Home Health ଉପନିର୍ବାଚନକୁ କାଟୁ କରୁନି କରୋନା କଟକଣା

ଉପନିର୍ବାଚନକୁ କାଟୁ କରୁନି କରୋନା କଟକଣା

ଭୁବନେଶ୍ୱର : ରାଜ୍ୟରେ କରୋନାର ପ୍ରକୋପ ବଢ଼ୁଥିବା ଦୃଷ୍ଟିରୁ ରାଜ୍ୟ ସରକାର ଯେତେସବୁ ମାର୍ଗନିର୍ଦ୍ଦେଶିକା ଜାରି କରିଛନ୍ତି ସେଗୁଡ଼ିକୁ ରାଜ୍ୟର ପ୍ରମୁଖ ରାଜନୈତିକ ଦଳମାନେ ମାନିବାକୁ ନାରାଜ । ଏମିତିକି ନିର୍ବାଚନ କମିଶନ ମଧ୍ୟ ଲାଗୁ କରିଥିବା କରୋନା କଟକଣାକୁ ଏମାନେ ଫୁ’ କରି ଉଡ଼ାଉ ଦେଉଛନ୍ତି । ସ୍ଥାନୀୟ ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲା ଓ ରାଜ୍ୟ ପ୍ରଶାସନ ଏଭଳି ଖୋଲାଖୋଲି ଉଲ୍ଲଙ୍ଘନର ଦୃଶ୍ୟ ଦେଖୁଥିଲେ ମଧ୍ୟ ପିପିଲି ବିଧାନସଭା ଉପନିର୍ବାଚନ ପରିପ୍ରେକ୍ଷୀରେ ଉଲ୍ଲଙ୍ଘନକାରୀଙ୍କ ବିରୁଦ୍ଧରେ ସେମିତି କିଛି ଦୃଢ଼ ପଦକ୍ଷେପ ଗ୍ରହଣ କରାଯାଉନାହିଁ ।

ଇତିମଧ୍ୟରେ ପିପିଲି ବିଧାନସଭା ଉପନିର୍ବାଚନ ପରିପ୍ରେକ୍ଷୀରେ କରୋନାକୁ ଆଖି ଆଗରେ ରଖି କେତେକ ଆଚରଣ ବିଧି ଓ କଟକଣା ଲାଗୁ ହୋଇଛି । ଏଥିରେ ନିର୍ବାଚନ ପ୍ରଚାର ବେଳେ ସାମାଜିକ ଦୂରତା ବଜାୟ ରଖିବା ବାଧ୍ୟତାମୂଳକ । ଏହାଛଡ଼ା ପ୍ରାର୍ଥୀ ପ୍ରଚାର ବେଳେ ସାଙ୍ଗରେ କେତେ ଲୋକ ରଖିପାରିବେ ଏବଂ ତାଙ୍କ ସଭା ସମିତି ଶୋଭାଯାତ୍ରା ଆଦିରେ କେତେଲୋକ ଅଂଶଗ୍ରହଣ କରିପାରିବେ ସେଥିଘେନି ମଧ୍ୟ ସ୍ପଷ୍ଟ ଉଲ୍ଲେଖ ରହିଛି । ଏଥିରେ ବି ମାସ୍କ ପରିଧାନ କଥା ଓ ହସ୍ତ ବିଶୋଧନ କଥା ଉଲ୍ଲେଖ ଅଛି । କିନ୍ତୁ ପିପିଲି ଉପନିର୍ବାଚନ ପାଇଁ ପ୍ରଚାର ଜମୁଥିବା ପରିପ୍ରେକ୍ଷୀରେ ଏ ସବୁ ସତେ ଯେମିତି ପ୍ରମୁଖ ରାଜନୈତିକ ଦଳଗୁଡ଼ିକ ପାଇଁ ମୂଲ୍ୟହୀନ ହୋଇପଡ଼ିଛି ।

ପ୍ରାର୍ଥୀପତ୍ର ଦାଖଲ ସମୟରୁ ପ୍ରଚାର ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ପ୍ରମୁଖ ରାଜନୈତିକ ଦଳଗୁଡ଼ିକ ମାର୍ଗନିର୍ଦ୍ଦେଶିକ ଓ କଟକଣାକୁ ମାନୁନଥିବା ବେଳେ କାହା ବିରୁଦ୍ଧରେ କାହିଁକି କି ଯେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେଉନାହିଁ ତାହା ସଚେତନ ନାଗରିକମାନଙ୍କୁ ବ୍ୟଥିତ କରୁଛି । ହେଲ୍‍ମେଟ୍‍ ଓ ସିଟ୍‍ବେଲ୍ଟ ପରିଧାନ ନ କଲେ ଅନ୍ୟତ୍ର ଜରିମାନା ଆଦାୟ ହେଉଛି । କିନ୍ତୁ ପିପିଲିରେ ଯଦି ଏଭଳି ଜରିମାନା ଆଦାୟ ହୁଅନ୍ତା ତା’ ହେଲେ ରାଜନୈତିକ ନେତାମନେ ନିୟମ ଉଲ୍ଲଙ୍ଘନ କରିବାକୁ ସାହସ କରନ୍ତେ ନାହିଁ ।

