Home Agriculture ଆଶଙ୍କାରେ ସାର ଯୋଗାଣ

ଆଶଙ୍କାରେ ସାର ଯୋଗାଣ

ଭୁବନେଶ୍ୱର : ୨୦୨୧ ଖରିଫ ଋତୁରେ ଆବଶ୍ୟକ ସାର ଯୋଗାଣ ପାଇଁ କେନ୍ଦ୍ର ସରକାର ଆଶ୍ୱାସନା ଦେଉଥିବାବେଳେ ଭିତ୍ତିଭୂମି ଅଭାବରୁ ଠିକଣା ସାର ଯୋଗାଣ ନେଇ ରାଜ୍ୟ ସରକାର ଆଶଙ୍କାରେ ଅଛନ୍ତି । ବର୍ତ୍ତମାନ ରହିଥିବା ରେକ୍‍ ପଏଣ୍ଟଗୁଡିକରେ ଆବଶ୍ୟକ ଭିତ୍ତିଭୂମି ଅଭାବ ଏବଂ ନୂଆ ରେକ୍‍ ପଏଣ୍ଟ ସ୍ଥାପନ ହେଉନଥିବାରୁ ସାର ବିତରଣ ପ୍ରଭାବିତ ହୋଇପାରେ । ସେହିଭଳି ଆବଶ୍ୟକ ନୂଆ ରେକ୍‍ ମିଳୁନଥିବାରୁ ବି ସାର ଯୋଗାଣ କ୍ଷେତ୍ରରେ ଏହା ଗୁରୁତର ସମସ୍ୟା ଉପୁଜାଇବାର ସମ୍ଭାବନା ରହିଛି । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଏହା ଉପରେ ଗୁରୁତ୍ୱ ଦେବା ଜରୁରୀ ହୋଇପଡିଛି ।

୨୦୨୦-୨୧ ଖରିଫ ଓ ରବି ଋତୁରେ ସାର ଉପଲବ୍ଧତା ଓ ବିତରଣ ପ୍ରଭାବିତ ହୋଇଥିବାବେଳେ ରାଜ୍ୟ ସରକାର ଓଡିଶା କୃଷି ଶିଳ୍ପ ନିଗମ ଏବଂ ମାର୍କଫେଡ୍‍ ଭଳି ସଂସ୍ଥାକୁ ସହାୟତା ପାଇଁ ବାଧ୍ୟ ହୋଇଥିଲେ । କେନ୍ଦ୍ର ରସାୟନ ଓ ସାର ମନ୍ତ୍ରଣାଳୟ ଅଧିନରେ ଥିବା ସାର ବିଭାଗ ନଜରକୁ ଏହା ଅଣାଯାଇଛି । ବିଭାଗ ପକ୍ଷରୁ ଏ ସଂକ୍ରାନ୍ତରେ ବିଭିନ୍ନ ସାର ଉତ୍ପାଦନକାରୀଙ୍କ ସହିତ ଆଲୋଚନା ପରେ ଦେଶରେ ହେଉଥିବା ଉତ୍ପାଦନର ଲକ୍ଷ୍ୟ ଚୂଡାନ୍ତ ସହିତ ଏହା ଉପରେ ତୀକ୍ଷ୍ଣ ନଜର ରଖାଯାଇଛି । 

୨୦୨୧ ଖରିଫରେ ସାର ଯୋଗାଣ ସଂକ୍ରାନ୍ତରେ ପ୍ରସ୍ତୁତି ନେଇ କେନ୍ଦ୍ର ସାର ସଚିବ ନିକଟରେ ଏକ ସମୀକ୍ଷା କରିଥିଲେ । ଓଡିଶାରେ ସାରର ସହଜ ବିତରଣ ପାଇଁ ନୂଆ ରେକ୍‍ ପଏଣ୍ଟ ଭଳି ଭିତ୍ତିଭୂମିକର ବିକାଶ ଜରୁରୀ ହୋଇପଡିଛି । ପୂର୍ବ ମାସରେ କମ୍ପାନୀମାନେ ଉଠାଇନଥିବା ସାର ସହିତ ଚଳିତମାସର ସାର ପରିମାଣକୁ ମିଶାଇ ଦିଆଯାଇପାରେ । 

