Home News in Odia ଆଉ ୧୦ବର୍ଷ ପ୍ରାୟୋଜକ ହେବ ଓଡିଶା

ଆଉ ୧୦ବର୍ଷ ପ୍ରାୟୋଜକ ହେବ ଓଡିଶା

ଭୁବନେଶ୍ୱର:  ଭାରତୀୟ ହକି ଦଳର ପ୍ରାୟୋଜକ ଭାବେ ଓଡିଶା ଆହୁରି ୧୦ ବର୍ଷ ରହିବ । ଟୋକିଓ ଅଲିମ୍ପିକ୍ସରେ ନିଜର ଚମତ୍କାର ପ୍ରଦର୍ଶନ ସହିତ ଇତିହାସ ଲିପିବଦ୍ଧ କରିଥିବା ଭାରତୀୟ ଜାତୀୟ ହକି ଦଳକୁ ଆଜି ଏଠାରେ ସମ୍ବର୍ଦ୍ଧନା ସମାରୋହରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି ।

ଶ୍ରୀ ପଟ୍ଟନାୟକ କ୍ୟାପଟେନ ମହିଳା ହକି ଦଳର କ୍ୟାପଟେନ ରାନୀ ରାମପାଲ ଏବଂ ପୁରଷ ହକିଦଳର ଅଧିନାୟକ ମନପ୍ରୀତ ସିଂହଙ୍କୁ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରିଥିଲେ । ଏଥି ସହିତ ଦୁଇ ଦଳର ସଦସ୍ୟ, ସହାୟକ କର୍ମକର୍ତ୍ତାଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା ।

ପ୍ରତ୍ୟେକ ଖେଳାଳିଙ୍କୁ ୧୦ ଲକ୍ଷ ଟଙ୍କା ଏବଂ ପ୍ରତ୍ୟେକ ସହାୟତା କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀ ୫ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ ।

ସମ୍ମାନ ଏବଂ କୃତଜ୍ଞତାର ଏକ ଟୋକନ୍ ଭାବରେ ପ୍ରତ୍ୟେକ ଦଳ ଖେଳାଳିଙ୍କ ଦ୍ୱାରା ଅଟୋଗ୍ରାଫ୍ ହୋଇଥିବା ଏକ ଫ୍ରେମ୍ ଜର୍ସି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ଉପହାର ଦେଇଥିଲେ ।

ଏହି ସମାବେଶକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ଟୋକିଓରେ ତୁମର ଆବେଗ ସଂଗ୍ରାମ ଦ୍ୱାରା ତୁମେ ଆମ ସମସ୍ତଙ୍କୁ ଗର୍ବିତ କରିଛ । ଭାରତୀୟ ହକିର ପୁନର୍ଜୀବନର ସହିତ ଭାରତ ପାଇଁ ଏହା ଗଭୀର ଭାବପ୍ରବଣ ମୁହୂର୍ତ୍ତ ।

ପ୍ରାୟ ଚାରି ଦଶନ୍ଧି ଧରି ହକି ପ୍ରଶଂସକମାନେ ଅଲିମ୍ପିକ୍ସରେ ଭାରତ ପଦକ ହାସଲ କରିବାକୁ ଆଗ୍ରହ ପ୍ରକାଶ କରିଥିଲେୟ । ହକି ଦଳର ମ୍ୟାଚ୍ ଦେଖିବା ପାଇଁ ସମଗ୍ର ଦେଶ ଯେପରି ପରଦା ଉପରେ ନଜର ରଖିଥିଲା ସେଥିରୁ ସ୍ପଷ୍ଟ ଯେ ହକିରେ କିଛି ଅଧିକ ଅଛି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ବୀର ଖେଳାଳୀମାନଙ୍କୁ ସମୁଦାୟ ୧୩ ଟି ପୁରସ୍କାର ପ୍ରଦାନ କରିଥିଲେ । ପୁରୁଷ ହକିରେ ସର୍ବାଧିକ ଗୋଲ୍ ସ୍କୋର ପାଇଁ ହରମନପ୍ରୀତ ସିଂହ, ସର୍ବାଧିକ ଗୋଲ୍ ବଞ୍ଚାଇଥିବା ପିଆର ଶ୍ରୀଜେଶ, ସର୍ବାଧିକ ଗୋଲ୍ ସ୍କୋରରେ ସହାୟତା କରିଥିବା ନୀଳକଣ୍ଠ ଶର୍ମା, ସର୍ବାଧିକ ସଂଖ୍ୟକ ଡିଫେନସିଭ୍ ଟାକଲସ୍ ପାଇଁ ରୁପିନ୍ଦର ପଲ୍ ସିଂହ ଏବଂ ମିଡ଼ଫିଲଡ୍ ରେ ସର୍ବାଧିକ ଇଣ୍ଟରସେପସନ କରିଥିବା ହରମନପ୍ରୀତ ସିଂହ ଏବଂ ଅମିତ୍ ରୋହିଦାସଙ୍କୁ ମୁଖ୍ୟମନ୍ତ୍ରୀ ୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କୃତ କରିଥିଲେ ।

