Home Covid ଆଉ ୬୮ ଜୀବନ ନେଲା କରୋନା

ଆଉ ୬୮ ଜୀବନ ନେଲା କରୋନା

ଭୁବନେଶ୍ୱର : କରୋନାରେ ରାଜ୍ୟରେ ଆଉ ୬୮ଜଣଙ୍କ ଜୀବନ ଯାଇଛି । ଦ୍ୱିତୀୟ ଲହରରେ ଗୋଟିଏ ଦିନରେ ଏହା ସର୍ବାଧିକ ମୃତ୍ୟୁ ହୋଇଥିବାବେଳେ ମୋଟ୍‍ ମୃତ୍ୟୁସଂଖ୍ୟା ୪୭୩୦ରେ ପହଞ୍ଚିଛି । ସେହିଭଳି ଖୋରଧା ଜିଲ୍ଲାରେ ମଧ୍ୟ ଗୋଟିଏ ଦିନରେ ସର୍ବାଧିକ ୧୭ଜଣଙ୍କ ପ୍ରାଣ ଯାଇଛି ।

ମୃତ୍ୟୁବରଣ କରିଥିବା ୬୮ଜଣଙ୍କ ମଧ୍ୟରେ ଖୋରଧାରୁ ସର୍ବାଧିକ ୧୭ଜଣ ଥିବାବେଳେ ଗଞ୍ଜାମରୁ ୭, ବରଗଡ ଓ ମୟୁରଭଞ୍ଜରୁ ୬ଜଣ କରି, ସୁନ୍ଦରଗଡରୁ ୫, ପୁରୀରୁ ୪, ଅନୁଗୁଳ ଓ ଯାଜପୁରରୁ ୩କରି, ବଲାଙ୍ଗିର, ଢେଙ୍କାନାଳ, ଝାରସୁଗୁଡା, କେନ୍ଦ୍ରାପଡା, କେନ୍ଦୁଝର ଓ ନୟାଗଡରୁ ୨ଜଣ କରି ଏବଂ ବାଲେଶ୍ୱର, କନ୍ଧମାଳ ଓ ନୂଆପଡାରୁ ଜଣେ କରି ରହିଛନ୍ତି ।

ସେହଭଳି ଲଗାତାର ଦୁଇଦିନ ଧରି ଦୈନିକ କରୋନା ସଂକ୍ରମଣ ୨ହଜାର ତଳେ ରହିଛି । ଗତ ୨୪ଘଣ୍ଟାରେ ରାଜ୍ୟରେ ୧୯୩୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ୍‍ ସଂକ୍ରମିତଙ୍କ ସଂଖ୍ୟା ୯,୪୩,୬୭୫ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ ୯,୧୫,୪୦୦ ଜଣ ସୁସ୍ଥ ହୋଇ ସାରିଲେଣି ।

ଚିହ୍ନଟ ହୋଇଥିବା ନୂଆ ସଂକ୍ରମିତଙ୍କ ମଧ୍ୟରେ ଖୋରଧାରୁ ସର୍ବାଧିକ ୪୩୧ଜଣ ଥିବାବେଳେ କଟକରୁ ୨୨୦, ବାଲେଶ୍ୱରରୁ ୧୩୪, ଯାଜପୁରରୁ ୧୨୫, କେନ୍ଦ୍ରାପଡାରୁ ୧୨୩ ଜଣ ରହିଛନ୍ତି । ଅନ୍ୟ ଜିଲ୍ଲାଗୁଡିକରେ ସଂକ୍ରମଣ ସଂଖ୍ୟା ତିନି ଅଙ୍କ ତଳେ ରହିଛି ।

ତେବେ ସବୁଠାରୁ କମ୍‍ ମାତ୍ର ଜଣେ ସଂକ୍ରମିତ ବଲାଙ୍ଗିର ଜିଲ୍ଲାରେ ଚିହ୍ନଟ ହୋଇଥିବାବେଳେ ନୂଆପଡାରେ ୨ଜଣ, ବୌଦ୍ଦରେ ୩ଜଣ, ଗଜପତିରେ ୪ଜଣ, ସୋନପୁର ଓ ନବରଙ୍ଗପୁରରେ ୫ଜଣ କରି କଳାହାଣ୍ଡିରେ ୭, ଦେବଗଡରେ ୮ଜଣ ଚିହ୍ନଟ ହୋଇଛନ୍ତି ।

ସଂକ୍ରମିତଙ୍କ ଅନୁପାତରେ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ରାଜ୍ୟରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୩,୪୯୨ରେ ପହଞ୍ଚିଛି । ତେବେ ସଂକ୍ରମିତ ହାର ହ୍ରାସ ପାଉଥିବାବେଳେ ମୃତ୍ୟୁ ହାର ବଢିବା ଏବେ ଚିନ୍ତାର କାରଣ ପାଲଟିଛି ।