Home Infrastructure ଆଗଉନି ବନ୍ଦର ନିର୍ମାଣ ଯୋଜନା

ଆଗଉନି ବନ୍ଦର ନିର୍ମାଣ ଯୋଜନା

ଭୁବନେଶ୍ୱର : ରାଜ୍ୟ ସରକାର ବନ୍ଦର ନୀତି ପ୍ରସ୍ତୁତ କରିବାର ୧୮ ବର୍ଷ ପରେ ବି ଘରୋଇ ବନ୍ଦର ନିର୍ମାଣ କ୍ଷେତ୍ରରେ ସେତେଟା ଅଗ୍ରଗତି ପରିଲକ୍ଷିତ ହେଉନାହିଁ । ଗୋଟିଏ ବୃହତ୍‍ ବନ୍ଦର ପାରାଦୀପ୍‍ ଓ ଆଉ ଦୁଇ ଅଣ-ବୃହତ୍‍ ବନ୍ଦର ଧାମରା ଓ ଗୋପାଳପୁରକୁ ବାଦ ଦେଲେ ଅନ୍ୟ ପ୍ରସ୍ତାବିତ ବନ୍ଦର ପ୍ରକଳ୍ପଗୁଡିକ ଏକ ପ୍ରକାର ଅଧାବାଟରେ ରହିଛି ।

୨୦୦୪ ମସିହାରେ ରାଜ୍ୟ ସରକାର ନୂତନ ବନ୍ଦର ନୀତି ପ୍ରଣୟନ କରିବା ସହିତ ୪୮୦ କିଲୋମିଟର ଦୀର୍ଘ ଓଡିଶା ଉପକୂଳରେ ଏକାଧିକ ବନ୍ଦର ପ୍ରତିଷ୍ଠା ପାଇଁ ଉଦ୍ୟମ ଆରମ୍ଭ କରିଥିଲେ । ଏଥିପାଇଁ ୧୨ଟି ସ୍ଥାନ ଚିହ୍ନଟ କରାଯିବା ସହିତ ସେଠାରେ ନୂତନ ଅଣ-ବୃହତ୍‍ ବନ୍ଦର ସ୍ଥାପନ ପାଇଁ ବିଜ୍ଞପ୍ତି ପ୍ରକାଶ କରିଥିଲେ । ଏହିସବୁ ସ୍ଥାନ ମଧ୍ୟରେ ବାଲେଶ୍ୱର ଜିଲ୍ଲାର ବିଚିତ୍ରପୁର, ସୁବର୍ଣ୍ଣରେଖା ମୁହାଣ, ବାହାବଳପୁର, ଚାନ୍ଦିପୁର ଓ ଇଞ୍ଚୁଡି, ଭଦ୍ରକ ଜିଲ୍ଲାର ଚୂଡାମଣି, ଜଗତ୍‍ସିଂହପୁର ଜିଲ୍ଲାର ଜଟାଧାର ମୁହାଣ, ପୁରୀ ଜିଲ୍ଲାର ଅସ୍ତରଙ୍ଗ ଓ ବାଲିହରଚଣ୍ଡି, ଗଞ୍ଜାମର ପାଲୁର ଓ ବାହୁଦା ମୁହାଣ ଏବଂ କେନ୍ଦ୍ରାପଡା ଜିଲ୍ଲାର ଆଖଡାଶାଳୀ । ମହାକାଳପଡା ବ୍ଲକର ଆଖଡାଶାଳୀରେ ନଦୀଭିତ୍ତିକ ବନ୍ଦର ପ୍ରତିଷ୍ଠା ଲାଗି ପ୍ରସ୍ତାବ ରହିଛି ।

