Home Banking ଋଣ ପ୍ରଦାନ ଲକ୍ଷେ କୋଟି ଟପିଲା

ଋଣ ପ୍ରଦାନ ଲକ୍ଷେ କୋଟି ଟପିଲା

ଭୁବନେଶ୍ୱର : ରାଜ୍ୟର ଅଗ୍ରାଧିକାର କ୍ଷେତ୍ରକୁ ଋଣ ପ୍ରଦାନ ପ୍ରଥମଥର ପାଇଁ ଏକ ଲକ୍ଷ କୋଟି ଟଙ୍କାକୁ ଟପିଯାଇଛି । ୨୦୨୧-୨୨ ଆର୍ଥିକ ବର୍ଷରେ ବ୍ୟାଙ୍କ୍‍ଗୁଡିକ ଏହି କ୍ଷେତ୍ରକୁ ୧,୦୩,୦୦୦ କୋଟି ଟଙ୍କାର ଋଣ ଦେଇଥିବାବେଳେ ଏହା କେବଳ ରାଜ୍ୟ ସରକାରଙ୍କ ଚାପ ଯୋଗୁଁ ସମ୍ଭବ ହୋଇପାରିଛି ।

ବ୍ୟାଙ୍କ୍‍ଗୁଡିକ କେବଳ ଲୋକଙ୍କୁ ଅଧିକ ଋଣ ଦେଇ ନାହାନ୍ତି, ଜମା ଓ ଋଣ ମଧ୍ୟରେ ଥିବା ତାରତମ୍ୟରେ ସଂଶୋଧନ କରିବା ଯୋଗୁଁ ଜାତୀୟ ହାର ତୁଳନାରେ ଏ କ୍ଷେତ୍ରରେ ଓଡିଶାର ପ୍ରଦର୍ଶନ ବେଶ୍‍ ଭଲ ରହିଛି । ରାଜ୍ୟ ଅର୍ଥ ବିଭାଗର ପ୍ରମୁଖ ସଚିବ ବିଶାଳ ଦେବ ବ୍ୟାଙ୍କ୍‍ଗୁଡିକର ଏଭଳି ପଦକ୍ଷେପକୁ ପ୍ରଶଂସା କରିବା ସହିତ ୨୦୨୧-୨୨ ବର୍ଷରେ ଋଣ ପ୍ରଦାନ ହାର ୯୩.୦୬ ପ୍ରତିଶତକୁ ବୃଦ୍ଧି ପାଇଛି ଯାହାକି ୨୦୨୦-୨୧ ବର୍ଷରେ ୮୮.୩୯ ପ୍ରତିଶତ ଥିବା କହିଛନ୍ତି ।

ରାଜ୍ୟ ସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକକୁ ସମ୍ବୋଧନ କରି ଶ୍ରୀ ଦେବ କହିଛନ୍ତି ଯେ ୨୦୨୧-୨୨ ବର୍ଷରେ ବାର୍ଷିକ ଋଣ ପ୍ରଦାନ ପରିମାଣ ୧,୦୩,୦୦୦ କୋଟି ଟଙ୍କା ହୋଇଛି ଯାହା କି ୨୦୨୦-୨୧ ବର୍ଷରେ ୭୮,୦୦୦ କୋଟି ଟଙ୍କା ଥିଲା । ରାଜ୍ୟ ସରକାର ପ୍ରକୃତ ହିତାଧିକାରୀଙ୍କୁ ଅଧିକ ଋଣ ଦେବା ଉପରେ ଜୋର ଦେଉଥିବାବେଳେ ବ୍ୟାଙ୍କ୍‍ଗୁଡିକ ଏହାକୁ ସକରାତ୍ମକ ଭାବେ ଗ୍ରହଣ କରିବାରୁ ଋଣ ପ୍ରଦାନ ପରିମାଣ ଏକ ଲକ୍ଷ କୋଟି ଟଙ୍କାକୁ ଟପିଯାଇଛି ।

ଅନୁରୂପ ଭାବେ ଋଣ-ଜମା ଅନୁପାତ ପରିମାଣ ଦେଖିବାପରେ ଶ୍ରୀ ଦେବ ବ୍ୟାଙ୍କ୍‍ଗୁଡିକର ପ୍ରଦର୍ଶନକୁ ପ୍ରଶଂସା କରିଛନ୍ତି । ୨୦୨୦-୨୧ ରେ ଏହି ପରିମାଣ ୫୬.୪୫ ପ୍ରତିଶତ ଥିବାବେଳେ ୨୦୨୧-୨୨ ରେ ଏହା ୭୨.୫୫ ପ୍ରତିଶତକୁ ବୃଦ୍ଧି ପାଇଥିଲା । ଜାତୀୟ ସ୍ତରରେ ଏହି ହାର ୭୧ ପ୍ରତିଶତ ରହିଛି ଯାହା କି ଓଡିଶା ଠାରୁ କମ୍‍ । ଶ୍ରୀ ଦେବ ଅର୍ଥ ବିଭାଗର ଦାୟିତ୍ୱ ନେବା ପରଠାରୁ ଋଣ ପ୍ରଦାନ ଓ ଅନ୍ୟାନ୍ୟ ବ୍ୟାଙ୍କିଙ୍ଗ୍‍ କ୍ଷେତ୍ରରେ ବଡ ଧରଣର ସୁଧାର ଆସିବାରେ ଲାଗିଛି ।

