Home Health ଆଉଟଡୋର ଟିକଟ ପାଇଁ ଶୀତ କାକରରେ ଲମ୍ବା ଧାଡି

ଆଉଟଡୋର ଟିକଟ ପାଇଁ ଶୀତ କାକରରେ ଲମ୍ବା ଧାଡି

ଭୁବନେଶ୍ୱର : ଭଲ ଚିକିତ୍ସା ପାଇବାପାଇଁ ଡାକ୍ତରଖାନାରେ ଡାକ୍ତରଙ୍କୁ ଭେଟିବାଲାଗି ଆଉଟଡୋର ଟିକଟ ସଂଗ୍ରହ କରିବାକୁ ପ୍ରମୁଖ ଡାକ୍ତରଖାନାଗୁଡିକରେ ପ୍ରଚଣ୍ଡ ଶୀତ ଭିତରେ ଶହ ଶହ ଲୋକ ରାତିର ଧାଡିବାନ୍ଧି ଅପେକ୍ଷା କରୁଛନ୍ତି । ଏଥିଯୋଗୁଁ କରୋନା ସହ ଅନ୍ୟାନ୍ୟ ଥଣ୍ଡାରୋଗ ବ୍ୟାପିବାର ଆଶଙ୍କା ଥିଲେ ମଧ୍ୟ କେହି ତାହାର ପ୍ରତିକାର କରୁନାହାନ୍ତି । ଆଉଟଡୋର ଟିକଟ ପାଇଁ ଶିଶୁ ଓ ମହିଳାଙ୍କ ସମେତ ବୟସ୍କ ଲୋକମାନେ ବି ରାତି ସାରା ଖୋଲା ଆକାଶ ତଳେ ପଡି ରହୁଛନ୍ତି ।

ଏମିତି କରୁଣ ଦୃଶ୍ୟ ପ୍ରାୟ ପ୍ରତିଦିନ ସଂଧ୍ୟାରୁ ସକାଳ ପର୍ଯ୍ୟନ୍ତ ଭୁବନେଶ୍ୱର ସ୍ଥିତ ଏମ୍‍ସରେ ଦେଖିବାକୁ ମିଳୁଛି । ଓଡିଶାର ବିଭିନ୍ନ ଜିଲ୍ଲାରୁ ଏମିତିକି ପଡୋଶୀ ରାଜ୍ୟ ଆନ୍ଧ୍ର, ପଶ୍ଚିମବଙ୍ଗ, ଛତିଶଗଡ, ଝାଡଖଣ୍ଡ ଆଦିରୁ ଅନେକ ଲୋକ ଚିକିତ୍ସା ପାଇଁ ଏମ୍‍ସ ଆସୁଛନ୍ତି । ତେବେ ଆଉଟଡୋରରେ ସୀମିତ ସଂଖ୍ୟକ ରୋଗୀଙ୍କୁ ଡାକ୍ତର ଦେଖିବାର ବ୍ୟବସ୍ଥା ଥିବାରୁ ଆଗତୁରା ଆଉଟଡୋର ଟିକଟ ଲାଗି ଲୋକଙ୍କ ଭିତରେ ବ୍ୟସ୍ତତା ଲକ୍ଷ୍ୟ କରାଯାଉଛି । ଫଳରେ ଏମ୍‍ସ ପରିସର ମଧ୍ୟରେ ରାସ୍ତାର ଦୁଇ କଡରେ ସାରା ରାତି ଶହ ଶହ ଲୋକେ ଖୋଲା ଆକାଶ ତଳେ ପ୍ରଚଣ୍ଡ ଜାଡରେ ପଡି ରହୁଛନ୍ତି ।

କେବଳ ଏମ୍‍ସରେ ନୁହେଁ କଟକ ଏସ୍‍ସିବି ସମେତ ଅନ୍ୟ କେତେକ ପ୍ରମୁଖ ସରକାରୀ ମେଡିକାଲ କଲେଜରେ ଜଟିଳ ରୋଗର ଚିକିତ୍ସାପାଇଁ ଆସୁଥିବା ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କୁ ମଧ୍ୟ ଆଉଟଡୋର ଟିକଟ ପାଇଁ ରାତିରୁ ଧାଡିରେ ଛିଡା ହେବାକୁ ପଡୁଛି । ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ଭଳି ଅନ୍ୟ କେତେକ ସରକାରୀ ଡାକ୍ତରଖାନାରେ ବି ଟିକଟ କାଉଣ୍ଟରକୁ କର୍ମଚାରୀ ଆସିବାର ତିନି ଚାରିଘଣ୍ଟା ପୂର୍ବରୁ ଲୋକେ ଧାଡିରେ ଅପେକ୍ଷାକରି ରହୁଛନ୍ତି ।

