Home Finance ଇ-ଯାନ ସବସିଡ୍‍ ନେଇ ସମସ୍ତେ ଅନ୍ଧାରରେ

ଇ-ଯାନ ସବସିଡ୍‍ ନେଇ ସମସ୍ତେ ଅନ୍ଧାରରେ

ଭୁବନେଶ୍ୱର : ରାଜ୍ୟରେ ଇ-ଯାନ ନୀତି ପ୍ରଣୟନ ସଂକ୍ରାନ୍ତୀୟ ଗେଜେଟ ବିଜ୍ଞପ୍ତି ପ୍ରକାଶକୁ ମାସଟିଏ ପୂରିଲାଣି । ହେଲେ ସରକାରୀ ଘୋଷଣା ଅନୁଯାୟୀ ବିଦ୍ୟୁତ୍‍ ଚାଳିତ ଗାଡି କିଣିଲେ ଲୋକେ କିଭଳି ରିହାତି ପାଇବେ ତାହା ଜାଣିପାରୁ ନାହାନ୍ତି । ଘୋଷଣା ସଂକ୍ରାନ୍ତରେ ପରିହବନ ବିଭାଗ ଠାରୁ ଆରମ୍ଭ କରି ଗାଡି ଡିଲରଙ୍କ ପର୍ଯ୍ୟନ୍ତ ସମସ୍ତେ ଏକ ପ୍ରକାର ଅନ୍ଧାରରେ ।

ସେପ୍ଟେମ୍ବର ଦୁଇ ତାରିଖରେ ରାଜ୍ୟ ସରକାର ଇ-ଯାନ ନୀତି ଗେଜେଟ ବିଜ୍ଞପ୍ତି ଆକାରରେ ଘୋଷଣା କରିଥିଲେ । ଏଥିରେ ଉଲ୍ଲେଖ ଥିଲା ଯେ ବିଦ୍ୟୁତ୍‍ଚାଳିତ ଯାନ ଖରିଦ କରୁଥିବା ଗ୍ରାହକମାନଙ୍କୁ ଦୁଇ ଚକିଆ ପାଇଁ ସର୍ବାଧିକ ୫ହଜାର, ତିନି ଚକିଆ ପାଇଁ ୧୦ହଜାର ଓ ୪ଚକିଆ ଯାନ କ୍ରେତାଙ୍କୁ ୫୦ହଜାର ଟଙ୍କାର ସବସିଡ୍‍ ମିଳିବ । ଏଥି ସହିତ ସରକାରୀ କର୍ମଚାରୀମାନଙ୍କୁ ବିଦ୍ୟୁତ୍‍ ଚାଳିତ ଗାଡି କିଣିବାପାଇଁ ବିନା ସୁଧରେ ଋଣ ଏବଂ ସାଧାରଣ ଲୋକଙ୍କୁ ୪ବର୍ଷ ପର୍ଯ୍ୟନ୍ତ ନେଇଥିବା ଋଣର ସୁଧ ଉପରେ ୫ ପ୍ରତିଶତ ରିହାତି ଘୋଷଣା ହୋଇଛି ।

ତେବେ ସରକାରଙ୍କର ଏହି ଘୋଷଣାରୁ ବିଦ୍ୟୁତ୍‍ ଚାଳିତ ଗାଡି କିଣୁଥିବା ଲୋକେ କିଭଳି ଲାଭ ଉଠାଇବେ ତାହା ଜାଣିପାରୁ ନାହାନ୍ତି । ଗାଡି ବିକ୍ରେତାମାନଙ୍କ ନିକଟକୁ ଏ ନେଇ କୌଣସି ସ୍ପଷ୍ଟ ନିର୍ଦ୍ଦେଶନାନା ଯାଇନଥିବାରୁ ସେମାନେ ସବ୍‍ସିଡ୍‍ ଦେବାକୁ ମନାକରି ଦେଉଛନ୍ତି । କେତେକ ଗାଡି ବିକ୍ରେତା ଏହି ସବ୍‍ସିଡ୍‍ କେବଳ ପଞ୍ଜିକୃତ ହେଉଥିବା ଗାଡି ଉପରେ ରହିଛି ଏବଂ ଗ୍ରାହକଙ୍କୁ ପଞ୍ଜିକରଣ ଦେୟ ସବସିଡ୍‍ ଅର୍ଥରୁ ଭରଣା ହେବବୋଲି ବୁଝାଇ ଦେଉଛନ୍ତି । ହେଲେ ଯେଉଁମାନେ ବିନା ପଞ୍ଜିକରଣ ଗାଡି କିଣୁଛନ୍ତି ସେମାନେ ଏହି ରିହାତି ପାଇବେ ନାହିଁ ବୋଲି କୁହାଯାଉଛି ।