ରାଜ୍ୟ ସରକାର ତଳ ସ୍ତରରେ ବ୍ୟାଙ୍କ୍‍ଗୁଡିକର ନିଜସ୍ୱ ଶାଖା ଖୋଲିବା ଉପରେ ଗୁରୁତ୍ୱ ଦେଉଥିବାବେଳେ ଆରବିଆଇ, ନାବାର୍ଡ ଏବଂ ଏସ୍‍ଏଲବିସି ଜନସଂଖ୍ୟା ଆଧାରରେ ୨୦୦ ପଞ୍ଚାୟତକୁ ଏଥିପାଇଁ ଚିହ୍ନଟ ସହିତ ଆସନ୍ତା ୨୦୨୩ ମାର୍ଚ୍ଚ ୩୧ ସୁଦ୍ଧା ଶାଖା ଖୋଲିବାକୁ କହିଛନ୍ତି । ସେହିଭଳି ବ୍ୟାଙ୍କିଙ୍ଗ୍‍ କରେସପଣ୍ଡେଣ୍ଟ ବ୍ୟବସ୍ଥାରେ ସୁଧାର ଲାଗି ଅଧିକରୁ ଅଧିକ ସଂଖ୍ୟକ ସ୍ୱୟଂ ସହାୟକ ଗୋଷ୍ଠିକୁ ଏଥିରେ ସାମିଲ ଉପରେ ଶ୍ରୀ ଦେବ ଜୋର ଦେଇଛନ୍ତି ।

ତଦନୁଯାୟୀ ଅଧିକ ସଂଖ୍ୟାରେ ଏସଏଚ୍‍ଜି ବ୍ୟାଙ୍କିଙ୍ଗ୍‍ କରେସପଣ୍ଡେଣ୍ଟ ଭାବେ ଦାୟିତ୍ୱ ନେବା ଫଳରେ ବ୍ୟାଙ୍କ୍‍ ଶାଖା ନଥିବା ଦୂର ଦୂରାନ୍ତ ଅଞ୍ଚଳରେ ଲୋକଙ୍କ ନିକଟରେ ଏହି ସେବା ପହଞ୍ଚିପାରୁଛି । ଏଥିପାଇଁ ମିଶନ ଶକ୍ତି ସହିତ ବ୍ୟାଙ୍କ୍‍ମାନେ ରାଜିନାମା କରିବାକୁ ସେ ପରାମର୍ଶ ଦେଇଛନ୍ତି । ସେହିଭଳି ରାଜ୍ୟର ସମସ୍ତ ଜିଲ୍ଲାରେ ଯେଭଳି ଶତ ପ୍ରତିଶତ ଡିଜିଟାଲ ପେମେଣ୍ଟ ବ୍ୟବସ୍ଥା କାର୍ଯ୍ୟକାରୀ ହେବ ସେଥିପାଇଁ ଅଭିଯାନ ଚଳାଇବାକୁ କହିଛନ୍ତି ।

ଗଞ୍ଜାମ ଜିଲ୍ଲାପାଇଁ ୟୁନିଅନ ବ୍ୟାଙ୍କ୍‍ ଅଫ୍‍ ଇଣ୍ଡିଆ ଓ ସମ୍ବଲପୁର ଜିଲ୍ଲାପାଇଁ ପଞ୍ଜାମ ନେସନାଲ ବ୍ୟାଙ୍କ୍‍କୁ ଧାର୍ଯ୍ୟ ଲକ୍ଷ୍ୟ ପୂର୍ବରୁ ସେଠାରେ ଶତ ପ୍ରତିଶତ ଡିଜିଟାଇଜେସନ କରିବାକୁ ପରାମର୍ଶ ଦେଇଛନ୍ତି । ସେହିଭଳି ଋଣ ପାଇଁ ବ୍ୟାଙ୍କଗୁଡିକ ନିକଟରେ ପଡିଥିବା ଆବେଦନକୁ ତୁରନ୍ତ ଫଏସଲା ପାଇଁ ଶ୍ରୀ ଦେବ କହିଛନ୍ତି । ବ୍ୟାଙ୍କ୍‍ଗୁଡିକ ନିକଟରେ ଦୀର୍ଘଦିନ ଧରି ଆବେଦନପତ୍ର ପଡି ରହିବାରୁ ଋଣ ନେବାକୁ ଚାହୁଁଥିବା ଲୋକେ ହତାଶ ହୋଇପଡୁଥିବାରୁ ଏଥିପାଇଁ ସମୟୋଚିତ ପଦକ୍ଷେପ ଗ୍ରହଣ କରିବାକୁ ଅର୍ଥ ବିଭାଗର ପ୍ରମୁଖ ସଚିବ ପରାମର୍ଶ ଦେଇଛନ୍ତି । (ତଥ୍ୟ)