Home Agriculture ଉପକୂଳରେ ମିଲର୍ସଙ୍କ ଲୁଚକାଳି ଖେଳ

ଉପକୂଳରେ ମିଲର୍ସଙ୍କ ଲୁଚକାଳି ଖେଳ

ଭୁବନେଶ୍ୱର : ଚାଷୀଙ୍କ ଧାନ ଉଠାଇବାକୁ ମିଲରମାନେ ଆସିବାରେ ବିଳମ୍ବ କରୁଛନ୍ତି । ସରକାରଙ୍କ ଶତ ତାଗିଦ ସତ୍ୱେ ଧାନ ରଙ୍ଗକୁ ଆଳ କରି ମିଲର୍ସମାନେ ଗାଡି ପଠାଉନଥିବାରୁ ଚାଷୀମାନେ ଅମଳ କରିଥିବା ଧାନକୁ ଧରି ବସିଛନ୍ତି । ଏଭଳି ଘଟଣା ରାଜ୍ୟର କେଉଁ ଉପାନ୍ତ ଅଞ୍ଚଳରେ ନୁହେଁ, ଉପକୂଳବର୍ତ୍ତୀ ଜଗତ୍‍ସିଂହପୁର ଜିଲ୍ଲାରେ ଲକ୍ଷ୍ୟ କରାଯାଇଛି ।

ଜିଲ୍ଲାର ବାଲିକୁଦା, ମାଛଗାଁ, ନାଉଗାଁ, ଜଗତ୍‍ସିଂହପୁର ଆଦି ଅଞ୍ଚଳରେ ଏବେ ବି ଚାଷୀମାନେ ଅମଳ କରିଥିବା ଧାନକୁ ବିକ୍ରି କରିପାରି ନାହାନ୍ତି । ଧାନ ସଂଗ୍ରହ ଦାୟିତ୍ୱରେ ଥିବା ସୋସାଇଟିଗୁଡିକରେ ପଞ୍ଜିକରଣ ପରେ ଚାଷୀଙ୍କ ନିକଟକୁ ଧାନ ଦେବାପାଇଁ ମେସେଜ ଆସୁଛି । ହେଲେ ଯେଉଁ ତାରିଖ ଦିଆଯାଉଛି ସେହି ତାରିଖରେ ମିଲର୍ସ ଗାଡି ପଠାଉ ନାହାନ୍ତି । ପରେ ଧାନ ନିଆଯିବ କହି କେତେକ ସ୍ଥାନରେ ଫେରାଇ ଦିଆଯାଉଛି । ଏହାପରେ ପୁଣିଥରେ ଚାଷୀଙ୍କ ମେସେଜ ଆସୁଛି ଯେ, ଠିକଣା ସମୟରେ ଆପଣ ଧାନ ଦେଇ ନାହାନ୍ତି, ତେଣୁ ନୂତନ ଭାବେ ଦିଆଯାଉଥିବା ତାରିଖ ମଧ୍ୟରେ ମଣ୍ଡିରେ ଧାନ ଦିଅନ୍ତୁ ।

ଅମଳ ଧାନକୁ ସାଇତି ଧରି ବସିଥିବା ଅଧିକାଂଶ ଚାଷୀ ଏଭଳି ସେସେଜ ଦେଖି ଏକ ପ୍ରକାର ବାଉଳା ହେଉଛନ୍ତି । ଯେଉଁ ମଣ୍ଡିରେ ସେମାନଙ୍କୁ ପରେ ଆସିବାକୁ କୁହାଯାଇଛି ସେହି ମଣ୍ଡିରେ ଠିକଣା ସମୟରେ ଧାନ ଦେଇନ ବୋଲି ମେସେଜ ପଢିବାପରେ ଅନେକ ବାଧ୍ୟହୋଇ ମଣ୍ଡିକୁ ଧାଇଁବାରେ ଲାଗିଛନ୍ତି ।

ତେବେ ମିଳିଥିବା ସୂଚନା ଅନୁଯାୟୀ ଅଦିନିଆ ବର୍ଷା କେତେକ ଅଞ୍ଚଳରେ ଧାନର ରଙ୍ଗରେ ସାମାନ୍ୟ ପରିବର୍ତ୍ତନ ହୋଇଥିବାରୁ ତାହାକୁ ଆଳ କରି ମିଲର୍ସମାନେ ଧାନ ନେବାକୁ ଆସୁନାହାନ୍ତି । ଜିଲ୍ଲା ବାହାରର ମିଲର୍ସ ତ ଦୂରରକଥା, ଜିଲ୍ଲା ଭିତରେ ଥିବା ମିଲର୍ସମାନେ ବି ଧରାଛୁଆଁ ଦେଉ ନାହାନ୍ତି । ଏଭଳି ସ୍ଥିତିରେ ଧାନ ସଂଗ୍ରହ ଦାୟିତ୍ୱରେ ଥିବା ସରକାରୀ ଅଧିକାରୀମାନେ ମିଲର୍ସମାନଙ୍କୁ ଏବେ ଖୋସାମତ କରୁଥିବା ଲକ୍ଷ୍ୟ କରାଯାଇଛି ।

ଗୋଟିଏ ପଟେ ଧାନ ଉଠିବାରେ ବିଳମ୍ବ ହେଉଥିବା ଏବଂ ଅନ୍ୟ ପଟେ ପଶ୍ଚିମାଝଡ ପ୍ରଭାବରେ ରାଜ୍ୟରେ ତୁହାକୁ ତୁହା ବର୍ଷା ହେଉଥିବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି । ଚଳିତବର୍ଷ ରାଜ୍ୟରେ ଏକାଧିକ ଅଦିନିଆ ବର୍ଷାକୁ ସାମ୍ନା କରି ଚାଷୀମାନେ ଅମଳ କରିଥିବା ଧାନ ବିକ୍ରି ପାଇଁ ଅପେକ୍ଷା କରିଥିବାବେଳେ ମିଲର୍ସଙ୍କ ଲୁଚକାଳି ଖେଳ ଜିଲ୍ଲାର ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ବଢାଇବାରେ ଲାଗିଛି ।

ତେବେ କେତେକ ଚାଷୀଙ୍କ କହିବାକଥା ଯେ ଅଦିନିଆ ବର୍ଷାରେ ସେଭଳି ଭାବେ ଧାନ କ୍ଷତିଗ୍ରସ୍ତ ହୋଇନଥିବାବେଳେ ଅଧିକ ପରିମାଣରେ ଧାନ କାଟି ରଖିବାପାଇଁ ମିଲର୍ସମାନେ ଏଭଳି ଚାଲ୍‍ ଖେଳୁଛନ୍ତି । ଏଥି ପ୍ରତି ସରକାରୀ ଅଧିକାରୀମାନେ ସତର୍କ ଦୃଷ୍ଟି ରଖିବା ସହିତ କଠୋର ପଦକ୍ଷେପ ଗ୍ରହଣ ନକଲେ ଜିଲ୍ଲାର ଚାଷୀମାନେ ବ୍ୟାପକ କ୍ଷତି ସହିବେ । ତେବେ ଭାରତୀୟ ପାଣିପାଗ ବିଭାଗ ବାରମ୍ବାର ବର୍ଷାର ଚେତାବନୀ ଦେଉଥିବାରୁ ଚାଷୀଙ୍କ ଧାନ କିଭଳି ଯଥାଶୀଘ୍ର ମଣ୍ଡିରୁ ଉଠିବ ସେ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଚାଷୀମାନେ ଦାବି କରିଛନ୍ତି । (ତଥ୍ୟ)