Home General ଆଜାଦୀ କା ଅମୃତ ମହୋତ୍ସବରେ ଓଡିଶାରୁ ୯ ଅନୁଷ୍ଠାନ

ଆଜାଦୀ କା ଅମୃତ ମହୋତ୍ସବରେ ଓଡିଶାରୁ ୯ ଅନୁଷ୍ଠାନ

ଭୁବନେଶ୍ୱର : ସ୍ୱାଧୀନତା ପ୍ରାପ୍ତିର ୭୫ବର୍ଷ ପୂର୍ତ୍ତି ଅବସରରେ ପାଳନ ହେବାକୁଥିବା ଆଜାଦୀ କା ଅମୃତ ମହୋତ୍ସବ ପାଇଁ ଚିହ୍ନଟ ହୋଇଥିବା ୨୨୫ ପଞ୍ଚାୟତିରାଜ ଅନୁଷ୍ଠାନ ମଧ୍ୟରେ ଓଡିଶାର ହିଞ୍ଜିଳିକାଟୁ ପଞ୍ଚାୟତ ସମିତି ସମେତ ଆଉ ଦୁଇଟି ପଞ୍ଚାୟତ ସମିତି, ୪ଟି ଜିଲ୍ଲାପରିଷଦ ଏବଂ ଦୁଇଟି ଗ୍ରାମ ପଞ୍ଚାୟତ ରହିଛି । ଏହିସବୁ ଅନୁଷ୍ଠାନଗୁଡିକ ପାଇଁ କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରାଳୟ ପକ୍ଷରୁ ତାଲିମ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି ।

ଆଜାଦୀ କା ଅମୃତ ମହୋତ୍ସବରେ ସ୍ଥାନ ପାଇଥିବା ଓଡିଶାର ପଞ୍ଚାୟତିରାଜ ସଂସ୍ଥାଗୁଡିକ ମଧ୍ୟରେ ଢେଙ୍କାନାଳ, ଖୋର୍ଦ୍ଧା, ସମ୍ବଲପୁର ଓ ଭଦ୍ରକ ଜିଲ୍ଲାପରିଷଦ ଥିବାବେଳେ ଗଞ୍ଜାମ ଜିଲ୍ଲାର ହିଞ୍ଜୁଳିକାଟୁ, କଳାହାଣ୍ଡି ଜିଲ୍ଲାର ମଦନପୁର ରାମପୁର ଏବଂ ବୌଦ ଜିଲ୍ଲା ବୌଦ ପଞ୍ଚାୟତ ସମିତି ରହିଛି । ଏଥି ସହିତ ବୌଦ ଜିଲ୍ଲା ବୌଦ ବ୍ଲକର ରକ୍ସା ଓ ମୁଣ୍ଡିପଦର ଗ୍ରାମ ପଞ୍ଚାୟତ ସ୍ଥାନ ପାଇଛନ୍ତି ।

ନିଜ ନିଜ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ପଞ୍ଚାୟତିରାଜ ସଂସ୍ଥାଗୁଡିକୁ କେନ୍ଦ୍ର ସରକାର ଆଜାଦୀ କା ଅମୃତ ମହୋତ୍ସବ ପାଇଁ ଚିହ୍ନଟ କରାଯାଇଛି । ଏହିସବୁ ଅନୁଷ୍ଠାନଗୁଡିକୁ କେତେକ ପଦକ୍ଷେପ ଗ୍ରହଣ ପାଇଁ ତାଲିମ ସମୟରେ ପରାମର୍ଶ ଦିଆଯାଇଛି । ଏଥି ମଧ୍ୟରେ ଗ୍ରାମାଞ୍ଚଳର ଯୁବକମାନଙ୍କ ମଧ୍ୟରେ ପଠନ ପ୍ରତି ଆଗ୍ରହ ପଢାଇବାକୁ ପଞ୍ଚାୟତ ସ୍ତରରେ ପାଠାଗାର ନିର୍ମାଣ ପାଇଁ ଲକ୍ଷ୍ୟଧାର୍ଯ୍ୟ କରିବାକୁ କୁହାଯାଇଛି ।

ସେହିଭଳି ପଞ୍ଚାୟତରେ ହେଉଥିବା ସମସ୍ତ ଉନ୍ନୟନମୂଳକ କାର୍ଯ୍ୟ ଓ ସଫଳତାର ବହୁଳ ପ୍ରଚାର ପ୍ରସାର ପାଇଁ କୁହାଯାଇଛି । ଏହା ଦ୍ୱାରା ଦେଶର ଅନ୍ୟାନ୍ୟ ପଞ୍ଚାୟତିରାଜ ଅନୁଷ୍ଠାନଗୁଡିକ ଏହିସବୁ ସଫଳତାର କାହାଣି ସଂକ୍ରାନ୍ତରେ ଅବଗତ ହେବେ ଏବଂ ତଦନୁଯାୟୀ ପଦକ୍ଷେପ ଗ୍ରହଣ କରିପାରିବେ ।

ଆଜିର ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ମନ୍ତ୍ରାଳୟର ଅତିରିକ୍ତ ସଚିବ ଡକ୍ଟର ଚନ୍ଦ୍ରଶେଖର କୁମାର ଅଧ୍ୟକ୍ଷତା କରିଥିବାବେଳେ ମନ୍ତ୍ରାଳୟର ଆର୍ଥିକ ପରାମର୍ଶଦାତା ଡକ୍ଟର ବିଜୟ କୁମାର ବେହେରା ଉପସ୍ଥିତ ଥିଲେ । ସମଗ୍ର ଦେଶରେ ଆଜାଦୀ କା ଅମୃତ ମହୋତ୍ସବ ଉତ୍ସବ ପାଳନ ହେବାକୁ ଯାଉଥିବାବେଳେ ଏଥିରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପଞ୍ଚାୟତିରାଜ ବିଭାଗ ଓ ଅନୁଷ୍ଠାନମାନେ ଅଂଶଗ୍ରହଣ କରିବେ । (ତଥ୍ୟ)

LEAVE A REPLY

Please enter your comment!
Please enter your name here