Home General ଆହାର କେନ୍ଦ୍ରରେ ଖାଇଲେଣି ୧୨କୋଟି ମିଲ୍‍

ଆହାର କେନ୍ଦ୍ରରେ ଖାଇଲେଣି ୧୨କୋଟି ମିଲ୍‍

ଭୁବନେଶ୍ୱର : ରାଜ୍ୟରେ ୫ଟଙ୍କିଆ ଆହାର ଖାଉଥିବା ଲୋକଙ୍କ ସଂଖ୍ୟା ୧୨ କୋଟି ଟପିଛି । ଆହାର କେନ୍ଦ୍ର ଆଜି ୭ବର୍ଷ ପୂରଣ କରିଥିବାବେଳେ ଏହି ସମୟରେ ବିଭିନ୍ନ ଆହାର କେନ୍ଦ୍ରରେ ୧୨ କୋଟିରୁ ଅଧିକ ୫ଟଙ୍କିଆ ଭାତ-ଡାଲମା ମିଲ୍‍ ଯୋଗାଇ ଦିଆଯାଇଛି ।

ଆହାର କେନ୍ଦ୍ର ସମଗ୍ର ରାଜ୍ୟରେ ଆଜି ତାହାର ପ୍ରତିଷ୍ଠା ଦିବସ ପାଳନ କରୁଥିବାବେଳେ ଏହି ପରିସଂଖ୍ୟାନ ପଦାକୁ ଆସିଛି । ୨୦୧୫ ମସିହା ଏପ୍ରିଲ ପହିଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ଆହାର ଯୋଜନାର ଶୁଭାରମ୍ଭ କରିଥବଲେ । ଏହି ଯୋଜନାର ମୂଳ ଲକ୍ଷ୍ୟ ଥିଲା ଗରିବ ଓ ଅଭାବୀ ଲୋକଙ୍କୁ ଶସ୍ତାରେ ଉନ୍ନତମାନର ଖାଦ୍ୟ ଯୋଗାଇଦେବା । ବିଶେଷକରି ଡାକ୍ତରଖାନା, ବସ୍‍ଷ୍ଟାଣ୍ଡ, ରେଳଷ୍ଟେସନ ଓ ବଡ ବଡ ସହରକୁ ଆସୁଥିବାଲୋକ ଖାଦ୍ୟ ପାଇଁ ହଇରାଣ ହରକତ ହେବା ସହିତ ଠକାମିରେ ପଡୁଥିଲେ । ଅନେକ ସମୟରେ ନିମ୍ନମାନର ଖାଦ୍ୟ ଖାଇ ରୋଗ୍ରାକାନ୍ତ ବି ହେଉଥିଲେ ।

ଏହାକୁ ଦୃଷ୍ଟିରେ ରଖି ଆରମ୍ଭ ହୋଇଥିଲା ଆହାର କେନ୍ଦ୍ର । ଇତି ମଧ୍ୟରେ ରାଜ୍ୟର ୩୦ଟି ଜିଲ୍ଲାରେ ୧୬୭ଟି ଆହାର କେନ୍ଦ୍ର ଖୋଲିଥିବାବେଳେ ଏଥିରୁ ୫୮ଟି ଉଭୟ ଦିନ ଓ ରାତି ବେଳା ଲୋକଙ୍କୁ ଖାଦ୍ୟ ଯୋଗାଉଛି । ଏହି ସମସ୍ତ ଆହାର କେନ୍ଦ୍ରର ପରିଚାଳନା ଭାର ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ, ମହିଳା ସ୍ୱୟଂ ସହାୟିକା ଗୋଷ୍ଠି, ମିଲର୍ସ ମାଲିକ ସଂଘ ଆଦିଙ୍କ ଦ୍ୱାରା ଚଳାଯାଉଥିବାବେଳେ ଏଥିପାଇଁ ୩୮ଟି କେନ୍ଦ୍ରୀୟ ପାକଶାଳା ରହିଛି । ଏଠାରେ ଅତ୍ୟନ୍ତ ସ୍ୱାସ୍ଥ୍ୟପ୍ରଦ ପରିବେଷର ଖାଦ୍ୟ ପ୍ରସ୍ତୁତ ସହିତ ତାହାକୁ ବିଭିନ୍ନ ଆହାର କେନ୍ଦ୍ରରେ ପହଞ୍ଚାଯାଉଛି ।

କେନ୍ଦ୍ରୀୟ ପାକଶାଳା ଓ ଆହାର କେନ୍ଦ୍ର ମଧ୍ୟରେ ଖାଦ୍ୟ ପରିବହନ ବ୍ୟବସ୍ଥାକୁ ସୁସଂଗଠିତ କରିବାପାଇଁ କର୍ତ୍ତୃପକ୍ଷ ସେଗୁଡିକୁ ଜିଓ ଟ୍ୟାଗିଙ୍ଗ୍‍ କରିଛନ୍ତି । ଫଳରେ କେତେବେଳେ ସାମଗ୍ରୀ ଆସି କେଉଁଠାରେ ପହଞ୍ଚିଲା ତାହାକୁ କର୍ତ୍ତୃପକ୍ଷ ସହଜରେ ଦପ୍ତରରେ ବସି ପାଇପାରୁଛନ୍ତି । ତେବେ ଉନ୍ନତମାନର ଖାଦ୍ୟ ପରିବେଷଣ ସହିତ ଆନୁଷଙ୍ଗିକ ଭିତ୍ତିଭୂମି ପାଇଁ ସମସ୍ତ ପାକଶାଳା ଓ ଆହାର କେନ୍ଦ୍ରକୁ ଆଇଏଏସ୍‍ଓ ପ୍ରମାଣପତ୍ର ମିଳିଛି ।

