Home Finance ଋଣ ବୋଝ ଲଦିଲା କେନ୍ଦ୍ର

ଋଣ ବୋଝ ଲଦିଲା କେନ୍ଦ୍ର

ଭୁବନେଶ୍ୱର : ଓଡିଶା ଉପରେ ଆହୁରି ୩୦୦୦ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ଋଣଭାର କେନ୍ଦ୍ରୀୟ କର୍ତ୍ତୃପକ୍ଷ ଲଦି ଦେଇଛନ୍ତି । ଜିଏସ୍‍ଟି କ୍ଷତିପୂରଣ ବାବଦରେ ରାଜ୍ୟ ସରକାର ଏହି ଋଣ ବୋଝ ପାଇଛନ୍ତି ।

କେନ୍ଦ୍ର ସରକାର ପୂର୍ବରୁ ଜିଏସ୍‍ଟି କ୍ଷତିପୂରଣ ପାଇଁ ଯେଭଳି ଅନୁଦାନ ଦେଉଥିଲେ ଗତବର୍ଷ ଠାରୁ ତାହା ବନ୍ଦକରି ଦେଇଛନ୍ତି । ଅନୁଦାନ ବଦଳରେ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ଋଣ କରିବାର ସୁଯୋଗ ଦେଉଛନ୍ତି । କେନ୍ଦ୍ର ସରକାର ଗତକାଲି ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କୁ ଜିଏସ୍‍ଟି କ୍ଷତିପୂରଣ ବାବଦରେ ୭୫ହଜାର କୋଟି ଟଙ୍କାର ଋଣବୋଝ ଲଦିଥିବାବେଳେ ଓଡିଶା ଭାଗରେ ୩୦୩୩ କୋଟି ୧୦ଲକ୍ଷ ଟଙ୍କା ପଡିଛି ।

ଗତ ଆର୍ଥିକ ବର୍ଷରେ ଜିଏସ୍‍ଟି କ୍ଷତିପୂରଣ ବାବଦରେ କେନ୍ଦ୍ର ସରକାର ୩୮୨୨କୋଟି ଟଙ୍କାର ଋଣ ବୋଝ ଲଦିଥିଲେ । ରାଜ୍ୟର ଋଣ ଭାର କ୍ରମଶଃ ବଢୁଥିବାବେଳେ ଜିଏସ୍‍ଟି କ୍ଷତିପୂରଣ ବାବଦରେ ଏହି ଋଣ ବୋଝ ୬୮୫୫କୋଟି ୧୦ଲକ୍ଷରେ ଆସି ପହଞ୍ଚିଲାଣି ।

ଏଠାରେ ଉଲ୍ଲେଖ କରାଯାଇପାରେ ଯେ ଚଳିତ ଆର୍ଥିକବର୍ଷରେ ଜିଏସ୍‍ଟି ନିଅଣ୍ଟିଆ ପ୍ରାୟ ୨ଲକ୍ଷ ୫୯ହଜାର କୋଟି ଟଙ୍କା ହେବବୋଲି ଆକଳନ କରାଯାଇଥିବାବେଳେ କେନ୍ଦ୍ର ସରକାର ୧ଲକ୍ଷ ୫୯ହଜାର କୋଟି ଋଣ କରି ଏହା ରାଜ୍ୟମାନଙ୍କ ମୁଣ୍ଡରେ ଥାପିବେ । ଉଲ୍ଲେଖଯୋଗ୍ୟ ଯେ ଜିଏସ୍‍ଟି ଆଶାନୁରୂପ ସଂଗୃହୀତ ହୋଇପାରୁନଥିବା ଯୋଗୁଁ ଘୋର ନିଅଣ୍ଟିଆ ଅବସ୍ଥା ଉପୁଜୁଛି । ବିଶେଷକରି କୋଭିଡ ମହାମାରୀ ଯୋଗୁଁ ବହୁ ରାଜ୍ୟ ଜିଏସ୍‍ଟି ସଂଗ୍ରହ କ୍ଷେତ୍ରରେ ପଛରେ ପଡିଛନ୍ତି । ତେଣୁ ନିଅଣ୍ଟିଆ ପରିମାଣ ବଢି ବଢି ଯାଉଛି ।

