Home Education ଏକାଡେମୀ ପଦବୀ ପୂରଣ ପ୍ରକ୍ରିୟା ଆରମ୍ଭ

ଏକାଡେମୀ ପଦବୀ ପୂରଣ ପ୍ରକ୍ରିୟା ଆରମ୍ଭ

326
0

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ ଥିବା ବିଭିନ୍ନ ଏକାଡେମୀର ମୁଖିଆ ପଦବୀ ପୂରଣ ଲାଗି ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଓଡ଼ିଶା ସାହିତ୍ୟ ଏକାଡେମୀ, ଓଡ଼ିଶା ଲଳିତ କଳା ଏକାଡେମୀ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଓ ଓଡ଼ିଶା ଉର୍ଦ୍ଦୁ ଏକାଡେମୀରେ ଥିବା ସଭାପତି, ଉପସଭାପତି ଓ ସମ୍ପାଦକ ପଦବୀ ପୂରଣ ଲାଗି ଦରଖାସ୍ତ ଆହ୍ୱାନ କରାଯାଇଛି ।

ଦୀର୍ଘ ବର୍ଷ ଧରି ଖାଲି ପଡ଼ିଥିବା ଏହି ସବୁ ମୁଖିଆ ପଦପଦବୀ ଯୋଗୁ ଅଧିକାଂଶ ସ୍ଥାନରେ ଅନ୍ୟ ସଂସ୍ଥାରୁ ଅଧିକାରୀମାନେ ଆସି ଏଠାରେ କାମ ଚଳାଉଥିଲେ । ତେବେ ବିଭାଗୀୟ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ଏ ଦିଗରେ ପଦକ୍ଷେପ ଆରମ୍ଭ କରିଛନ୍ତି । ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ଓ ଉପସଭାପତି ପଦବୀ ପୂରଣ ଲାଗି ବିଜ୍ଞାପନ ଜାରି ହୋଇଥିବା ବେଳେ ଏଥିପାଇଁ ବୟସସୀମା ୬୦ରୁ ୮୦ ବର୍ଷ ରଖାଯାଇଛି । ଏହି ପଦବୀ ପାଇଁ ଆବେଦନ କରିବାକୁ ଥିବା ବ୍ୟକ୍ତି ଓଡ଼ିଆ ଭାଷା ଓ ସାହିତ୍ୟ କ୍ଷେତ୍ରରେ ଖ୍ୟାତିସମ୍ପନ୍ନ ହୋଇଥିବା ଆବଶ୍ୟକ । ଦୁଇଟି ପଦବୀ ପାଇଁ ଜଣେ ବ୍ୟକ୍ତି ଆବେଦନ କଲେ ତାଙ୍କୁ ଦୁଇଗୋଟି ଆବେଦନପତ୍ର ଦାଖଲ କରିବାକୁ ପଡ଼ିବ । ସେହିଭଳି ଏକାଡେମୀର ସମ୍ପାଦକ ପଦବୀ ପାଇଁ ଆବେଦନକାରୀଙ୍କ ବୟସ ୪୫ରୁ ୬୫ ବର୍ଷ ମଧ୍ୟରେ ରଖାଯାଇଛି । ତାଙ୍କର ସାହିତ୍ୟରେ ଆଗ୍ରହ, ରୁଚି ଓ ଜ୍ଞାନ ଥିବା ସହିତ କାର୍ଯ୍ୟାଳୟ ବା ସଙ୍ଗଠନ ପରିିଚାଳନା ଅନୁଭୂତି ରହିଥିଲେ ଅଗ୍ରାଧିକାର ମିଳିବ ।

