Home Administration ଆସନ୍ତା ଜାନୁୟାରୀରେ ମୁଖ୍ୟ ସଚିବ ସମ୍ମିଳନୀ

ଆସନ୍ତା ଜାନୁୟାରୀରେ ମୁଖ୍ୟ ସଚିବ ସମ୍ମିଳନୀ

ଭୁବନେଶ୍ୱର : ଆସନ୍ତା ବର୍ଷ ଜାନୁୟାରୀ ମାସରେ ଦ୍ୱିତୀୟ ମୁଖ୍ୟ ଶାସନ ସଚିବ ସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହେବ । ଜାନୁୟାରୀ ୫ରୁ ୭ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ସମ୍ମିଳନୀ ପାଇଁ କେନ୍ଦ୍ର ସରକାର ଓ ନୀତି ଆୟୋଗ ବିଭିନ୍ନ ରାଜ୍ୟ ସହିତ ଆଲୋଚନା ଆରମ୍ଭ କରିଛନ୍ତି ।

ଦ୍ୱିତୀୟ ମୁଖ୍ୟ ଶାସନ ସଚିବ ସମ୍ମିଳନୀର ବିଷୟବସ୍ତୁ “ବିକଶିତ ଭାରତ – ଶେଷ ସ୍ଥାନରେ ପହଞ୍ଚିବା” ରହିଛି । ବୈଠକରେ ଦୁଇଟି ପର୍ଯ୍ୟାୟ ଥିବାବେଳେ ପ୍ରତ୍ୟେକ ପର୍ଯ୍ୟାୟରେ ତିନିଟି ଉପ ବିଷୟବସ୍ତୁ ରହିବାପାଇଁ ସ୍ଥିର ହୋଇଛି । ଏ ସଂକ୍ରାନ୍ତରେ କେନ୍ଦ୍ର କ୍ୟାବିନେଟ୍‍ ସଚିବ ଭିଡିଓ କନଫରେନ୍ସି ମାଧ୍ୟମରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଅଧିକାରୀମାନଙ୍କ ସହିତ ଆଲୋଚନା କରିଥିବା ଜଣାଯାଇଛି । ଏଥିରେ କେନ୍ଦ୍ର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ଦକ୍ଷତା ବିକାଶ, ମହିଳା ଓ ଶିଶୁ ବିକାଶ ଏବଂ ଶିଳ୍ପ ପ୍ରୋତ୍ସାହନ ଓ ଆନ୍ତଃ ବାଣିଜ୍ୟ ମନ୍ତ୍ରାଳୟର ସଚିବମାନେ ଉପସ୍ଥିତ ଥିଲେ ।

ପ୍ରସ୍ତାବିତ ସମ୍ମିଳନୀରେ ତିନି କ୍ଷେତ୍ର ଉପରେ ୬ଟି ବିଷୟବସ୍ତୁକୁ ନେଇ ଆଲୋଚନା ହେବ ଏବଂ ୧୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ନେଇ ଗଠିତ କାର୍ଯ୍ୟ ଗୋଷ୍ଠି ନିର୍ଦ୍ଦିଷ୍ଟ କ୍ଷେତ୍ର ଉପରେ ମତ ରଖିବେ । ବିଷୟବସ୍ତୁ ମଧ୍ୟରେ ଶିଳ୍ପ କ୍ଷେତ୍ରର ଉତ୍ପାଦନ, ସେବା ଏବଂ ଦର ନିୟନ୍ତ୍ରଣ ଆଦି ସ୍ଥାନ ପାଇବ । ସେହିଭଳି ଭିତ୍ତିଭୂମି ଏବଂ ନିବେଶ କ୍ଷେତ୍ରରେ ସହରାଞ୍ଚଳ ଭିତ୍ତିଭୂମି, ପରିବହନ, ସଡକ, ଶକ୍ତି, ଡିଜିଟାଲ ଭିତ୍ତିଭୂମି, ସାମାଜିକ ଏବଂ ଶିଳ୍ପ ଭିତ୍ତିଭୂମି ସହିତ ଉତ୍ପାଦନ କ୍ଷେତ୍ରରେ ଘରୋଇ ନିବେଶ, ଗୃହ ଏବଂ ରିୟଲ ଇଷ୍ଟେଟ ଏବଂ ସେବା କ୍ଷେତ୍ର ଆଦି ରହିବ ।

