Home Finance ଆତ୍ମନିର୍ଭର ଭାରତ ବାଟରେ ବ୍ୟାଙ୍କ୍‍ ବାଧକ

ଆତ୍ମନିର୍ଭର ଭାରତ ବାଟରେ ବ୍ୟାଙ୍କ୍‍ ବାଧକ

ଭୁବନେଶ୍ୱର : ଆତ୍ମନିର୍ଭର ଭାରତ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗୁରୁତ୍ୱଆରୋପ କରୁଥିବାବେଳେ ବ୍ୟାଙ୍କମାନଙ୍କର ଅସଯୋଗ ଏ କ୍ଷେତ୍ରରେ ବାଧକ ହୋଇଛି । ସାଧାରଣ ଲୋକେ ତ ଦୂରରକଥା ଯେଉଁମାନେ ସିଡାକ୍‍ ଓ ଖଦିବୋର୍ଡ ଭଳି ସରକାରୀ ସଂସ୍ଥାରୁ ତାଲିମ ପାଇଛନ୍ତି ସେମାନଙ୍କୁ ମଧ୍ୟ ପୁଞ୍ଜି ଯୋଗାଇ ଦେବାକୁ ରାଷ୍ଟ୍ରାୟତ ବ୍ୟାଙ୍କ୍‍ଗୁଡିକ ସିଧା ସିଧା ମନାକରି ଦେଉଛନ୍ତି ।

ଏଭଳି ଏକ ଅଭିଯୋଗ ଆସିଛି କଟକ ଜିଲ୍ଲାର ନିଶ୍ଚିତକୋଇଲି ବ୍ଲକରୁ । ବ୍ଲକର ପୋଗରା ପଞ୍ଚାୟତ ଅର୍ନ୍ତଗତ ପାଇକରାପୁର ଗ୍ରାମର ଜଣେ ଉଚ୍ଚଶିକ୍ଷିତା ମହିଳା ମାନସୀ ଭୂୟାଁ ଆତ୍ମନିର୍ଭର ହେବା ସହିତ ଅନ୍ୟମାନଙ୍କୁ କାମ ଯୋଗାଇ ଦେବାପାଇଁ ଭୁବନେଶ୍ୱର ସ୍ଥିତ ସିଡାକ୍‍ରେ ହସ୍ତଶିଳ୍ପ ତାଲିମ ନେଇଥିଲେ । ଏଥି ସହିତ ଖଦିବୋର୍ଡ ଦ୍ୱାରା ଦିଆଯାଉଥିବା ଧୂପକାଠି ପ୍ରସ୍ତୁତି ସଂକ୍ରାନ୍ତରେ ମଧ୍ୟ ତାଲିମ ପାଇଥିଲେ । ତାଲିମ ପରେ ନିଜ ଗ୍ରାମରେ ୪/୫ଜଣ ମହିଳାଙ୍କୁ ନେଇ ଆପ୍‍ଲିକ୍‍ କାମ ଆରମ୍ଭ କରିଥିଲେ । ବ୍ୟବସାୟ ବୃଦ୍ଧି ପାଇଁ ପୁଞ୍ଜି ପାଇବାକୁ ୨୦୧୮ ମସିହାରେ ଜିଲ୍ଲା ଶିଳ୍ପ କେନ୍ଦ୍ର (ଡିଆଇସି) ଜରିଆରେ ଋଣ ପାଇଁ ଆବେଦନ କଲେ ।

ଯେହେତୁ ସିଡାକ୍‍ ଭଳି ସଂସ୍ଥାରେ ସିଏ ତାଲିମ ପାଇ କାର୍ଯ୍ୟ ଆରମ୍ଭ କରିଥିଲେ ଓ ତାଙ୍କର ସମସ୍ତ କାଗଜପତ୍ର ଠିକ୍‍ ଠାକ୍‍ ଥିଲା ଡିଆଇସି କର୍ତ୍ତୃପକ୍ଷ ତାଙ୍କ ସପକ୍ଷରେ ଋଣ ମଞ୍ଜୁର କରି ତାହାକୁ ଶ୍ରୀମତୀ ଭୂୟାଁଙ୍କ ପଞ୍ଚାୟତରେ ଥିବା ପଞ୍ଜାବ ନେସନାଲ ବ୍ୟାଙ୍କ୍‍ର ପାଇକରାପୁର ଶାଖାକୁ ପଠାଇଥିଲେ । ହେଲେ ବ୍ୟାଙ୍କ୍‍ କର୍ତ୍ତୃପକ୍ଷ ଟଙ୍କା ନଥିବା ସହିତ ବିଭିନ୍ନ ଆଳ ଦେଖାଇ ଋଣ ଦେଲେନାହିଁ । ଏ ସଂକ୍ରାନ୍ତରେ ଶ୍ରୀମତୀ ଭୂୟାଁ କଟକ ଡିଆଇସି ମ୍ୟାନେଜରଙ୍କ ଦୃଷ୍ଟି ଆକର୍ଷଣ କଲେ । ଡିଆଇସି ମ୍ୟାନେଜରଙ୍କ ହସ୍ତକ୍ଷେପଙ୍କ ପରେ ବି ବ୍ୟାଙ୍କ୍‍ରୁ ତାଙ୍କୁ ଋଣ ମିଳିଲାନାହିଁ ।

