Home Education ଆଉ ୩ଟି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପାଇଁ ଦାବି

ଆଉ ୩ଟି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପାଇଁ ଦାବି

ଭୁବନେଶ୍ୱର : ଦେଶର ଅନ୍ୟୁନ ୪୯ଟି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଥିବାବେଳେ ଓଡିଶାରେ ଏଥିରୁ ରହିଛି ମାତ୍ର ଗୋଟିଏ । ଏ ପରିପ୍ରେକ୍ଷୀରେ ଓଡିଶାରେ ଅନ୍ୟୁନ ଆଉ ୩ଟି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସ୍ଥାପନ ପାଇଁ ବିଭିନ୍ନ ଅଞ୍ଚଳରୁ ଦାବି ହେଉଛି ।

କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଆଇନ୍‍ ଆଧାରରେ ଭାରତ ସରକାରଙ୍କ ଶିକ୍ଷା ବିଭାଗ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିଥାନ୍ତି । ଦୀର୍ଘ ଦଶନ୍ଧିର ଦାବି ପରେ ଓଡିଶାର କୋରାପୁଟରେ ଏକ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯାଇଛି । କିନ୍ତୁ ଏଠାରେ ଶିକ୍ଷକ ନିଯୁକ୍ତି ସହ ଅନ୍ୟ ଭିତ୍ତିଭୂମିର ସମସ୍ୟା ଲାଗି ରହିଛି ।

୧୯୪୩ ମସିହାରେ ଓଡିଶାର ପ୍ରଥମ ବିଶ୍ୱବିଦ୍ୟାଳୟ ଭାବେ ଉତ୍କଳ ବିଶ୍ୱବିଦ୍ୟାଳୟ ସ୍ଥାପିତ ହୋଇଥିଲା । ୨୦୦୦ ମସିହା ବେଳକୁ ବ୍ରହ୍ମପୁର, ସମ୍ବଲପୁର, ପୁରୀର ଶ୍ରୀଜଗନ୍ନାଥ, ବାଲେଶ୍ୱରର ଫକୀରମୋହନ, ବାରିପଦାର ଉତ୍ତରଓଡିଶା ବିଶ୍ୱବିଦ୍ୟାଳୟ, ମଧ୍ୟୁସୂଦନ ଆଇନ୍‍ ବିଶ୍ୱବିଦ୍ୟାଳୟ, କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଏବଂ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ ଆଦି ସ୍ଥାପିତ ହୋଇସାରିଥିଲା । ଇତି ମଧ୍ୟରେ ରେଭେନ୍ସା, ରମାଦେବୀ ମହିଳା, ଖଲ୍ଲିକୋଟ, ଗଙ୍ଗାଧର ମେହେର, କଳାହାଣ୍ଡି ଓ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ପ୍ରଭୃତି ହୋଇଛି । ଏହାଛଡା ସୋଆ, କିଟ୍‍, ସେଞ୍ଚୁରିଆନ, ଶ୍ରୀ ଶ୍ରୀ ଆଦି ଅନେକ ଘରୋଇ ବିଶ୍ୱବିଦ୍ୟାଳୟ ମଧ୍ୟ ଓଡିଶାରେ କାର୍ଯ୍ୟରତ ଅଛନ୍ତି ।

ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଗୃହ ପରିସରରେ କଟକରେ ଚାଲିଥିବା ଶୈଳବାଳା ସ୍ୱୟଂଶାସିତ କଲେଜ ଇତି ମଧ୍ୟରେ ୧୦୮ବର୍ଷ ପୂରଣ କଲାଣି । ଏହି ମହିଳା କଲେଜଟି ଓଡିଶାର ପ୍ରଥମ ଓ ଦେଶର ଦ୍ୱିତୀୟ । ଏହାକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ପରିଣତ କରିବାପାଇଁ ଦଳ ମତ ନିର୍ବିଶେଷରେ ଦାବି ଉଠୁଛି । ଏବେ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ସରକାରଙ୍କ ଶିକ୍ଷାମନ୍ତ୍ରୀ ଥିବା ଦୃଷ୍ଟିରୁ ଶୈଳବାଳା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ମାନ୍ୟତା ପାଇବା ସହଜ ହେବବୋଲି ଆଶା କରାଯାଉଥିବାବେଳେ ଏଥିପାଇଁ ଦୃଢ ରାଜନୈତିକ ଇଚ୍ଛାଶକ୍ତିର ଆବଶ୍ୟକତା ରହିଛି ।