ଉଲ୍ଲେଖନୀୟ ଯେ ଯେଉଁ ବିଦ୍ୟୁତ୍‍ଚାଳିତ ଦୁଇ ଚକିଆ ଯାନରେ ୨୫୦ ୱାଟ୍‍ କିମ୍ବା ତାହାଠାରୁ କମ୍‍ କ୍ଷମତା ସମ୍ପନ୍ନ ମୋଟର ଲାଗିଛି ସେହି ଗାଡିର ପଞ୍ଜିକରଣ ଆବଶ୍ୟକ ନାହିଁ । ଗୋଟିଏ ଗୋଟିଏ କମ୍ପାନୀର ସମସ୍ତ ଦୁଇ ଚକିଆ ଯାନ ଏହି ଶ୍ରେଣୀର । ତେଣୁ ସେହିସବୁ କମ୍ପାନୀରୁ ଗାଡି କିଣିଲେ ସରକାରୀଙ୍କ ଘୋଷିତ ସବ୍‍ସିଡ୍‍ ଗ୍ରାହକ କିଭଳି ପାଇବେ ତାହା ସ୍ପଷ୍ଟ ହେଉନାହିଁ । ପରିବହନ ଅଧିକାରୀମାନେ ମଧ୍ୟ ଏ ନେଇ ସ୍ପଷ୍ଟ ଭାବରେ କିଛି କହିପାରୁ ନାହାନ୍ତି ।

ଏଠାରେ ଉଲ୍ଲେଖ କରାଯାଇପାରେ ଯେ ବିଦ୍ୟୁତ୍‍ ଚାଳିତ ଯାନ ଉପରେ କେନ୍ଦ୍ର ସରକାରଙ୍କ ସମେତ ବିଭିନ୍ନ ରାଜ୍ୟମାନେ ବିପୁଳ ସବ୍‍ସିଡ୍‍ ପ୍ରଦାନ କରୁଛନ୍ତି । ଆଗାମୀ ୨୦୨୫ ସୁଦ୍ଧା ପଞ୍ଜିକୃତ ହେଉଥିବା ଯାନର ୨୦ ପ୍ରତିଶତ ଯେଭଳି ବିଦ୍ୟୁତ୍‍ ଚାଳିତ ଯାନ ହୁଏ ସେଥିପାଇଁ ଲକ୍ଷ୍ୟ ରଖାଯାଇଛି । ହେଲେ ଲୋକଙ୍କୁ ଏହି ଯାନ କିଣିବାପାଇଁ ଉତ୍ସାହିତ କରିବାକୁ ସରକାର ଯେଉଁ ଘୋଷଣା କରିଛନ୍ତି ତାହା କିଭଳି କାର୍ଯ୍ୟକାରୀ ହେବ ସେଥିନେଇ କିଛି ବି ସ୍ପଷ୍ଟ ହୋଇପାରୁ ନଥିବାରୁ ଇଚ୍ଛା ଥିଲେ ବି ସରକାରୀ ରିହାତିକୁ ଅନାଇ ଲୋକେ ଖରିଦ କରିବାକୁ ପଛାଉଛନ୍ତି ।

ଅନ୍ୟ ପକ୍ଷରେ ସରକାର ଯେତିକି ରିହାତି ଘୋଷଣା କରୁଛନ୍ତି ଗାଡି ନିର୍ମାତା ଓ ପ୍ରାଧିକୃତ ଡିଲରମାନେ ସେହି ପରିମାଣରେ ଗାଡିର ଦର ବଢାଇ ଚାଲୁଛନ୍ତି । ଏପରିକି ନିର୍ମାତାମାନେ ସେମାନଙ୍କ ୱେବସାଇଟ୍‍ରେ ଦର୍ଶାଉଥିବା ଦାମ ଠାରୁ ବହୁ ଅଧିକ ଦରରେ ବିଦ୍ୟୁତ୍‍ ଚାଳିତ ଗାଡି ବିକ୍ରି ହେଉଛି । ତେଣୁ ଘୋଷିତ ରାହାତି କିଭଳି ଲୋକେ ପାଇବେ ତାହା ନିଶ୍ଚିତ କରିବା ସହିତ ଏଭଳି ଯାନ ବିକ୍ରି ଉପରେ ସରକାର ନଜର ରଖିବାକୁ ଦାବି ହେଉଛି । (ତଥ୍ୟ)