Home General ଇ-କ୍ୟାବିନେଟ୍‍ ପାଇଁ ଯୋଜନା ପ୍ରସ୍ତୁତ

ଇ-କ୍ୟାବିନେଟ୍‍ ପାଇଁ ଯୋଜନା ପ୍ରସ୍ତୁତ

ଭୁବନେଶ୍ୱର : ଆଗାମୀ ଦିନରେ ରାଜ୍ୟ କ୍ୟାବିନେଟ୍‍ ‘ଇ-କ୍ୟାବିନେଟ୍‍’ ହେବା ସହିତ ଏହା କାଗଜ ରହିତ ହେବ । ରାଜ୍ୟ ସରକାର ଏଥିପାଇଁ ଯୋଜନା ପ୍ରସ୍ତୁତ କରୁଥିବା ସୂଚନା ମିଳିଛି ।

ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମର ଏକ ଅଂଶ ଭାବେ ନେସନାଲ ଇନଫରମେଟିକ୍ସ ସେଣ୍ଟର (ଏନ୍‍ଆଇସି) ଓଡିଶା ସରକାରଙ୍କ ପାଇଁ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରିବ । ଖୁବ୍‍ ଶୀଘ୍ର ରାଜ୍ୟ ସଂସଦୀୟ ବ୍ୟାପାର ବିଭାଗ ଏବଂ ଏନ୍‍ଆଇସି ମଧ୍ୟରେ ପ୍ରକଳ୍ପ ସଂକ୍ରାନ୍ତରେ ଆଲୋଚନା ପାଇଁ ବୈଠକ ଅନୁଷ୍ଠିତ ହେବ ବୋଲି ଜଣାଯାଇଛି । ଥରେ ଅନ୍‍ଲାଇନ୍‍ ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ ସମ୍ପୂର୍ଣ୍ଣ କ୍ୟାବିନେଟ୍‍ ଏବଂ ମନ୍ତ୍ରୀମଣ୍ଡଳ ସଂକ୍ରାନ୍ତୀୟ ସମସ୍ତ ସୂଚନା ୱେବ ପ୍ଲାଟଫର୍ମକୁ ଆସିଯିବ । ଏ ସଂକ୍ରାନ୍ତୀୟ ଫାଇଲ୍‍ କାର୍ଯ୍ୟ ଏକପ୍ରକାର ଇତିହାସ ପାଲଟିବ ।

କ୍ୟାବିନେଟ୍‍ ବୈଠକ ପାଇଁ ବିଭିନ୍ନ ବିଭାଗ ମଧ୍ୟରେ ଏକାଧିକ ବାର୍ତ୍ତାଳାପ ଓ ଫାଇଲ୍‍ ନେଣ ଦେଣ ହୋଇଥାଏ । ପ୍ରତ୍ୟେକ ବୈଠକ ପାଇଁ ବ୍ୟାପକ କାଗଜ, ତେଲ, ମାନବସମବଳ ସହିତ ସମୟ ବି ଖର୍ଚ୍ଚ ହୋଇଥାଏ । ଇ-କ୍ୟାବିନେଟ୍‍ ବ୍ୟବସ୍ଥାରେ କ୍ୟାବିନେଟ୍‍ ନିଷ୍ପତ୍ତିର ସମସ୍ତ ସୂଚନା ଡାଟାବେସ୍‍ରେ ରହିବା ସହିତ ଚାହିଁଲା ମାତ୍ରେ ତୁରନ୍ତ ତାହା ଉପଲବ୍ଧ ହେବ । ତେବେ କ୍ୟାବିନେଟ ସଂକ୍ରାନ୍ତୀୟ କେତେକ ଗୁପ୍ତ ତଥ୍ୟ ବାଦ୍‍ ଅନ୍ୟଗୁଡିକ ସହଜରେ ମିଳିପାରିବ ।

ଫାଇଲ୍‍ଗୁଡିକ ଇଲେକଟ୍ରୋନିକ ବ୍ୟବସ୍ଥାରେ ଗତି କରିବା ଫଳରେ କୌଣସି ଗୁପ୍ତ ତଥ୍ୟ ପ୍ରଘଟ ହେବାର ସମ୍ଭାବନା କ୍ଷୀଣ ବୋଲି ଅଧିକାରୀମାନେ ମତ ଦେଉଛନ୍ତି । ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଏବଂ ଏଥି ସହିତ ସଂଶ୍ଳିଷ୍ଟ ବରିଷ୍ଠ ଅଧିକାରୀମାନେ ହିଁ କେବଳ ଏହି ଫାଇଲ୍‍କୁ ଦେଖିପାରିବେ । ଭବିଷ୍ୟତରେ ସମସ୍ତ ସୂଚନା ଏସ୍‍ଏମଏସ୍‍, ଇ-ମେଲ୍‍ ଏବଂ ପୋର୍ଟାଲ ଜରିଆରେ ଯେକୌଣସି ସମୟରେ ଉପଲବ୍ଧ ହୋଇପାରିବ ।

ଅନ୍ୟ ରାଜ୍ୟ ଯଥା ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡ ସଫଳତାର ସହ ଏଭଳି ପ୍ରକଳ୍ପ କାର୍ଯ୍ୟକାରୀ କରୁଛନ୍ତି । ରାଜ୍ୟ ସରକାର ମଧ୍ୟ ଇ-ବିଧାନ ବା କାଗଜରହିତ ବିଧାନସଭା ଆରମ୍ଭ କରିଛନ୍ତି । ବିଧାନସଭାର ପ୍ରଶ୍ନ ଏବଂ ଉତ୍ତର ନେସନାଲ ଇ-ବିଧାନ ଆପ୍ଲିକେସନ ବା ନେଭା ପୋର୍ଟାଲ ଏବଂ ମୋବାଇଲ୍‍ ଫର୍ମାଟରେ ଉପଲବ୍ଧ ହେଉଛି । ବିଧାନସଭାର ସମସ୍ତ କାର୍ଯ୍ୟ ଏବେ ମୋବାଇଲ୍‍ ଆପ୍ଲିକେଶନରେ ଉପଲବ୍ଧ । ଏପରିକି ଡିଜିଟାଲ ବ୍ୟବସ୍ଥାରେ ବଜେଟ୍‍ ଉପସ୍ଥାପନ ହେବା ସହିତ ସମସ୍ତ ସଦସ୍ୟଙ୍କୁ ଏହା ନେଭା ଜରିଆରେ ଯୋଗାଇ ଦିଆଯାଉଛି । ସାଧାରଣ ଲୋକେ ବି ସହଜରେ ଏହାକୁ ପାଇପାରୁଛନ୍ତି । (ତଥ୍ୟ)