Home Health ଇଏସ୍‍ଆଇ ମେଡିକାଲ କଲେଜ କେବେ ?

ଇଏସ୍‍ଆଇ ମେଡିକାଲ କଲେଜ କେବେ ?

ଭୁବନେଶ୍ୱର : ଓଡିଶାରେ କେନ୍ଦ୍ର ସରକାରଙ୍କ ଇଏସ୍‍ଆଇ ସଂସ୍ଥା ମେଡିକାଲ କଲେଜ ସ୍ଥାପନ କରିବାପାଇଁ ୧୦ବର୍ଷ ତଳେ ଯେଉଁ ଘୋଷଣା କରିଥିଲେ ତାହା ତୁରନ୍ତ କାର୍ଯ୍ୟକାରୀ କରିବା ସକାଶେ ବିଭିନ୍ନ ମହଲରୁ ଦାବି ହେଉଛି ।

ଏଠାରେ ଉଲ୍ଲେଖନୀୟ ଯେ ମନମୋହନ ସିଂହଙ୍କ ପ୍ରଧାନମନ୍ତ୍ରୀତ୍ୱ କାଳରେ ଓଡିଶା ବିହାର ସମେତ କେତେକ ରାଜ୍ୟରେ କର୍ମଚାରୀ ବୀମା ସଂଗଠନ ଇଏସ୍‍ଆଇ ପକ୍ଷରୁ ମେଡିକାଲ କଲେଜ ଖୋଲିବାପାଇଁ ନୀତିଗତ ନିଷ୍ପତ୍ତି ନିଆଯାଇଥିଲା । ତଦନୁଯାୟୀ ବିହାରରେ ଇଏସ୍‍ଆଇ ମେଡିକାଲ କଲେଜ ଦୀର୍ଘବର୍ଷ ଧରି କାର୍ଯ୍ୟକ୍ଷମ ଥିବାବେଳେ ଓଡିଶାରେ କିନ୍ତୁ ଏଥିପାଇଁ ଇଟାଖଣ୍ଡେ ବି ପଡିପାରି ନାହିଁ ।

କେନ୍ଦ୍ର ସରକାରଙ୍କ ପ୍ରସ୍ତାବ କ୍ରମେ ଇଏସ୍‍ଆଇ ମେଡିକାଲ କଲେଜ ପାଇଁ ଓଡିଶା ସରକାର ଭୁବନେଶ୍ୱର ଉପକଣ୍ଠରେ ୨୫ଏକର ଜମି ଯୋଗାଇ ଦେବାକୁ ବ୍ୟବସ୍ଥା କରିବା ସହ ଏହି ଜମିର ଭିତ୍ତିଭୂମି ବିକାଶ ଲାଗି ମଧ୍ୟ ପଦକ୍ଷେପ ନେଇଥିଲେ । ତେବେ ପରବର୍ତ୍ତୀ ସମୟରେ ଏହି ମେଡିକାଲ କଲେଜ ଭୁବନେଶ୍ୱରରେ ନକରି ରାଉରକେଲା କିମ୍ବା ଅନ୍ୟ କୌଣସି ସ୍ଥାନରେ ସ୍ଥାପନ କରିବାପାଇଁ ୟୁପିଏର ଜଣେ ସାଂସଦ ଅଡି ବସିବା ଫଳରେ ତାହା ଭୁବନେଶ୍ୱରରେ ହୋଇପାରି ନାହିଁ ।