ଏମିତିକି ନିକଟରେ ବିଜେପି ଓ ବିଜେଡି ପକ୍ଷରୁ ପିପିଲି ଥାନା ନିକଟରେ ବଡ଼ଧରଣର ବିକ୍ଷୋଭ ଏକସଙ୍ଗେ ପ୍ରଦର୍ଶନ କରାଯାଇଥିଲା । ବିକ୍ଷୋଭକାରୀଙ୍କ ଫଟୋଚିତ୍ର ବିଭିନ୍ନ ଚ୍ୟାନେଲ୍‍ରେ ପ୍ରଦର୍ଶିତ ହେବା ସହ ସମ୍ବାଦପତ୍ରମାନଙ୍କରେ ମଧ୍ୟ ପ୍ରକାଶ ପାଇଛି । ଅଥଚ ଥାନ ଆଗରେ କରୋନ କଟକଣା ଓ ନିର୍ବାଚନ ଆଚରଣ ବିଧିର ଉଲ୍ଲଙ୍ଘନ କରିଥିବା ନେତା ଓ ସେମାନଙ୍କ ସମର୍ଥକଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ ।

ସବୁଦିନ ଏଠି ବାଇକ୍‍ ଶୋଭାଯାତ୍ରାରେ ଶହ ଶହ ଲୋକଙ୍କୁ ବିନା ହେଲମେଟ୍‍ ଓ ବିନା ମାସ୍କରେ ଦେଖିବାକୁ ମିଳୁଛି । ପଚାରିଲେ ଉତ୍ତର ଆସୁଛି ପଶ୍ଚିମବଙ୍ଗ, ଆମାସ ସମେତ ଯେଉଁ ୫ଟି ରାଜ୍ୟରେ ବିଧାନସଭା ପାଇଁ ନିର୍ବାଚନ ହେଉଛି ସେଠି ବି ଅନୁରୂପ ଅବସ୍ଥା । ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀତଙ୍କ ସମାବେଶଗୁଡ଼ିକରେ ଏଭଳି ଦୃଶ୍ୟ ନିୟମିତ ଦେଖାଯାଉଥିଲେ ବି କାହା ବିରୁଦ୍ଧରେ କିଛି କାର୍ଯ୍ୟାନୁଷ୍ଠାନ ହେଉନାହିଁ ।

ନିକଟ ଅତୀତରେ ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନରେ ଏଭଳି ଘଟିଥିଲା । ତେଣୁ ଉପନିର୍ବାଚନ ଏବେ ପିପିଲି-ଡେଲାଙ୍ଗ ଲୋକଙ୍କ ପାଇଁ ଚିନ୍ତା ବଢ଼ାଇଛି । ପିପିଲି ଉକଣ୍ଠରେ ଥିବା ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ କରୋନାର ଦ୍ୱିତୀୟ ଲହର ବ୍ୟାପୁଛି । ଏଥିପାଇଁ ବିମାନ ବନ୍ଦର, ରେଳଷ୍ଟେସନ ଆଦିରେ ଯାତ୍ରୀଙ୍କ ଚେକିଂ ସହିତ ପରୀକ୍ଷଣ ଓ ଟିକାଦା କାର୍ଯ୍ୟ ବଢ଼ା ଯାଇଛି ଏବଂ ଅନେକ କ୍ଷେତ୍ରରେ ଦୋକାନ ବଜାର, ଦପ୍ତର, ଶିକ୍ଷାନୁଷ୍ଠାନ ଆଦି ମଧ୍ୟ ସିଲ୍‍ କରାଯାଉଛି ।

ତେଣୁ ପିପିଲ-ଡେଲାଙ୍ଗ ନିର୍ବାଚନ ମଣ୍ଡଳୀର ପ୍ରତି ପ୍ରବେଶ ପଥକ ସିଲ୍‍କରି ଏବେ ଏହି ଅଞ୍ଚଳକୁ ନିର୍ବାଚନୀ ତୀର୍ଥକ୍ଷେତ୍ର ବନାଇଥିବା ରାଜନେତା ଓ ସେମାନଙ୍କ ସମର୍ଥକମାନଙ୍କୁ କଡ଼ା ନିୟନ୍ତ୍ରଣ ମଧ୍ୟକୁ ଆଣି ଏମାନଙ୍କ ମଧ୍ୟରୁ ଉଲ୍ଲଙ୍ଘନକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଲାଗି ଲୋକେ ଦାବି କରୁଛନ୍ତି । ଏହା କରାନଗଲେ ସମଗ୍ର ନିର୍ବାଚନମଣ୍ଡଳୀରେ ସାଂଘାତିକ କରୋନା ସଂକ୍ରମଣ ହୋଇପାରେ ବୋଲି ବିଭିନ୍ନ ପଞ୍ଚାୟତର ଲୋକେ ଆଶଙ୍କାବ୍ୟକ୍ତ କରୁଛନ୍ତି । (ତଥ୍ୟ)