Home Finance ଋଣ ପାଇବାରେ କେନ୍ଦୁଝର ସବୁଠୁ ପଛରେ

ଋଣ ପାଇବାରେ କେନ୍ଦୁଝର ସବୁଠୁ ପଛରେ

ଭୁବନେଶ୍ୱର ଖଣିଜ ସମ୍ପଦରେ ପରିପୂର୍ଣ୍ଣ କେନ୍ଦୁଝର ଜିଲ୍ଲାରେ ଋଣ ପ୍ରଦାନ ସ୍ଥିତି ସବୁଠାରୁ ଖରାପ । ଏପରିକି ଜିଲ୍ଲାରେ ବ୍ୟାଙ୍କ୍‍ମାନେ ଜମା ତୁଳନାରେ ସବୁଠାରୁ କମ୍‍ ଅର୍ଥ ବିନିଯୋଗ କରିଛନ୍ତି ।

ଋଣ ପ୍ରଦାନ ନେଇ ପ୍ରସ୍ତୁତ ସର୍ବଶେଷ ରିପୋର୍ଟ ଅନୁଯାୟୀ କେନ୍ଦୁଝର ହେଉଛି ରାଜ୍ୟର ଏକମାତ୍ର ଜିଲ୍ଲା ଯେଉଁଠାରେ ଜମା ତୁଳନାରେ ୠଣ ପ୍ରଦାନ ୪୦ ପ୍ରତିଶତରୁ କମ୍‍ ରହିଛି । ବିପୁଳ ଖଣିଜ କାରବାର ଦୃଷ୍ଟିରୁ କେନ୍ଦୁଝର ଜିଲ୍ଲା ବ୍ୟାଙ୍କମାନଙ୍କର ପ୍ରଥମ ପସନ୍ଦ ହୋଇଥିବାବେଳେ ଏଠାରେ ସେମାନଙ୍କର କାରବାର ଅଧିକ ରହିଥାଏ । ତେବେ କେନ୍ଦୁଝର ଜିଲ୍ଲା ୩୮.୯୩ ପ୍ରତିଶତ ଋଣ ପାଇବା ସହିତ ସମଗ୍ର ରାଜ୍ୟରେ ୩୦ତମ ସ୍ଥାନରେ ରହିଛି ।

ବ୍ୟାଙ୍କ୍‍ଗୁଡିକ କେନ୍ଦୁଝର ଜିଲ୍ଲାରୁ ୧୭,୭୩୩ କୋଟି ଟଙ୍କାର ପୁଞ୍ଜି ସଂଗ୍ରହ କରିଥିବାବେଳେ ଅଗ୍ରୀମ ଋଣ ବାବଦରେ ୬୯୦୪ କୋଟି ଟଙ୍କା ପ୍ରଦାନ କରିଛନ୍ତି ଯାହାକି ୪୦ ପ୍ରତିଶତରୁ କମ୍‍ । ଅନ୍ୟ ଜିଲ୍ଲା ଯଥା ମାଲକାନଗିରି, ମୟୁରଭଞ୍ଜ, ପୁରୀ, କଟକ, ଗଜପତି, ଜଗତସିଂହପୁର ଆଦିରେ ଋଣ ପ୍ରଦାନ ହାର ୫୦ ପ୍ରତିଶତରୁ କମ୍‍ ରହିଛି । ସେହିଭଳି ସୁନ୍ଦରଗଡ, କୋରାପୁଟ, ଖୋରଧା, କନ୍ଧମାଳ, କେନ୍ଦ୍ରାପଡା, ଗଞ୍ଜାମ, ଦେବଗଡ ଆଦି ଜିଲ୍ଲାରେ ଋଣ ପ୍ରଦାନ ହାର ୬୦ ପ୍ରତିଶତ ତଳେ ରହିଛି ।

