Home News in Odia ଇଣ୍ଟରନେଟ୍‍ ସଂଯୋଗରେ କରୋନା ବାଧକ

ଇଣ୍ଟରନେଟ୍‍ ସଂଯୋଗରେ କରୋନା ବାଧକ

କରୋନା ମହାମାରୀ ଯୋଗୁଁ ରାଜ୍ୟରେ ଇଣ୍ଟରନେଟ୍‍ ସଂଯୋଗ ଧିମେଇ ଯାଇଛି । ଚଳିତବର୍ଷ ଜୁନ୍‍ ଶେଷ ସୁଦ୍ଧା ସମସ୍ତ ପଞ୍ଚାୟତକୁ ବ୍ରଡବ୍ୟାଣ୍ଡ ସଂଯୋଗ ପାଇଁ ଯେଉଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା ତାହାକୁ ଡିସେମ୍ବର ଶେଷକୁ ଘୁଞ୍ଚାଇ ଦିଆଯାଇଛି ।

ଓଡିଶାର ସମସ୍ତ ପଞ୍ଚାୟତକୁ ଭାରତ ନେଟ୍‍ ଯୋଜନାରେ ଇଣ୍ଟରନେଟ୍‍ ସଂଯୋଗ କରାଯାଉଛି । ଦୁଇ ପର୍ଯ୍ୟାୟରେ ଏହି ଯୋଜନା କାର୍ଯ୍ୟକାରୀ ହେଉଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟ କାମରେ କରୋନା ମହାମାରୀ ବାଧକ ସାଜିଛି । ପ୍ରଥମ ପର୍ଯ୍ୟାୟରେ ୧୮ଟି ଜିଲ୍ଲାର ୧୮୧ ବ୍ଲକର ୩୮୧୦ ପଞ୍ଚାୟତକୁ ଇଣ୍ଟରନେଟ୍‍ ଯୋଗାଣଲାଗି କାର୍ଯ୍ୟ ଆରମ୍ଭ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ୩୮୯୬ ପଞ୍ଚାୟତ ଓ ବ୍ଲକରେ ଇଣ୍ଟରନେଟ୍‍ ସଂଯୋଗ ପାଇଁ କାମ ସରିଛି ।

ଦ୍ୱିତୀୟ ପର୍ଯ୍ୟାୟରେ ୩୦ଟି ଜିଲ୍ଲାର ୧୩୩ଟି ବ୍ଲକ ମୁଖ୍ୟାଳୟ ଓ ୨୯୮୩ଟି ପଞ୍ଚାୟତରେ ଇଣ୍ଟରନେଟ୍‍ ସଂଯୋଗ କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ଅଧିକାଂଶ ଜିଲ୍ଲାରେ ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟ ସରିନାହିଁ । ମୋଟ୍‍ ୩୧୧୬ ବ୍ଲକ ଓ ପଞ୍ଚାୟତ ମଧ୍ୟରୁ କାମ ସରିଛି ମାତ୍ର ୭୦୨ଟିର । କଳାହାଣ୍ଡି, କେନ୍ଦୁଝର, ମୟୁରଭଞ୍ଜ, ଅନୁଗୁଳ, ବଲାଙ୍ଗିର, ଝାରସୁଗୁଡା, ନବରଙ୍ଗପୁର, ନୂଆପଡା, ରାୟଗଡା ଓ ସୁନ୍ଦରଗଡର କିଛି ପଞ୍ଚାୟତ ଓ ବ୍ଲକକୁ ବାଦ୍‍ ଦେଲେ ଅନ୍ୟାନ୍ୟ ସ୍ଥାନରେ କାମ ଶୂନ । ଭାରତ ନେଟ୍‍ର ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟ ସରିବାପାଇଁ କରୋନା ମହାମାରୀକୁ ଦାୟୀ କରାଯାଉଥିବାବେଳେ କାର୍ଯ୍ୟ ଡିସେମ୍ବର ସୁଦ୍ଧା ସରିବ କି ନାହିଁ ତାହାକୁ ନେଇ ଆଶଙ୍କା ରହିଛି ।

ଅନ୍ୟ ପକ୍ଷରେ ରାଜ୍ୟ ସରକାରଙ୍କ ଇ-ଜିଲ୍ଲା ପ୍ରକଳ୍ପରେ ଆୟ, ଜାତିଗତ, ବାସସ୍ଥାନ, ପରିଶୋଧକ୍ଷମ, ଉତ୍ତରାଧିକାରୀ, ସାମାଜିକ ଓ ଅର୍ଥନୈତିକ ଏବଂ ପଛୁଆବର୍ଗ ସାର୍ଟିଫିକେଟ ଆଦି ଅନ୍‍ଲାଇନ୍‍ ମାଧ୍ୟମରେ ପ୍ରଦାନ ପାଇଁ ବ୍ୟବସ୍ଥା ହୋଇଛି । ପଞ୍ଚାୟତ ସ୍ତରରେ ଥିବା ଜନସେବା କେନ୍ଦ୍ରଗୁଡିକରୁ ଲୋକମାନେ ଏହିସବୁ ପ୍ରମାଣପତ୍ର ପାଇପାରିବେ । ତେବେ ପଞ୍ଚାୟତରେ ଇଣ୍ଟରନେଟ୍‍ ସେବା ପହଞ୍ଚି ପାରୁନଥିବାରୁ ଲୋକେ ସେବା ପାଇପାରୁ ନାହାନ୍ତି ।

ଉପକୂଳ ଜିଲ୍ଲାର କେତେକ ସ୍ଥାନରେ ଏହି ସେବା ପାଇପାରୁଥିବାବେଳେ ଆଭ୍ୟନ୍ତରୀଣ ଜିଲ୍ଲାରେ କିନ୍ତୁ ଇ-ଜିଲ୍ଲାରୁ ଲାଭ ପାଇବା ସ୍ୱପ୍ନ ହୋଇପଡିଛି । ଏହିସବୁ ଜିଲ୍ଲାର ଯେଉଁ ଅଞ୍ଚଳରେ ଇଣ୍ଟରନେଟ୍‍ ଡାଟା ସେବା ରହିଛି ସେଠାରେ ଇଣ୍ଟରନେଟ୍‍ର ବେଗ ଅତ୍ୟନ୍ତ ଧିମା ହୋଇଥିବାରୁ ଲୋକମାନେ ଆବଶ୍ୟକ ସମୟରେ ସାର୍ଟିଫିକେଟ ନପାଇ ବାରମ୍ବାର ବ୍ଲକ ଓ ତହସିଲ ଦପ୍ତରକୁ ଦଉଡିବାରେ ଲାଗିଛନ୍ତି । ତେଣୁ ପ୍ରତି ପଞ୍ଚାୟତରେ ଯେଭଳି ବ୍ରଡବ୍ୟାଣ୍ଡ୍‍ ସେବା ତୁରନ୍ତ ପହଞ୍ଚିବ ତାହା ଉପରେ ଗୁରୁତ୍ୱ ଦେବାକୁ ଦାବି ହେଉଛି ।