ତେବେ ଏହି ୧୨ଟି ସ୍ଥାନ ମଧ୍ୟରୁ ବାଲେଶ୍ୱର ଜିଲ୍ଲାର ସୁବର୍ଣ୍ଣରେଖା ମୁହାଣ ଓ ପୁରୀ ଜିଲ୍ଲାର ଅସ୍ତରଙ୍ଗଠାରେ ଅଣବୃହତ ବନ୍ଦର ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ଯଥାକ୍ରମେ ସେତେବେଳର କ୍ରିଏଟିଭ ପୋର୍ଟ ଡେଭଲପମେଣ୍ଟ ପ୍ରାଇଭେଟ ଲିମିଟେଡ ଯାହାକି ଏବେ ସୁବର୍ଣ୍ଣରେଖା ପୋର୍ଟ ପ୍ରାଇଭେଟ ଲିମିଟେଡ ହୋଇଛି ଏବଂ ନବଯୁଗ ଇଞ୍ଜିନିୟରିଂ କମ୍ପାନୀ ଲିମିଟେଡ ସହିତ ରାଜିନାମା କରିଥିଲେ । ଦୀର୍ଘଦିନରୁ ଏହି ଦୁଇ ବନ୍ଦର ପାଇଁ ଜମିଅଧିଗ୍ରହଣ କାର୍ଯ୍ୟ ଜାରି ଥିବା ସରକାରୀ ସ୍ତରରେ କୁହାଯାଉଛି । ଅସ୍ତରଙ୍ଗ ଠାରେ ଜମି ଅଧିଗ୍ରହଣକୁ ପ୍ରବଳ ବିରୋଧ ଯୋଗୁଁ କାର୍ଯ୍ୟ ସେତେଟା ଆଗେଇ ପାରୁନଥିବା ଜଣାଯାଇଛି ।

ସେହିପରି କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକର ମହାନଦୀର ବାମ ପାଶ୍ୱର୍ରେ ଥିବା ଆଖଡାଶାଳି ଗ୍ରାମ ନିକଟରେ ଏକ ନଦୀଭିତ୍ତିକ ବନ୍ଦର ପ୍ରତିଷ୍ଠାପାଇଁ ପଦକ୍ଷେପ ନିଆଯାଉଛି । ରାଜ୍ୟ ସରକାରଙ୍କ ଅଧିକାରୀମାନେ ଏହି ସ୍ଥାନ ଅନୁଧ୍ୟାନ କରିଛନ୍ତି । ଏଥି ନିମନ୍ତେ କେନ୍ଦ୍ର ସରକାରଙ୍କ ଅଧିନରେ ଥିବା ପାରାଦୀପ ବନ୍ଦର ଟ୍ରଷ୍ଟଙ୍କ ଦ୍ୱାରା ଏହି ବନ୍ଦର ନିର୍ମାଣ ତଥା ପରିଚାଳନା ପାଇଁ ଦିଆଯାଇଥିବା ପ୍ରସ୍ତାବକୁ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି ।

ଭଦ୍ରକ ଜିଲ୍ଲାର ଚୂଡାମଣି ଠାରେ ଆଦିତ୍ୟ ବିର୍ଲା ଗ୍ରୁପ ଏକ ନିଜସ୍ୱ ବନ୍ଦର ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କ ସହିତ ରାଜିନାମା କରିଥିଲେ ମଧ୍ୟ ପରବର୍ତ୍ତୀ ଅବସ୍ଥାରେ ସେଥିରୁ ଓହରି ଯାଇଛି । ସେହିଭଳି ଚାନ୍ଦବାଲି ଠାରେ ବନ୍ଦର ପ୍ରତିଷ୍ଠା କାର୍ଯ୍ୟ ନେଇ କୌଣସି ସୂଚନା ନାହିଁ । ଅନ୍ୟ ପ୍ରସ୍ତାବିତ ସ୍ଥାନରେ ବନ୍ଦର ପ୍ରତିଷ୍ଠା ପାଇଁ କୌଣସି ଘରୋଇ ସଂସ୍ଥା ସେଭଳି ଆଗ୍ରହ ପ୍ରକାଶ କରୁନଥିବା ଜଣାଯାଇଛି । ମୋଟାମୋଟି ଭାବେ ବର୍ତ୍ତମାନ କାର୍ଯ୍ୟରତ ତିନି ବନ୍ଦରକୁ ଛାଡି ଦେଲେ ଓଡିଶା ଉପକୂଳରେ ଅନ୍ୟ ବନ୍ଦର ପ୍ରତିଷ୍ଠା ନେଇ ସେଭଳି କୌଣସି ଅଗ୍ରଗତି ପରିଲକ୍ଷିତ ହେଉନାହିଁ । (ତଥ୍ୟ)

LEAVE A REPLY

Please enter your comment!
Please enter your name here