Home Education ଏକାମ୍ର ହାଟରେ ମୁକ୍ତ ପାଠାଗାର

ଏକାମ୍ର ହାଟରେ ମୁକ୍ତ ପାଠାଗାର

ଭୁବନେଶ୍ୱର : ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଅଧୀନକୁ ଆସିବା ପରେ ନୂଆ ରୂପରେ ଏକାମ୍ରହାଟ ବର୍ତମାନ ଭୁବନେଶ୍ୱରରେ ଏକ ଆକର୍ଷଣୀୟ କେନ୍ଦ୍ରରେ ପରିଣତ ହୋଇଛି ।

ଓଡିଶାର ଏøତିହ୍ୟ, ପରମ୍ପରା ଓ ସଂସ୍କୃତିର ପ୍ରାଣକେନ୍ଦ୍ର ଭାବେ ଏହି ଏକାମ୍ର ହାଟରେ ଆଜି ଶିଶୁଦିବସ ଅବସରରେ ଯୋଡି ହୋଇଛି ମୁକ୍ତ ପାଠାଗାର । ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଆର୍‌. ବାଲକ୍ରିଷ୍ଣନ ବିଭାଗୀୟ ଶାସନ ସଚିବ ଶୁଭା ଶର୍ମାଙ୍କ ଉପସ୍ଥିତିରେ ଏହି ପାଠାଗାରକୁ ଉନ୍ମୋଚିତ କରିଛନ୍ତି ।

ଏକାମ୍ର ହାଟରେ ସର୍ବସାଧାରଣଙ୍କ ପାଇଁ ମୁକ୍ତ ପାଠାଗାର ସ୍ଥାପନ ଏକ ଅଭିନବ ପ୍ରୟାସ । ନୂତନ ଚିନ୍ତାଧାରାରେ ପୁରୁଣା ବଡ଼ ରେଫ୍ରିଜରେଟରରେ କାଚ ଲଗାଇ ପୁନଃ ବ୍ୟବହୃତ କରାଯାଇ ପୁସ୍ତକ ରଖାଯାଇ ଏହି ପାଠାଗାର ସ୍ଥାପନ କରାଯାଇଛି । ସର୍ବସାଧାରଣଙ୍କ ପଠନ ଅଭ୍ୟାସ ବୃଦ୍ଧି ନିମନ୍ତେ ବାହାରେ ଆକର୍ଷଣୀୟ ପଟ୍ଟଚିତ୍ର କାରୁକାର୍ଯ୍ୟ କରାଯାଇ ଏହାର ଶୋଭା ବର୍ଦ୍ଧନ କରାଯାଇଛି ।

ଏହି ପାଠାଗାରରେ ପ୍ରାୟ ୨୦୦ ଗୋଟି ପୁସ୍ତକ ରହିଛି । କେବଳ ଶିଶୁ ନୁହଁନ୍ତି ସବୁ ବର୍ଗ ଓ ବୟସର ପାଠକଙ୍କ ନିମନ୍ତେ ଇଂରାଜୀ ଓ ଓଡିଆ ଭାଷାରେ ପୁସ୍ତକ ରଖାଯାଇଛି । ଏହି ପାଠାଗାର ସ୍ୱୟଂଚାଳିତ । ଯେକୌଣସି ପାଠକ ନିଜେ ପୁସ୍ତକ ଚୟନ କରି ବହିଟି ଧରି ଘାସର ଗାଲିଚା ଉପରେ କିମ୍ବା ଚଉକି ଉପରେ ବସି ପଢି ପାରିବେ । ଏକାମ୍ର ହାଟରେ ଆସୁଥିବା ଲୋକମାନଙ୍କ ପାଇଁ ନୂତନ ବନ୍ଧୁ ରୂପେ ପୁସ୍ତକ ମିଳିବ ।

ଏତଦ୍ ବ୍ୟତୀତ ଏକାମ୍ର ହାଟରେ ଦର୍ଶକମାନେ ମଧ୍ୟ ଭାରତର ବିଭିନ୍ନ ଖାଦ୍ୟ ଷ୍ଟଲରେ ଖାଦ୍ୟର ମଜା ନେଇ ପାରିବେ । ବ୍ୟକ୍ତି ବିଶେଷ ଏହି ହାଟରେ ୫୦ରୁ ଉର୍ଦ୍ଧ୍ୱ ଷ୍ଟଲରୁ ହସ୍ତଶିଳ୍ପ ଓ ହସ୍ତତନ୍ତ ବସ୍ତୁ କ୍ରୟ କରିବାର ସୁଯୋଗ ପାଇ ପାରିବେ । ବ୍ୟକ୍ତିବିଶେଷ ପାଠାଗାର ନିମନ୍ତେ ପୁସ୍ତକ ଦାନ କରି ପାରିବେ ।

ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଅଧୀନସ୍ଥ ରାଜ୍ୟ କଳା ଓ ହସ୍ତଶିଳ୍ପ ବିକାଶ ଅନୁଷ୍ଠାନ ଓ ବକୁଳ ଫାଉଣ୍ଡେସନର ସହଭାଗୀତାରେ ଏହି ପାଠାଗାର ପ୍ରତିଷ୍ଠା କରାଯାଇଛି । ରାଜ୍ୟରେ ପାଠାଗାର ଆନ୍ଦୋଳନ ସହିତ ପୁସ୍ତକ ପଠନକୁ ଲୋକପ୍ରିୟ କରିବାରେ ବକୁଳ ଫାଉଣ୍ଡେସନର ଉଦ୍ୟମ ପ୍ରଶଂସନୀୟ ।

ଏକାମ୍ର ହାଟର ବାହ୍ୟ ଭାଗରେ ଆମ୍ପିଥିଏଟର ମାଧ୍ୟମରେ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶିତ ହେବାର ସୁବିଧା ରହିଛି । ଏକାମ୍ର ହାଟରେ ଗୋଟିଏ ସ୍ଥାନରେ ହସ୍ତଶିଳ୍ପ, ହସ୍ତତନ୍ତ, ଖାଦ୍ୟପଦାର୍ଥ, ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଏବେ ପୁସ୍ତକ ପଠନର ସୁବିଧା ଉପଲବ୍ଧ ହେବ । ଏକାମ୍ର ହାଟ ପ୍ରତ୍ୟହ ସକାଳ ୧୦ଟାରୁ ରାତି ୯ଟା ପର୍ଯ୍ୟନ୍ତ ଖୋଲା ରହୁଛି । ଏହି ମୁକ୍ତ ପାଠାଗାର ମଧ୍ୟ ଏହି ସମୟରେ ସର୍ବସାଧାରଣଙ୍କ ନିମନ୍ତେ ଖୋଲା ରହିବ ।

ଆଜିର ପାଠାଗାର ଉନ୍ମୋଚନ ଉତ୍ସବରେ ସିଡାକ୍‌ର ମେମ୍ବର ସେକ୍ରେଟାରୀ ଶିଶିର କୁମାର ରଥ, ବକୁଳ ଫାଉଣ୍ଡେସନର ପ୍ରତିଷ୍ଠାତା ସୁଜିତ କୁମାର ମହାପାତ୍ର ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here