Home Health ଆଦିବାସୀ ଜିଲ୍ଲାରେ ପୁଷ୍ଟିହୀନ ଅଧିକ

ଆଦିବାସୀ ଜିଲ୍ଲାରେ ପୁଷ୍ଟିହୀନ ଅଧିକ

ଭୁବନେଶ୍ୱର : ମାଳ ମାଳ ସରକାରୀ ଯୋଜନା ସତ୍ୱେ ରାଜ୍ୟର ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ଅତିଶୟ ପୁଷ୍ଟିହୀନ ଶିଶୁଙ୍କ ସଂଖ୍ୟା ଉପକୂଳ ଜିଲ୍ଲା ତୁଳନାରେ ଅଧିକ ରହୁଛି । ନବରଙ୍ଗପୁର ଜିଲ୍ଲାରେ ରାଜ୍ୟର ସର୍ବାଧିକ ଅତିଶୟ ପୁଷ୍ଟିହୀନ ଶିଶୁ ରହିଥିବା ଜଣାଯାଇଛି ।

ସରକାରୀ ହିସାବ ଅନୁଯାୟୀ ରାଜ୍ୟରେ ଅତିଶୟ ଅପପୁଷ୍ଟିର ଶିକାର ହୋଇଥିବା ଶିଶୁଙ୍କ ସଂଖ୍ୟା ୪୫୨ ରହିଥିବାବେଳେ କେବଳ ନବରଙ୍ଗପୁରରେ ଏମାନଙ୍କ ସଂଖ୍ୟା ୫୭ ରହିଛି । ସେହିଭଳି କେନ୍ଦୁଝରରେ ୪୫, ମୟୁରଭଞ୍ଜ ଓ ସୁନ୍ଦରଗଡରେ ୨୯ କରି, କୋରାପୁଟରେ ୨୮, ଯାଜପୁରରେ ୨୬, ବାଲେଶ୍ୱରରେ ୨୪, ମାଲକାନଗିରି,କଳାହାଣ୍ଡି ଓ କନ୍ଧମାଳରେ ୨୧ କରି, ରାୟଗଡାରେ ୧୮ଜଣ ଅତିଶୟ ଅପପୁଷ୍ଟି ଶିଶୁ ଅଛନ୍ତି । ତେବେ ସବୁଠାରୁ କମ୍‍ ଜଣେ କରି ଅତିଶୟ ପୁଷ୍ଟିହୀନ ଶିଶୁ ସୁବର୍ଣ୍ଣପୁର ଓ ବୌଦ୍ଦରେ ରହିଛନ୍ତି । ଦେବଗଡରେ ଏହି ସଂଖ୍ୟା ୨ ଥିବାବେଳେ ପୁରୀ, ଝାରସୁଗୁଡା ଓ ଗଜପତିରେ ୪କରି ରହିଛି ।

ତେବେ ସରକାରୀ ହିସାବରେ ଅତିଶୟ ପୁଷ୍ଟିହୀନ ଶିଶୁଙ୍କ ସଂଖ୍ୟା ଯେତିକି ଦର୍ଶାଯାଉଛି ବାସ୍ତବତା ତାହା ଠାରୁ ଢେର ଅଧିକ ବୋଲି ଏ କ୍ଷେତ୍ରରେ କାର୍ଯ୍ୟରତ ସ୍ୱେଚ୍ଛାସେବୀମାନେ ମତ ଦେଉଛନ୍ତି । ବିଶେଷକରି ଆଦିବାସୀ ଅଞ୍ଚଳରେ ଏହି ସମସ୍ୟା ଉତ୍କଟ । ପୁଷ୍ଟିକର ଖାଦ୍ୟ ଅଭାବରୁ ମା’ ମାନଙ୍କ ଠାରେ ରକ୍ତହୀନତା ଯୋଗୁଁ କମ୍‍ ଓଜନର ଶିଶୁ ଜନ୍ମ ହେବା ଏହାର ମୁଖ୍ୟ କାରଣ ହୋଇଥିବାବେଳେ ଶିଶୁମୃତ୍ୟୁର ମଧ୍ୟ ଏହା ଅନ୍ୟତମ କାରଣ ପାଲଟିଛି ।

ତେବେ ଗର୍ଭାବସ୍ଥାରୁ ପ୍ରସୂତୀଙ୍କ ଯତ୍ନ ନେବା ସହିତ ବିଭିନ୍ନ ଯୋଜନାରେ ସେମାନଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଣ ଏବଂ ଜନ୍ମରୁ ଶିଶୁମାନଙ୍କୁ ମଧ୍ୟ ବିଭିନ୍ନ ଯୋଜନାରେ ଭିଟାମିନ୍‍ ଓ ପୁଷ୍ଟିକର ଖାଦ୍ୟ ଯୋଗାଯାଉଛି । ଏହା ସତ୍ୱେ ବି ରାଜ୍ୟରେ ଅତିଶୟ ପୁଷ୍ଟିହୀନ ଶିଶୁ ଚିହ୍ନଟ ହେବା ଓ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଏହା ଅଧିକ ରହିବା ବିଶେଷଜ୍ଞମାନଙ୍କୁ ଆଶ୍ଚର୍ଯ୍ୟ କରୁଛି ।

ତେବେ ସରକାର ଏହି ଅତିଶୟ ପୁଷ୍ଟିହୀନ ଶିଶୁଙ୍କ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେଉଥିବା ଜଣାଯାଇଛି । ବିଶେଷକରି ଏହିଭଳି ଶିଶୁମାନଙ୍କୁ ଏନ୍‍ଆରସିକୁ ସ୍ଥାନାନ୍ତରଣ ସହିତ ସେମାନଙ୍କ ପିତାମାତାଙ୍କୁ ବିଭନ୍ନ ପ୍ରକାର ରୋଜଗାର ଭିତ୍ତିକ ଯୋଜନାରେ ସାମିଲ କରାଯାଉଛି । ଅଙ୍ଗନବାଡି କର୍ମୀମାନେ ଘରକୁ ଘର ବୁଲି ଅତିଶୟ ପୁଷ୍ଟିହୀନ ଶିଶୁଙ୍କ ସଂକ୍ରାନ୍ତରେ ନିୟମିତ ସୂଚନା ସଂଗ୍ରହ କରୁଥିବାବେଳେ ସମନ୍ୱିତ ଶିଶୁ ବିକାଶ ଯୋଜନାରେ ୬ମାସରୁ ୩ବର୍ଷ ବୟସର କମ୍‍ ଓଜନର ଶିଶୁଙ୍କୁ ଅତିରିକ୍ତ ପୁଷ୍ଟିକର ଖାଦ୍ୟ ଯୋଗାଯାଉଛି ।

LEAVE A REPLY

Please enter your comment!
Please enter your name here