ଆହାର କେନ୍ଦ୍ର କେବଳ ଗରିବ ଓ ଦୁଃସ୍ଥ ଲୋକଙ୍କୁ ଶସ୍ତାରେ ଖାଦ୍ୟ ଯୋଗାଉନାହିଁ, ମହିଳା ବିଶେଷକରି ମହିଳା ଗୋଷ୍ଠିଗୁଡିକର ରୋଜଗାରର ମାଧ୍ୟମ ପାଲଟିଛି । ଗୋଟିଏ ପଟେ ଆହାର କେନ୍ଦ୍ରର ପରିଚାଳନା ଭାର ମହିଳାଙ୍କ ହାତରେ ଦିଆଯାଇଥିବାବେଳେ ଅନ୍ୟପଟେ ଆହାର କେନ୍ଦ୍ରରେ ବ୍ୟବହାର ହେଉଥିବା ଆଚାର ପ୍ରସ୍ତୁତିରେ ବି ମହିଳା ଗୋଷ୍ଠି ନିୟୋଜିତ ହୋଇଛନ୍ତି ।

ଏହାକୁ କର୍ତ୍ତୃପକ୍ଷ ଏକ ପାଇଲଟ୍‍ ପ୍ରକଳ୍ପ ଭାବେ କାର୍ଯ୍ୟକାରୀ କରୁଥିବାରୁ ମହିଳାମାନଙ୍କୁ ସ୍ୱାବଲମ୍ବି କରିବା କ୍ଷେତ୍ରରେ ଆହାର କେନ୍ଦ୍ର ଏକ ପ୍ରମୁଖ ଭୂମିକା ଗ୍ରହଣ କରିପାରିଛି । ଆହାର କେନ୍ଦ୍ରରେ ଗୋଟିଏ ମିଲ୍‍ ପାଇଁ ହିତାଧିକାରୀ ୫ଟଙ୍କା ଦେଉଥିବାବେଳେ ରାଜ୍ୟ ସରକାର ଖାଦ୍ୟ ଯୋଗାଉଥିବା ସଂସ୍ଥାକୁ ମିଲ୍‍ ପିଛା ୨୩ଟଙ୍କା ଯୋଗାଇ ଦେଉଛନ୍ତି ।

କୋଭିଡ ମହାମାରୀ ସମୟରେ ଜାରି ଲକଡାଉନ୍‍ ଓ ସଟ୍‍ଡାଉନ୍‍ ଯୋଗୁଁ ଡାକ୍ତରଖାନାକୁ ଆସୁଥିବା ରୋଗୀଙ୍କ ସମ୍ପର୍କୀୟଙ୍କ ଠାରୁ ଆରମ୍ଭ କରି ଦିନ ମଜୁରିଆଙ୍କ ପର୍ଯ୍ୟନ୍ତ ସମସ୍ତେ ଯେତେବେଳେ ଖାଦ୍ୟ ଟିକେ ପାଇଁ ଆଉଟୁ ପାଉଟୁ ହେଉଥିଲେ ସେତେବେଳେ ଆହାର କେନ୍ଦ୍ର ହିଁ ସେମାନଙ୍କୁ ଖାଦ୍ୟ ଯୋଗାଇବାରେ ସମର୍ଥ ହୋଇଥିଲା ।

କୋଭିଡ ମାର୍ଗଦର୍ଶିକାକୁ କଡାକଡି ପାଳନ କରି ବନ୍ଦ ସମୟରେ କର୍ତ୍ତୃପକ୍ଷ ଆହାରକେନ୍ଦ୍ର ଖୋଲି ଯେଭଳି ସାହସିକତାର ପରିଚୟ ଦେଲେ ତାହାକୁ ସବୁ ସ୍ତରରେ ପ୍ରଶଂସା କରାଯାଇଥିଲା । ତେବେ ସାତବର୍ଷ ପୂରଣ କରିବା ଆହାର କେନ୍ଦ୍ର ଆଗାମୀ ଦିନରେ ଏହାର ଖାଦ୍ୟ ବିତରଣ କେନ୍ଦ୍ର ସଂଖ୍ୟା ବଢାଇବା ସହିତ ଅଧିକରୁ ଅଧିକ ମହିଳା ଗୋଷ୍ଠିଙ୍କ ହାତକୁ କାମ ଯୋଗାଇବାର ଲକ୍ଷ୍ୟ ରଖିଥିବା ଜଣାଯାଇଛି । (ତଥ୍ୟ)

LEAVE A REPLY

Please enter your comment!
Please enter your name here