କେବଳ ପଞ୍ଜାବ ନେସନାଲ ଭଳି ରାଷ୍ଟ୍ରାୟତ ବ୍ୟାଙ୍କ୍‍ ନୁହେଁ, ଏହା ନିକଟରେ ଥିବା ଭାରତୀୟ ଷ୍ଟେଟବ୍ୟାଙ୍କ୍‍ ଶାଖା ବି ମାନସୀଙ୍କୁ ଋଣ ଦେବାକୁ ବିମୁଖ । ଡିଆଇସି ମାଧ୍ୟମରେ ଋଣ ହେଉ କିମ୍ବା ମୁଦ୍ରା ଯୋଜନାରେ ହେଉ, କୌଣସିଟିରେ ଋଣ ଦେବାକୁ ଦୁଇ ଦୁଇଟି ରାଷ୍ଟ୍ରାୟତ ବ୍ୟାଙ୍କ୍‍ ବିଭିନ୍ନ ଆଳ ଦେଖାଇ ଧରାଛୁଆଁ ଦେଉନାହାନ୍ତି । ଦୁଇ ବର୍ଷ ଧରି ଦଉଡି ଦଉଡି ହତାଶ ହେବାପରେ ତାଲିମପ୍ରାପ୍ତ ମହିଳା ଜଣଙ୍କ ପୁଞ୍ଜି ଅଭାବରୁ ତାଙ୍କର କାର୍ଯ୍ୟ ବନ୍ଦକରି ଦେଇଛନ୍ତି । କରୋନା ସମୟରେ ଲୋକଙ୍କୁ ରୋଜଗାର ଯୋଗାଇବାର ଲକ୍ଷ୍ୟ ନେଇ ମାନସୀ ଯେଉଁ କାର୍ଯ୍ୟ ଆରମ୍ଭ କରିଥିଲେ ତାହା ଏବେ ଅଧାବାଟରେ ।

ଏଠାରେ ଉଲ୍ଲେଖନୀୟ ଯେ କେନ୍ଦ୍ର ସରକାର ଆତ୍ମନିର୍ଭର ଭାରତ, ମୁଦ୍ରା ଋଣ ସମେତ ଷ୍ଟାର୍ଟଅପ୍‍ ଆଦିର ଜୋରଦାର ପ୍ରଚାର କରୁଥିବାବେଳେ ରାଷ୍ଟ୍ରାୟତ ବ୍ୟାଙ୍କ୍‍ ଗୁଡିକ କିଭଳି ଏ କ୍ଷେତ୍ରରେ ପ୍ରତିବନ୍ଧକ ଏହା ହେଉଛି ତାହାର ଗୋଟିଏ ଉଦାହରଣ । ରାଜ୍ୟ ସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକରେ ଗାଁ ଗହଳର ଲୋକଙ୍କୁ ଋଣ ଦେବାପାଇଁ ସରକାରଙ୍କ ପ୍ରସ୍ତାବରେ ମୁଣ୍ଡ ଟୁଙ୍ଗାରୁଥିବା ବ୍ୟାଙ୍କ୍‍ କର୍ତ୍ତୃପକ୍ଷ ଗାଁ ଗହଳରେ କିଭଳି ଛୋଟ ଛୋଟ ଶିଳ୍ପକୁ ଋଣ ପ୍ରଦାନ କରୁଛନ୍ତି ଭାତ ହାଣ୍ଡିରୁ ଗୋଟିଏ ଭଳି ଏହା ହେଉଛି କ୍ଷେତ୍ରରେ ସ୍ତରୀୟ ଅନୁଭୂତି । ଦୁଇ ଚକିଆ ଓ ଚାରି ଚକିଆ ଗାଡି କିଣିବା ଲାଗି ଋଣ ଦେବାକୁ ବ୍ୟାଙ୍କ୍‍ମାନେ ଯେତେ ବ୍ୟାକୁଳ ଗାଁ ଗହଳର ଛୋଟ ଛୋଟ ସଂସ୍ଥାକୁ ଋଣ ଦେବାକୁ କିନ୍ତୁ ସେଭଳି ଆଗ୍ରହ ପ୍ରକାଶ କରୁନଥିବା ଲକ୍ଷ୍ୟ କରାଯାଉଛି । (ତଥ୍ୟ)