର୍ଯ୍ୟ କରୁଥିବାରୁ ଭାରତୀୟ ଜନତା ପାର୍ଟିର ପ୍ରତିନିଧୀ ଦଳ ରାଜ୍ୟ ନିର୍ବାଚନ ଆୟୋଗଙ୍କ ସହ ସାକ୍ଷାତ ଆଲୋଚନା କରିବା ସହିତ ଜନଅସନ୍ତୋଷକୁ ଉପସ୍ଥାପନ କରିଥିଲେ ଏବଂ ପୌର ନିର୍ବାଚନ ପାଇଁ ପ୍ରସ୍ତୁତ ହେବାକୁ ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ସର୍ତକ ଓ ସଚେତନ କରାଇଥିଲେ ।