ସେହିଭଳି ମହିଳା ହକିରେ ସର୍ବାଧିକ ଗୋଲ୍ ସ୍କୋର କରିଥିବା ଗୁରୁଜିତ୍ କୌର୍ ଏବଂ ବନ୍ଦନା କଟରିୟା, ସର୍ବାଧିକ ଗୋଲ୍ ବଞ୍ଚାଇଥିବା ସବିତା ପୁନିଆ, ସର୍ବାଧିକ ଗୋଲ୍ ବଞ୍ଚାଇବାରେ ସାହାଯ୍ୟ କରିଥିବା ରାଣୀ ରାମପାଲ୍ ଏବଂ ନବନୀତ କୌର, ସର୍ବାଧିକ ସଂଖ୍ୟକ ଡିଫେନସିଭ୍ ଟାକଲସ୍ ପାଇଁ ଦୀପଗ୍ରେସ୍ ଏକ୍କା ଏବଂ ମିଡ଼ଫିଲଡ୍ ରେ ସର୍ବାଧିକ ଇଣ୍ଟରସେପସନ ପାଇଁ ପି.ସୁଶୀଲା ଚାନୁଙ୍କୁ ୫ ଲକ୍ଷ ଲେଖାଏଁ ପୁରସ୍କୃତ କରିଥିଲେ ମୁଖ୍ୟମନ୍ତ୍ରୀ ।

ହକି ଟିମ୍ ପାଇଁ ନିଯୁକ୍ତ ଓଡ଼ିଆ ଡାକ୍ତର ବିଭୁ କଲ୍ୟାଣ ନାୟକଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ୫ ଲକ୍ଷ ଟଙ୍କା ପୁରସ୍କାର ଦେଇଥିଲେ ।

ଭାରତୀୟ ଅଲମ୍ପିକ୍ ସଂଘର ସଭାପତି ଡକ୍ଟର ନରିନ୍ଦର ଧ୍ରୁବ ବାତ୍ରା, ହକି ଇଣ୍ଡିଆ ସଭାପତି ଜ୍ଞାନେନ୍ଦ୍ର ନିଙ୍ଗୋମ୍ବମ, ହକି ଇଣ୍ଡିଆ ସେକ୍ରେଟାରୀ ଜେନେରାଲ୍ ରାଜିନ୍ଦର ସିଂହ, ହକି ଇଣ୍ଡିଆ ସିଇଓ ଏଲିନା ନରମାନ୍ ଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିବା ସହ ହକି ଫେଡ଼େରେସନ୍ କୁ ୫୦ ଲକ୍ଷ ଟଙ୍କା ପୁରସ୍କୃତ କରିଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭି.କେ.ପାଣ୍ଡିଆନ୍ ଙ୍କ ସମେତ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, ଓଡ଼ିଶା ହକି ପ୍ରମୋସନ୍ କାଉନସିଲ ଅଧ୍ୟକ୍ଷ ଦିଲ୍ଲୀପ ତିର୍କୀ, କ୍ରୀଡ଼ା ସଚିବ ଆର.ଭିନୀଲ୍ କ୍ରୀଷ୍ଣା ଏବଂ ରାଜ୍ୟ ସରକାରଙ୍କ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ ।