Home News in Odia ଉପକୂଳ ସୁରକ୍ଷା ପାଇଁ ଖୁବ୍‍ଶୀଘ୍ର ରାଜିନାମା

ଉପକୂଳ ସୁରକ୍ଷା ପାଇଁ ଖୁବ୍‍ଶୀଘ୍ର ରାଜିନାମା

ଭୁବନେଶ୍ୱର,୨୪ା୬- (ତଥ୍ୟ) ଉପକୂଳରେ ଥିବା ସମ୍ବେଦନଶୀଳ ଲୁଣାବନ୍ଧକୁ ମଝବୁତ କରିବାପାଇଁ ରାଜ୍ୟ ସରକାର ଖୁବ୍‍ଶୀଘ୍ର ଚେନ୍ନାଇ ସ୍ଥିତ ନେସନାଲ ଇନ୍‍ଷ୍ଟିଟ୍ୟୁଟ ଅଫ୍‍ ଓସିଏନ୍‍ ଟେକ୍ନୋଲୋଜି (ଏନ୍‍ଆଇଓଟି) ସହ ରାଜିନାମା ସ୍ୱାକ୍ଷର କରିବେ । ଏହା ଫଳରେ ଲୁଣାବନ୍ଧର ସୁରକ୍ଷା ପାଇଁ ସରକାରଙ୍କୁ ବୈଷୟିକ ମାର୍ଗଦର୍ଶନ ମିଳିପାରିବ ।

କେନ୍ଦ୍ର ଭୂ ବିଜ୍ଞାନ ମନ୍ତ୍ରାଳୟ ଅଧିନରେ ଥିବା ଏନ୍‍ଆଇଓଟି ସମ୍ମତି ପ୍ରଦାନ କରିବାପରେ ରାଜ୍ୟ ଜଳସମ୍ପଦ ବିଭାଗ ପକ୍ଷରୁ ଏଥିପାଇଁ ଚିଠା ରାଜିନାମା ପ୍ରସ୍ତୁତ କରାଯାଇଛି । ରାଜ୍ୟ ଅର୍ଥ ବିଭାଗ ମଧ୍ୟ ଏହି ଚିଠା ରାଜିନାମାକୁ ଅନୁମୋଦନ କରିଛି ଏବଂ ବର୍ତ୍ତମାନ ଏହାକୁ ଏନ୍‍ଆଇଓଟିକୁ ପଠାଯିବ ଯାହାକୁ କେନ୍ଦ୍ର ଭୂ ବିଜ୍ଞାନ ମନ୍ତ୍ରାଳୟ ଅନୁମୋଦନ କରିବ । କେନ୍ଦ୍ରୀୟ ମନ୍ତ୍ରାଳୟରୁ ଅନୁମୋଦନ ମିଳିବା ପରେ ପରେ ବିଶେଷ ଉତ୍ସବରେ ଏଠାରେ ରାଜିନାମା ସ୍ୱାକ୍ଷରିତ ହେବବୋଲି ଜଣାଯାଇଛି ।

ପୂର୍ବରୁ ଏଥିପାଇଁ ଜଳସମ୍ପଦ ବିଭାଗ ପକ୍ଷରୁ ଏନ୍‍ଆଇଓଟିର ନିର୍ଦ୍ଦେଶକଙ୍କ ସମେତ ମାଡ୍ରାସ ଆଇଆଇଟିର ନିର୍ଦ୍ଦେଶକ ଏବଂ ହାଇଦ୍ରାବାଦ ସ୍ଥିତ ଜାତୀୟ ସାମୁଦ୍ରିକ ସୂଚନା ସେବା କେନ୍ଦ୍ରକୁ ମଧ୍ୟ ପତ୍ର ଲେଖାଯାଇଥିଲା । ଏଥିପାଇଁ ଏନ୍‍ଆଇଓଟି ରାଜ୍ୟ ସରକାରଙ୍କ ସହ କାର୍ଯ୍ୟକରିବାପାଇଁ ଆଗେଇ ଆସିଥିଲା । ଏନ୍‍ଆଇଓଟି ଲୁଣାବନ୍ଧର ସୁରକ୍ଷା ପାଇଁ ବୈଷୟିକ ଜ୍ଞାନକୌଶଳ ଓ ଡିଜାଇନ୍‍ ଆଦି ଯୋଗାଇଦେବେ ।

ଉଲ୍ଲେଖନୀୟ ଯେ ଉପକୂଳ ଓଡିଶାରେ ନିୟମିତ ଭାବେ ବନ୍ୟା ଓ ବାତ୍ୟା ଆସିବା ଯୋଗୁଁ ବ୍ୟାପକ ଧନଜୀବନ ହାନି ହେଉଛି । ଓଡିଶାର ୬ଟି ଜିଲ୍ଲାରେ ୪୮୦ କିଲୋମିଟର ବ୍ୟାପି ବିସ୍ତୃତ ଉପକୂଳ ରହିଛି । ଏଠାରେ ବର୍ଷକ ବ୍ୟବଧାନରେ ବାତ୍ୟା ଓ ମହାବାତ୍ୟା ଭଳି ସ୍ଥିତି ଉପୁଜିବା ସହିତ ବ୍ୟାପକ ଧନଜୀବନ ହାନି ସହିତ ଭିତ୍ତିଭୂମି ନଷ୍ଟ ହୋଇ ଯାଉଛି । ଏହା ଫଳରେ କୂଳକ୍ଷୟ ସହିତ ଲହଡି ମାଡରେ ସମୁଦ୍ର ଖାଇଯାଉଥିବାରୁ ତଟବର୍ତ୍ତୀ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ପାଇଁ ଏହା ବିପଦ ସୃଷ୍ଟି କରିଛି ।

ରାଜ୍ୟ ସରକାର ଉପକୂଳର କେତେକ ସମ୍ବେଦନଶୀଳ ଅଞ୍ଚଳକୁ ଚିହ୍ନଟ କରିବା ସହିତ ଉନ୍ନତ ଜ୍ଞାନକୌଶଳ ବ୍ୟବହାର କରି ଏହାକୁ ସୁରକ୍ଷିତ ରଖିବାପାଇଁ ପଦକ୍ଷେପ ଗ୍ରହଣ କରୁଛନ୍ତି । ଲହଡି ମାଡରୁ ସୁରକ୍ଷା ଲାି ୩୮୦ କିଲୋମିଟର ଲୁଣାବନ୍ଧ ନିର୍ମାଣ ପାଇଁ ଜଳସମ୍ପଦ ବିଭାଗ ପକ୍ଷରୁ ୧୯୪୪ କୋଟି ଟଙ୍କାର ଯୋଜନା ପ୍ରସ୍ତୁତ ହୋଇଛି । ବିଭାଗ ପକ୍ଷରୁ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରାଯିବା ସହିତ ପ୍ରଥମ ପର୍ଯ୍ୟାୟରେ ୩୮୦ କିଲୋମିଟର ଲୁଣାବନ୍ଧ ନିର୍ମାଣ ପାଇଁ ଯୋଜନା ରହିଛି । (ତଥ୍ୟ)