ସମଗ୍ର ରାଜ୍ୟରେ ଋଣ ପ୍ରଦାନ ହାର ୬୧.୬୧ ପ୍ରତିଶତ ହୋଇଥିବାବେଳେ ବ୍ୟାଙ୍କ୍‍ ଗୁଡିକର ଏଭଳି ପ୍ରଦର୍ଶନ ରାଜ୍ୟ ସରକାରଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ଯେଉଁସବୁ ଜିଲ୍ଲାରେ ଋଣ ପ୍ରଦାନ ହ୍ରାସ ପାଉଛି ତାହା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି । ବାରମ୍ବାର ରାଜ୍ୟ ସରକାର ଏ ନେଇ ବ୍ୟାଙ୍କ୍‍ମାନଙ୍କର ଦୃଷ୍ଟି ଆକର୍ଷଣ କରୁଥିବାବେଳେ ସ୍ଥିତିରେ ସେଭଳି ଉନ୍ନତି ପରିଲକ୍ଷିତ ହେଉନାହିଁ ।

ରାଜ୍ୟର ବଜେଟ୍‍ ପରିମାଣ ଏକ ଲକ୍ଷ ୭୦ହଜାର କୋଟି ଟଙ୍କାରେ ପହଞ୍ଚି ଥିବାବେଳେ ଅଧିକ ଋଣ ପ୍ରଦାନ ଦ୍ୱାରା ରାଜ୍ୟର ମୋଟ୍‍ ଘରୋଇ ଉତ୍ପାଦ (ଜିଏସ୍‍ଡିପି) ବୃଦ୍ଧିର ଆଶା ରହିଛି । ରାଜ୍ୟରେ ଏକ ଲକ୍ଷ କୋଟି ଟଙ୍କାରୁ ଅଧିକ ପୁଞ୍ଜି ନିବେଶର ସୁଯୋଗ ଥିବାବେଳେ ବ୍ୟାଙ୍କ୍‍ମାନେ କିନ୍ତୁ ଏ କ୍ଷେତ୍ରରେ ନିରବ । ଏଭଳି ସ୍ଥିତିରେ ବ୍ୟାଙ୍କ୍‍ଗୁଡିକ ବୃହତ୍‍ ପ୍ରକଳ୍ପରେ ପୁଞ୍ଜିନିବେଶ କରି ରାଜ୍ୟରେ ଋଣ ପ୍ରଦାନ ହାର ବୃଦ୍ଧି କରିବାକୁ କୁହାଯାଇଛି ।

ରାଜ୍ୟ ସମବାୟ ବ୍ୟାଙ୍କ୍‍ ଅଧିକ ପ୍ରଦାନ ଋଣ ପ୍ରଦାନ କରୁଥିବାବେଳେ ଜମା ତୁଳନାରେ ଏହାର ଋଣ ପ୍ରଦାନ ହାର ୧୩୦ ପ୍ରତିଶତ ରହିଛି ଯାହାକି ରାଜ୍ୟରେ ସର୍ବାଧବକ । ଅନ୍ୟ ପକ୍ଷରେ ଓଡିଶା ଗ୍ରାମ୍ୟ ବ୍ୟାଙ୍କ୍‍ ଓ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ୍‍ ଭଳି ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କ୍‍ ଗୁଡିକର ଋଣପ୍ରଦାନ ହାର ୪୦.୫୮ ପ୍ରତିଶତ ରହିଛି । ତେବେ ସୂର୍ଯ୍ୟୋଦୟ, ଉଜ୍ଜୀବନ, ଉତ୍କର୍ଷ, ଜନ ଫାଇନାନ୍ସ ଭଳି କ୍ଷୁଦ୍ର ବ୍ୟାଙ୍କ୍‍ଗୁଡିକ ରାଷ୍ଟ୍ରାୟତ ଓ ଘରୋଇ ବ୍ୟାଙ୍କ୍‍ ତୁଳନାରେ ରାଜ୍ୟରେ ଅଧିକ ଋଣ ଯୋଗାଣ କରୁଛନ୍ତି । (ତଥ୍ୟ)