ପିକ୍‍ ସମୟରେ ସାର ପରିବହନ ପାଇଁ ହେଉଥିବା ବୁକିଂ ଉପରେ ନଜର ରଖାଯିବା ଆବଶ୍ୟକ । ଜୁଲାଇରୁ ସେପ୍ଟେମ୍ବର ମଧ୍ୟରେ ପିକ୍‍ ସମୟ ହୋଇଥିବାବେଳେ ସେତେବେଳେ ୟୁରିଆର ସର୍ବାଧିକ ଚାହିଦା ରହୁଥିବା କୃଷି ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ଏହି ସମୟରେ ୟୁରିଆ ଯୋଗାଣ ଉପରେ କେନ୍ଦ୍ର ସରକାର ସତର୍କତାର ସହ ନଜର ରଖିବା ଆବ୍ୟାକ ବୋଲି ଓଡିଶା ସରକାର ଦର୍ଶାଇଛନ୍ତି । ଆମଦାନୀ ହେଉଥିବା ୟୁରିଆ ବୋଝେଇ ଜାହାଜ ପହଞ୍ଚିବାରେ ବିଳମ୍ବ ହେଲେ ଦେଶରେ ଉତ୍ପାଦିତ ୟୁରିଆ ଯୋଗାଇବା ଆବାଶ୍ୟକ ବୋଲି ଜଣେ ବରିଷ୍ଠ ଅଧିକାରୀ ମତ ଦେଇଛନ୍ତି । ସାରର ମହଜୁଦ ବିଶେଷକରି ସାମଗ୍ରିକଭାବେ ସାର ସଂକ୍ରାନ୍ତରେ କେନ୍ଦ୍ରୀୟ ସଚିବ ଏହି ସମୀକ୍ଷା କରିଥବଲେ । 

ଏଥିରେ ଖରିଫ ଋତୁର ପିକ୍‍ ସମୟ ପୂର୍ବରୁ ସାର ଯେଭଳି ଉପଲବ୍ଧ ହେବ ସେଥିପାଇଁ ସାର କମ୍ପାନୀଗୁଡିକୁ ପରାମର୍ଶ ଦିଆଯାଇଛି । ଉଭୟ ଉତ୍ପାଦନକାରୀ ଓ ଆମଦାନୀକାରୀ ମାନେ ଦେଶରେ ସାର ଉତ୍ପାଦନ ଓ ବିଦେଶରୁ ଆମଦାନୀକୁ ନିଶ୍ଚିତ ଲାଗି ଆଶ୍ୱାସନା ଦେଇଛନ୍ତି । ଦେଶରେ ଉତ୍ପାଦିତ ୟୁରିଆ ଓ ଚାହିଦା ମଧ୍ୟରେ ଢେର ପାର୍ଥକ୍ୟ ରହୁଥିବାରୁ ଠିକଣା ସମୟରେ ଆମଦାନୀ ଉପରେ ଗୁରୁତ୍ୱ ଦିଆଯାଇଛି । ଫସ୍‍ଫେଟିକ ଏବଂ ପୋଟାସିୟମ (ପିଆଣ୍ଡକେ) ସାର କ୍ଷେତ୍ରରେ ସାର କମ୍ପାନୀମାନେ ସେମାନଙ୍କ ବ୍ୟବସାୟିକ ଚାହିଦା ମୁତାବକ ସାର ଓ କଞ୍ଚାମାଲ ଆମଦାନୀର ସୁବିଧା ପାଇଛନ୍ତି । ପିଆଣ୍ଡକେ ସାରର କଞ୍ଚାମାଲ ଦର ବୃଦ୍ଧି ଘଟିଥିବା ବୈଠକରେ ସାର ଶିଳ୍ପଗୁଡିକ ସୂଚନା ଦେଇଥିଲେ । ଭାରତୀୟ ସାର ସଂଘ (ଏଫ୍‍ଏଆଇ) ଏକ ବିଶ୍ଲେଷଣ ଉପସ୍ଥାପନା କରି ଦର୍ଶାଇଥିଲା ଯେ ରାଜ୍ୟମାନେ ଆସନ୍ତା ତିନିମାସ ପାଇଁ ଯେଉଁ ଆବଶ୍ୟକତା ଦର୍ଶାଇଛନ୍ତି ତାହା ପୂର୍ବରୁ ଦିଆଯାଇଥିବା ସାର ପରିମାଣ ସହିତ ସମାନ । ଚାଷୀଙ୍କ ସ୍ୱାର୍ଥ ଦୃଷ୍ଟିରୁ କେନ୍ଦ୍ର ସରକାର ସାରର ମହଜୁଦ ଓ ଦର ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି । (ତଥ୍ୟ)