ଏମଏସ୍‍ଏମ୍‍ଇ କ୍ଷେତ୍ରରେ ଉତ୍ପାଦନର ବିକାଶ, ପ୍ରୋତ୍ସାହନ, ପ୍ୟାକେଜିଂ, ଦର ନିର୍ଦ୍ଧାରଣ, ନିଯୁକ୍ତି, ଦକ୍ଷତା ବୃଦ୍ଧି ଏବଂ ଗ୍ରାମ୍ୟ ଏବଂ କୁଟୀର ଶିଳ୍ପର ବିକାଶ ଆଦି ସ୍ଥାନ ପାଇବ । ଅନୁରୂପ ଭାବେ ମହିଳା ସଶକ୍ତିକରଣ, ସୁରକ୍ଷା, ସଶକ୍ତିକରଣ କ୍ଷେତ୍ରରେ ସାମାଜିକ ଆଇନ୍‍ଗତ ବ୍ୟବସ୍ଥା ଆଦି ମହିଳା ଓ ଶିଶୁ ବିକାଶ ବିଭାଗ କ୍ଷେତ୍ରରେ ରହିବ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଷୟବସ୍ତୁରେ ମାନବ ବିକାଶର ଅର୍ନ୍ତଭୁକ୍ତିକରଣ, ରକ୍ତହୀନତା ଦୂରୀକରଣ, ପୁଷ୍ଟିହୀନତା ଦୂରୀକରଣ, ଅଣ ସଂକ୍ରାମକ ରୋଗ ପରିଚାଳନା ଆଦି ସ୍ଥାନ ପାଇବ । ଦକ୍ଷତା ବିକାଶ ବିଷୟବସ୍ତୁରେ ଦକ୍ଷତା ବିକାଶର ସମ୍ପ୍ରସାରଣ, ପ୍ରତିଯୋଗିତା ମୂଳକ ଦକ୍ଷତା ବିକାଶ ଏବଂ ଭବିଷ୍ୟତର ଦକ୍ଷତା ବିକାଶ ଆଦି ରହିବ ।

ମୁଖ୍ୟ ଶାସନ ସଚିବ ସ୍ତରୀୟ ବୈଠକ ପାଇଁ ଚଳିତ ବର୍ଷ ନଭେମ୍ବର ୫ତାରିଖ ସୁଦ୍ଧା ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନେ ସେମାନଙ୍କ ରାଜ୍ୟରେ ବିଶେଷଜ୍ଞ ଓ ସହଯୋଗୀମାନଙ୍କୁ ନେଇ ନିର୍ଦ୍ଧିଷ୍ଟ ବିଷୟ ଉପରେ କର୍ମଶାଳା ଆୟୋଜନ ସହିତ ସେମାନଙ୍କ ମତାମତ ଓ ପ୍ରସ୍ତାବ ପଠାଇବାକୁ କୁହାଯାଇଛି । ରାଜ୍ୟମାନଙ୍କ ମତାମତ ଆଧାରରେ କେନ୍ଦ୍ରୀୟ ମନ୍ତ୍ରାଳୟଗୁଡିକ ବୈଠକ ପାଇଁ ଖସଡା ପ୍ରସ୍ତୁତ କରିବେ ।

ଦ୍ୱିତୀୟ ମୁଖ୍ୟ ସଚିବ ସ୍ତରୀୟ ବୈଠକ ପାଇଁ ରାଜ୍ୟ ସରକାର ଓ କେନ୍ଦ୍ରୀୟ ମନ୍ତ୍ରାଳୟ ସହିତ ନିୟମିତ ଆଲୋଚନା ଜାରି ରହିବ । ଏଥିପାଇଁ ରାଜ୍ୟ ସରକାରମାନେ ପ୍ରମୁଖ ସଚିବ କିମ୍ବା ସଚିବ ପାହ୍ୟାର ଜଣେ ଅଧିକାରୀଙ୍କୁ ପ୍ରତ୍ୟେକ କାର୍ଯ୍ୟ ଗୋଷ୍ଠିର ନୋଡାଲ ଅଫିସର ଭାବେ ନିଯୁକ୍ତ କରିବାକୁ କେନ୍ଦ୍ର ସରକାର କହିଛନ୍ତି । ବିଭିନ୍ନ ମନ୍ତ୍ରଣାଳୟ ପକ୍ଷରୁ ନିଯୁକ୍ତ ନୋଡାଲ ଅଧିକାରୀମାନଙ୍କ ସହିତ ରାଜ୍ୟ ସ୍ତରର ନୋଡାଲ ଅଫିସରମାନେ ଯୋଗାଯୋଗ କରିବାକୁ କୁହାଯାଇଛି । (ତଥ୍ୟ)