ପରବର୍ତ୍ତୀ ସମୟରେ କେନ୍ଦ୍ର ସରକାର ତାଙ୍କ ନିଷ୍ପତ୍ତି ବଦଳାଇ ଶ୍ରମ ମନ୍ତ୍ରାଳୟ ଆଉ ମେଡିକାଲ କଲେଜ କରିବନାହିଁ ବୋଲି ବିବୃତ୍ତି ଦେବାରେ ଓଡିଶାରେ ଇଏସ୍‍ଆଇ ମେଡିକାଲ କଲେଜର ଭାଗ୍ୟ ପ୍ରାୟ ୧୦ବର୍ଷ ଧରି ଅନିଶ୍ଚିତତା ମଧ୍ୟରେ ରହିଛି । ଯଦି ବିହାର ଭଳି ରାଜ୍ୟରେ ଘୋଷଣା ମୁତାବକ ଇଏସ୍‍ଆଇ ମେଡିକାଲ କଲେଜ ସ୍ଥାପନ କରାଯାଇ ପାରିଲା ତେବେ ଓଡିଶାରେ କାହିଁକି ଏହା କରାନଯିବ ବୋଲି ଦଳ ମତ ନିର୍ବିଶେଷରେ ବାରମ୍ବାର ଦାବି ଉଠୁଥିଲେ ମଧ୍ୟ ସେଥିପ୍ରତି କେନ୍ଦ୍ରୀୟ କର୍ତ୍ତୃପକ୍ଷ କର୍ଣ୍ଣପାତ କରୁନାହାନ୍ତି ।

ଅଟଳ ବିହାରୀ ବାଜପେୟୀଙ୍କ ପ୍ରଧାନମନ୍ତ୍ରୀତ୍ୱ କାଳରେ ଭୁବନେଶ୍ୱର ଏମ୍‍ସ ପାଇଁ ଶିଳାନ୍ୟାସ ହୋଇଥିବାବେଳେ ମନମୋହନ ସିଂହଙ୍କ ପ୍ରଧାନମନ୍ତ୍ରୀତ୍ୱ କାଳରେ ଏହାର ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ ହୋଇଥିଲା । ତେବେ ଏମ୍‍ସରେ ଏଯାବତ୍‍ ସମସ୍ତ ବିଭାଗ ଖୋଲାଯାଇ ନାହିଁ ଏବଂ ଯେତିକି ବିଭାଗ ବି ରହିଛି ସେଥିପାଇଁ ପର୍ଯ୍ୟାପ୍ତ ସଂଖ୍ୟକ ଡାକ୍ତର, ଡାକ୍ତରୀଶିକ୍ଷକ ଓ ଅନ୍ୟ ପାରାମେଡିକାଲ କର୍ମଚାରୀ ନାହାନ୍ତି । ଫଳରେ ଏମ୍‍ସ ଉପରେ ନିର୍ଭର କରୁଥିବା ରୋଗୀଙ୍କ ସଂଖ୍ୟା ବଢି ଚାଲିଥିବାବେଳେ ସୀମିତ ସଂଖ୍ୟକ ଡାକ୍ତରରେ ସେମାନଙ୍କୁ ଚିକିତ୍ସା କରିବା ଏକ ବଡ ଆହ୍ୱାନ ହୋଇଛି ।

ଏମସର ଏକ ଶାଖା ବାଲେଶ୍ୱର ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ମୁତାବକ ଓଡିଶା ସରକାର ଜମି ଯୋଗାଇ ଦେଇଥିଲେ ମଧ୍ୟ ଏମସର ବାଲେଶ୍ୱର କ୍ୟାମ୍ପସ ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରୁ ନାହିଁ ଏବଂ ମଝିରେ ମଝିରେ ଭୁବନେଶ୍ୱର ଏମସରୁ ଡାକ୍ତର ଯାଇ ସେଠାରେ ରୋଗୀ ଦେଖିବା କାମ ଚଳାଇବା ଫଳରେ ଭୁବନେଶ୍ୱର ଏମସରେ ବି ବିଭ୍ରାଟ ବଢୁଛି । ସୁନ୍ଦରଗଡରେ ଏମସ ପ୍ରତିଷ୍ଠା ଲାଗି ଦୀର୍ଘବର୍ଷରୁ ହୋଇ ଆସୁଥିବା ଦାବି ଏବେ ବି ଶୀତଳଭଣ୍ଡାରରେ ପଡିଛି । (ତଥ୍ୟ)