ଅବସ୍ଥା ଏଭଳି ହେଉଛି ଯେ ଏମ୍‍ସ ସମେତ ଅନ୍ୟ ବଡ ସରକାରୀ ଡାକ୍ତରଖାନାଗୁଡିକରେ ରୋଗୀ ଦେଖାଇବାପାଇଁ ଆଉଟଡୋର ଟିକଟ ଲାଗି ଦଲାଲମାନଙ୍କ ଉପରେ ନିର୍ଭର କରିବାକୁ ପଡୁଛି । ଯେଉଁମାନଙ୍କର ଲୋକବଳ ନାହିଁ କିମ୍ବା ରୋଗ ଦୃଷ୍ଟିରୁ ଶୀତ କାକରରେ ରାତିସାରା ଧାଡିରେ ଅପେକ୍ଷା କରିବାର ସାମର୍ଥ୍ୟ ନାହିଁ ସେମାନେ ଦଲାଲମାନଙ୍କ ସହାୟତା ନେଇ ଟିକଟ ଯୋଗାଡ କରୁଛନ୍ତି । କେତେକ କ୍ଷେତ୍ରରେ ଏହି ଦଲାଲମାନେ ଧାଡିରେ ନିଜ ଲୋକ ଛିଡା କରାଉଛନ୍ତି ଏବଂ ସେମାନଙ୍କୁ ଅଳ୍ପ କିଛି ପାରିଶ୍ରମିକ ଦେଇ ରୋଗୀଙ୍କ ଠାରୁ ମୋଟା ଅଙ୍କର ଅର୍ଥ ଶୋଷୁଛନ୍ତି ।

ଏମ୍‍ସରେ ରାତ୍ରୀ ଆଶ୍ରୟସ୍ଥଳୀ ଥିଲେ ମଧ୍ୟ ଯେତେ ସଂଖ୍ୟକ ଲୋକ ଏଠି ଜମୁଛନ୍ତି ସେ ସମସ୍ତଙ୍କୁ ରାତ୍ରୀ ଆଶ୍ରୟସ୍ଥଳୀରେ ଜାଗା ମିଳିବା ସମ୍ଭବପର ନଥିବାରୁ ବହୁ କ୍ଷେତ୍ରରେ ରୋଗୀଙ୍କର ସମ୍ପର୍କୀୟମାନଙ୍କୁ ବି ଖରା, ବର୍ଷା ଓ ଶୀତ କାକରରେ ଖୋଲା ଆକାଶତଳେ ଆଶ୍ରୟ ନେବାକୁ ପଡୁଛି ।

ରାସ୍ତାକଡରେ ଅନ୍ୟତ୍ର ଥିବାଲୋକଙ୍କୁ ବିଏମ୍‍ସି ଓ ଅନ୍ୟ ସଂସ୍ଥାମାନେ ହେପାଜତକୁ ନେଇ ଶୀତବସ୍ତ୍ର ଯୋଗାଉଥିବାବେଳେ ଏମ୍‍ସ, ଏସ୍‍ସିବି, କ୍ୟାପିଟାଲ ହସ୍ପିଟାଲ ସମେତ ସରକାରୀ ଡାକ୍ତରଖାନା ପରିସରରେ କରୋନା କଟକଣାକୁ ଖୋଲା ଉଲ୍ଲଙ୍ଘନ କରି ବିନା ମାସ୍କରେ ଖୁନ୍ଦାଖୁନ୍ଦି ହୋ ଧାଡିରେ ରହୁଥିବା ଲୋକଙ୍କ ଯନ୍ତ୍ରଣା ପ୍ରଶମନ ପାଇର୍ କିନ୍ତୁ କେହି ଧ୍ୟାନ ଦେବାପରି ମନେ ହେଉନାହିଁ । ଏ ଦିଗରେ ମାନବିକ ଅଧିକାରୀ କମିଶନ, ଶିଶୁ ସୁରକ୍ଷା କମିଶନ ଠାରୁ ଆରମ୍ଭକରି ବିଏମସି ଏବଂ ଅନ୍ୟାନ୍ୟ ସରକାରୀ ଓ ବେସରକାରୀ ସଂସ୍ଥା ଧ୍ୟାନ ଦେବାକୁ ଦାବି ହେଉଛି । (ତଥ୍ୟ)