ଏହି ପରିସ୍ଥିତିକୁ ଲକ୍ଷ୍ୟ କରି କେନ୍ଦ୍ର ସରକାର ପୂର୍ବରୁ ଯେଭଳି କ୍ଷତିପୂରଣ ବାବଦରେ ଅନୁଦାନ ଦେଉଥିଲେ ଗତବର୍ଷ ନୀତିଗତ ପରିବର୍ତ୍ତନ ଆଣି ରାଜ୍ୟମାନଙ୍କୁ ଋଣ ସଂଗ୍ରହ କରିବା ପାଇଁ ସୁଯୋଗ ଦେବାକୁ ନିଷ୍ପତ୍ତି ଗ୍ରହଣ କଲେ । ଏହାକୁ ପ୍ରଥମେ ବିଭିନ୍ନ ରାଜ୍ୟ ପକ୍ଷରୁ ବିରୋଧ କରାଯାଇଥିଲା । କାରଣ ଯେଉଁ ସମୟରେ ଜିଏସ୍‍ଟି ନୀତି ଅବଲମ୍ବନ କରାଯାଇଥିଲା ସେଥିରେ କ୍ଷତିପୂରଣ ବାବଦରେ ଅନୁଦାନ ଦେବାପାଇଁ କେନ୍ଦ୍ର ସରକାର ପ୍ରତିଶ୍ରୁତି ଦେଇଥିଲେ ।

ତେବେ କେନ୍ଦ୍ରୀୟ ତହବିଲରେ ଅତ୍ୟଧିକ ଚାପ ସୃଷ୍ଟି ହେଉଥିବା ପରିପ୍ରେକ୍ଷୀରେ ନୀତିଗତ ପରିବର୍ତ୍ତନ ଅଣାଯାଇ ଅନୁଦାନ ପରିବର୍ତ୍ତେ ଋଣ ପାଇଁ ରାଜ୍ୟମାନଙ୍କୁ ପ୍ରସ୍ତାବ ଦିଆଯାଇଥିଲା । ଏଥିରେ ଓଡିଶା ସମେତ ସଂଖ୍ୟାଧିକ ରାଜ୍ୟ ରାଜିହେବା ପରଠାରୁ କେନ୍ଦ୍ର ସରକାର ଜିଏସ୍‍ଟି କ୍ଷତିପୂରଣ ବାବଦରେ ଋଣ ପ୍ରଦାନ କରିଚାଲିଛନ୍ତି ।

ତେବେ ଅନ୍ୟାନ୍ୟ ରାଜ୍ୟରେ ଜିଏସ୍‍ଟି ସଂଗ୍ରହ ନୈରାଶ୍ୟଜନକ ସ୍ଥିତି ଥିବାବେଳେ ଓଡିଶାରେ ଏହା ଅପେକ୍ଷାକୃତ ଭଲ ରହିଛି । କାରଣ ଖଣିଜ ଉତ୍ତୋଳନ ଅଧିକରୁ ଅଧିକ ହେଉଥିବା ପରିପ୍ରେକ୍ଷୀରେ ଜିଏସ୍‍ଟି ସଂଗ୍ରହ ଜାରି ରହିଛି । ଯଦି ଏହି ପରିସ୍ଥିତି ନଥାନ୍ତା ତେବେ ଓଡିଶା ଉପରେ ଋଣର ବୋଝ ଆହୁରି ଅଧିକ ପଡିଥାନ୍ତା ବୋଲି ଆର୍ôଥକ ବିଶେଷଜ୍ଞମାନେ ମତ ଦେଉଛନ୍ତି । (ତଥ୍ୟ)