Home General ଆହାର ଖାଦ୍ୟ ପାଇଁ ଟେଣ୍ଡର ବ୍ୟବସ୍ଥା ନାହିଁ

ଆହାର ଖାଦ୍ୟ ପାଇଁ ଟେଣ୍ଡର ବ୍ୟବସ୍ଥା ନାହିଁ

ଭୁବନେଶ୍ୱର : ଆହାର କେନ୍ଦ୍ରରେ ଖାଦ୍ୟ ଯୋଗାଣ ପାଇଁ ଟେଣ୍ଡର ବ୍ୟବସ୍ଥା ନାହିଁ । ରାଜ୍ୟ ବିଧାନସଭାରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ ।

ବିଜେପି ବିଧାୟିକା କୁସୁମ ଟେଟେଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟର ସହରାଞ୍ଚଳ ଗୁଡିକରେ ୧୬୭ଟି ଆହାର କେନ୍ଦ୍ର ରହିଛି । ୪୧ଟି ସଂସ୍ଥା ଆହାର କେନ୍ଦ୍ରରେ ଖାଦ୍ୟ ଯୋଗାଉଥିବାବେଳେ ଖାଦ୍ୟ ଯୋଗାଣ ପାଇଁ କିନ୍ତୁ ଟେଣ୍ଡର ହେବାର ବ୍ୟବସ୍ଥା ନାହିଁ ।

ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୨୩ଟି ଆହାର କେନ୍ଦ୍ର ଥିବାବେଳେ ଖୋରଧାରେ ୧୬ଟି, କଟକରେ ୧୧ଟି, ସୁନ୍ଦରଗଡରେ ୯ଟି, ସମ୍ବଲପୁରରେ ୭ଟି, କୋରାପୁଟ, କେନ୍ଦୁଝର, ଢେଙ୍କାନାଳ ଓ ବରଗଡ ଜିଲ୍ଲାରେ ୬ଟି ଆହାର କେନ୍ଦ୍ର ଥିବାବେଳେ ଅନୁଗୁଳ, ବଲାଙ୍ଗିର, ନୟାଗଡ, ପୁରୀ, ବାଲେଶ୍ୱର, କଳାହାଣ୍ଡି ଓ ମୟୁରଭଞ୍ଜ ଜିଲ୍ଲାରେ ୫ଟି କରି ଆହାର କେନ୍ଦ୍ର ରହିଛି । ସବୁଠାରୁ କମ୍‍ ମାତ୍ର ଗୋଟିଏ ଆହାର କେନ୍ଦ୍ର ବୌଦ ଜିଲ୍ଲାରେ ଥିବାବେଳେ ଦେବଗଡ ଓ କେନ୍ଦ୍ରାପଡା ଜିଲ୍ଲାରେ ୨ଟି କରି ଓ ଗଜପତି, ଜଗତସିଂହପୁର ଓ ମାଲକାନଗିରି, ନବରଙ୍ଗପୁର ଓ ରାୟଗଡା ଜିଲ୍ଲାରେ ୩ଟି କରି ଆହାରକେନ୍ଦ୍ର ରହିଛି ।

ଆହାର କେନ୍ଦ୍ରଗୁଡିକରେ ଲୋକଙ୍କୁ ୪୧ଟି ସଂସ୍ଥା ଖାଦ୍ୟ ଯୋଗାଣ କରୁଥିବାବେଳେ ଏମାନଙ୍କ ମଧ୍ୟରେ ମାନା ଟ୍ରଷ୍ଟ, ଟଚଷ୍ଟୋନ ଫାଉଣ୍ଡେସନ ସହିତ ସଂଖ୍ୟାଧିକ ମହିଳା ଗୋଷ୍ଠି ରହିଛନ୍ତି ।

ତେବେ ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ଆହାର କେନ୍ଦ୍ରରେ ମିଳୁଥିବା ପ୍ରତ୍ୟେକ ମିଲ୍‍ ପାଇଁ ରାଜ୍ୟ ସରକାର ୧୮ଟଙ୍କା ଯୋଗାଇ ଦେଉଛନ୍ତି । ହିତାଧିକାରୀମାନେ ଗୋଟିଏ ମିଲ୍‍ ପାଇଁ ୫ଟଙ୍କା ଦେଉଛନ୍ତି । ଆହାର କେନ୍ଦ୍ରରେ ଲୋକଙ୍କୁ ଭାତ ଡାଲମା ସହିତ ଆଚାର ଦିଆଯାଉଛି । ଏହି ସୂଚନା ଅନୁଯାୟୀ ଅଧିକାଂଶ ଆହାର କେନ୍ଦ୍ର ରାଜ୍ୟର ବିଭିନ୍ନ ଡାକ୍ତରଖାନା, ବସଷ୍ଟାଣ୍ଡ ଓ ରେଳଷ୍ଟେସନ ଆଖପାଖରେ ରହିଛି । (ତଥ୍ୟ)