ଲଳିତ କଳା ଏକାଡେମୀର ଉପସଭାପତି ପଦବୀ ଲାଗି ପ୍ରାର୍ଥୀଙ୍କ ବୟସ ୬୦ରୁ ୮୦ ବର୍ଷ ରଖାଯାଇଥିବା ବେଳେ ଆବେଦନ କରୁଥିବା ବ୍ୟକ୍ତି ଚାରୁ ଓ କାରୁକଳା, ଚିତ୍ରକଳା, ସ୍ଥାପତ୍ୟ ଇତ୍ୟାଦି କ୍ଷେତ୍ରରେ ଖ୍ୟାତି ସମ୍ପନ୍ନ ହୋଇଥିବା ଆବଶ୍ୟକ । ଏହି ଏକାଡେମୀରେ ସମ୍ପାଦକ ପଦବୀ ଲାଗି ବୟସସୀମା ୪୫ରୁ ୬୫ ବର୍ଷ ରଖାଯାଇଥିବା ବେଳେ ଆବେଦନକାରୀଙ୍କର କଳା, ସ୍ଥାପତ୍ୟ ଇତ୍ୟାଦିରେ ରୁଚି ଓ ଜ୍ଞାନ ଥିବା ଆବଶ୍ୟକ । ତାଙ୍କର ପରିଚାଳନାଗତ ଦକ୍ଷତା, ପ୍ରଶାସନିକ ଅଭିଜ୍ଞତା ଆଦି ଥିଲେ ତାହାକୁ ଅଗ୍ରାଧିକାର ଦିଆଯିବ ।

ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଭାପତି ଓ ଉପସଭାପତି ପଦବୀ ଲାଗି ବୟସସୀମା ୬୦ରୁ ୮୦ ବର୍ଷ ମଧ୍ୟରେ ରଖାଯାଇଛି । ଆବେଦନକାରୀ ନୃତ୍ୟ, ସଙ୍ଗୀତ, ନାଟକ ଇତ୍ୟାଦି କ୍ଷେତ୍ରରେ ଖ୍ୟାତି ସମ୍ପନ୍ନ ହୋଇଥିବା ଆବଶ୍ୟକ । ଜଣେ ବ୍ୟକ୍ତି ଉଭୟ ପଦବୀ ପାଇଁ ଆବେଦନ କଲେ ତାଙ୍କୁ ଦୁଇଗୋଟି ଆବେଦନପତ୍ର ଦାଖଲ କରିବାକୁ ହେବ ।

ଓଡ଼ିଶା ଉର୍ଦ୍ଦୁ ଏକାଡେମୀର ସମ୍ପାଦକ ପଦବୀ ଲାଗି ଆବେଦନକାରୀଙ୍କ ବୟସ ୪୫ରୁ ୬୫ ବର୍ଷ ରଖାଯାଇଛି । ଆବେଦନକାରୀଙ୍କର ଉର୍ଦ୍ଦୁ ଭାଷା ଓ ସାହିତ୍ୟରେ ଆଗ୍ରହ, ରୁଚି ଓ ଜ୍ଞାନ ଥିବା ଆବଶ୍ୟକ । ତେବେ ପରିଚାଳନାଗତ ଦକ୍ଷତା, ପ୍ରଶାସନିକ ଅଭିଜ୍ଞତା, କାର୍ଯ୍ୟାଳୟ ବା ସଙ୍ଗଠନ ପରିଚାଳନା ଅନୁଭୂତି ଥିବା ବ୍ୟକ୍ତିଙ୍କୁ ଅଗ୍ରାଧିକାର ମିଳିବ ।

ଇଚ୍ଛୁକ ପ୍ରାର୍ଥୀମାନେ ସେମାନଙ୍କ ବାୟୋଡାଟା ସହ ଆସନ୍ତା ନଭେମ୍ବର ୧୧ ତାରିଖ ଅପରାହ୍ଣ ୫ଟା ସୁଦ୍ଧା ବିଭାଗର ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ଠିକଣାରେ ଆବେଦନ କରିପାରିବେ । ଏହି ସମସ୍ତ ସୂଚନା ଓ ଆବଶ୍ୟକ ଫର୍ମ ବିଭାଗୀୟ ୱେବସାଇଟ୍‍ www.odishaculture.in ରେ ମିଳିପାରିବ । 

LEAVE A REPLY

Please enter your comment!
Please enter your name here