Home Health ଆଠ ମାସରେ ଦେଢ ହଜାର ମୃତ

ଆଠ ମାସରେ ଦେଢ ହଜାର ମୃତ

ଓଡିଶାରେ କରୋନା ପ୍ରବେଶକୁ ଆଠ ମାସ ପରେ ମୃତ୍ୟୁସଂଖ୍ୟା ଦେଢ ହଜାର ଟପିଯାଇଛି । ଆଉ ୧୫ ମୃତ୍ୟୁ ସହିତ ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୧୫୧୦ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି । ସେହିଭଳି ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩,୦୭,୯୦୬ ରେ ପହଞ୍ଚିଛି ।

ଉାର୍ଚ୍ଚ ୧୫ ତାରିଖରେ ରାଜ୍ୟରେ ପ୍ରଥମ କରୋନା ରୋଗୀ ରାଜଧାନୀରେ ଚିହ୍ନଟ ହୋଇଥିବାବେଳେ ଏପ୍ରିଲ ଆଠ ତାରିଖରେ ଏଠାରେ ପ୍ରଥମ କରୋନା ମୃତ୍ୟୁ ରେକର୍ଡ ହୋଇଥିଲା । ଝାରପଡା ଅଞ୍ଚଳର ଜଣେ ୭୨ ବର୍ଷିୟ ବୃଦ୍ଧ କରୋନାରେ ଆଖି ବୁଜିଥିଲେ ।

ଇତି ମଧ୍ୟରେ କରୋନାକୁ ରାଜ୍ୟରେ ୮ମାସ ପୂରିଥିବାବେଳେ ସଂକ୍ରମିତଙ୍କ ସଂକ୍ୟା ହ୍ରାସ ପାଉଛି । ହେଲେ ମୃତ୍ୟୁ ସଂଖ୍ୟାରେ ସେଭଳି ହ୍ରାସ ପରିଲକ୍ଷିତ ହୋଇନାହିଁ । ଏବେ ବି ଦୈନିକ ୧୦ରୁ ଅଧିକ ଲୋକ କରୋନାରେ ମରୁଛନ୍ତି ।

କରୋନା ମୃତ୍ୟୁ ଦେଢ ହଜାର ଟପିଥିବାବେଳେ ଖୋରଧା ଜିଲ୍ଲା ଏ କ୍ଷେତ୍ରରେ ସବୁଠାରୁ ଆଗରେ ରହିଛି । ଖୋରଧାରେ ସର୍ବାଧିକ ୨୬୩ ଜଣ ମୃତ୍ୟୁବରଣ କରିଥିବାବେଳେ ଗଞ୍ଜାମରେ ୨୩୨, କଟକରେ ୧୨୪, ସୁନ୍ଦରଗଡରେ ୯୦, ପୁରୀରେ ୮୯ ଓ ବାଲେଶ୍ୱରରେ ୭୯ଜଣ, ମୟୁରଭଞ୍ଜରେ ୭୫ ଓ ସମ୍ବଲପୁରରେ ମୃତ୍ୟୁବରଣ କରିଛନ୍ତି । ଅନ୍ୟ ଜିଲ୍ଲା ଗୁଡିକରେ ମୃତ୍ୟୃସଂଖ୍ୟା ୫୦ ତଳେ ରହିଥିବାବେଳେ ସବୁଠାରୁ କମ୍‍ ମାତ୍ର ୩ଜଣ ଦେବଗଡ ଜିଲ୍ଲାରେ ରହିଛନ୍ତି ।

ସେହିଭଳି ରାଜ୍ୟରେ କରୋନା ପରୀକ୍ଷା ସଂକ୍ୟା ଆଜି ସୁଦ୍ଧା ୫୨,୧୯,୦୧୪ରେ ପହଞ୍ଚିଛି । ଗତ ୨୪ଘଣ୍ଟାରେ ରାଜ୍ୟରେ ୪୭,୮୩୦ଟି ନମୂନା ପରୀକ୍ଷା ହୋଇଛି । ଆଜି ସୁଦ୍ଧା ହୋଇଥିବା ପରୀକ୍ଷା ନମୂନାରୁ ୫.୯ ପ୍ରତିଶତ ପଜିଟିଭ ଚିହ୍ନଟ ହୋଇଥିବା ଜଣାଯାଇଛି ।

ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଥିବାବେଳେ ସକ୍ରିୟ ରୋଗୀ ମଧ୍ୟ କମୁଛନ୍ତି । ଆଜି ସୁଦ୍ଧା ରାଜ୍ୟରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୧,୦୯୮ର ରେକର୍ଡ ସଂଖ୍ୟକ ସ୍ତରରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨,୯୫,୨୪୫ ଜଣ କରୋନାରୁ ଆରୋଗ୍ୟ ହୋଇ ସାରିଲେଣି ।