ଚାରି ଦଶନ୍ଧି ଧରି ଉତ୍କଳ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ମାନ୍ୟତା ଦେବାଲାଗି ଦାବି ହୋଇଆସୁଛି । ଏହାଛଡା ଦକ୍ଷିଣ ଓ ପଶ୍ଚିମାଞ୍ଚଳର ଆଉ କେତେକ ପୁରୁଣା ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟରେ ରୂପାନ୍ତର କରିବାପାଇଁ ମଧ୍ୟ ଦାବି ଅଛି ।

ଉତ୍ତରପ୍ରଦେଶରେ ସର୍ବାଧିକ ୬ଟି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଥିବାବେଳେ ଦିଲ୍ଲୀରେ ୫ଟି, ବିହାରରେ ୪ଟି ଏବଂ ମଣିପୁର ଓ ତେଲେଙ୍ଗାନା ଭଳି ଛୋଟ ଛୋଟ ରାଜ୍ୟରେ ଦୁଇଟି କରି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଚାଲୁଛି । ଏହାଛଡା ତାମିଲନାଡୁ, ମହାରାଷ୍ଟ୍ର, ଝାଡଖଣ୍ଡ, ଗୁଜୁରାଟ ଓ ଆସାମ ଭଳି ରାଜ୍ୟରେ ମଧ୍ୟ ଏକାଧିକ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଥିବାରୁ ଓଡିଶାରେ ଆଉ ଦୁଇ ତିନିଟି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ କାହିଁକି ପ୍ରତିଷ୍ଠିତ ହୋଇପାରିବନାହିଁ ବୋଲି ବିଭିନ୍ନ ମହଲରୁ ପ୍ରଶ୍ନ ଉଠୁଛି ।

ଏଠାରେ ଉଲ୍ଲେକନୀୟ ଯେ ଦେଶର ୪୯ଟି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ମଧ୍ୟରୁ ୪୦ଟିକୁ କେନ୍ଦ୍ର ସରକାର ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ମାଧ୍ୟମରେ ଅର୍ଥ ଯୋଗାଉଥିବାବେଳେ ଆଉ ୯ଟି ସ୍ୱୟଂଶାସିତ ମର୍ଯ୍ୟାଦା ଦେଇ କେନ୍ଦ୍ର ସିଧାସଳଖ କୋଟି କୋଟି ଟଙ୍କାର ଆର୍ଥିକ ସହାୟତା ଯୋଗାଉଛି । ରାଜ୍ୟରେ ଅଧିକ ସଂଖ୍ୟକ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠିତ ହେଲେ ଓଡିଶାକୁ କେନ୍ଦ୍ର ଶିକ୍ଷା ପାଣ୍ଠିରୁ ଅଧିକ ଅର୍ଥ ଆସିପାରିବ ଏବଂ ଏହାଦ୍ୱାରା ଉଚ୍ଚଶିକ୍ଷା ଓ ଗବେଷଣାର କ୍ଷେତ୍ର ସମୃଦ୍ଧ ହେବା ସଂଗେ ସଂଗେ ନିଯୁକ୍ତି ମଧ୍ୟ ବୃଦ୍ଧି ପାଇବ । (ତଥ୍ୟ)

LEAVE A REPLY

Please enter your comment!
Please enter your name here