Home Administration ଆଇଏଏସ୍‍ ସ୍ତରରେ ଅଦଳ ବଦଳ

ଆଇଏଏସ୍‍ ସ୍ତରରେ ଅଦଳ ବଦଳ

ଭୁବନେଶ୍ୱର : ରାଜ୍ୟ ସରକାର ଆଜି ଆଇଏଏସ୍‍ ଅଫିସର ସ୍ତରରେ ବଡ ଧରଣର ଅଦଳ ବଦଳ କରିଛନ୍ତି । କୃଷି ବିଭାଗ ନୂଆ କମିଶନର ପାଇଥିବାବେଳେ ବିବାଦରେ ଛନ୍ଦି ହୋଇଥିବା ମାଲକାନଗିରି ଜିଲ୍ଲାପାଳଙ୍କର ବି ବଦଳି ହୋଇଛି ।

ରାଜ୍ୟ ସରକାରଙ୍କ ବଦଳି ବିଜ୍ଞପ୍ତି ଅନୁଯାୟୀ ୧୯୯୮ ବ୍ୟାଚ୍‍ ଆଇଏଏସ୍‍ ଅଫିସର ସୁରେଶ କୁମାର ବଶିଷ୍ଟଙ୍କୁ କୃଷି ଓ କୃଷକ କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ଭାବେ ନିଯୁକ୍ତି ପାଇଛନ୍ତି । ଶ୍ରୀ ବଶିଷ୍ଟ କୃଷି ଓ କୃଷକ କଲ୍ୟାଣ ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ୱରେ ଥିଲେ ।

୨୦୦୮ ବ୍ୟାଚ୍‍ ଆଇଏଏସ୍‍ ଭୂପିନ୍ଦର ସିଂହ ପୁନିଆଙ୍କୁ ଇପିକଲର ପରିଚାଳନା ନିର୍ଦ୍ଦେଶକ ଭାବେ ବଦଳି ହୋଇଛି । ଏଥି ସହିତ ଶ୍ରୀ ପୁନିଆ ଶିଳ୍ପ ବିଭାଗର ଅତିରିକ୍ତ ସଚିବ ଓ ଇଡକୋର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଦାୟିତ୍ୱ ଅତିରିକ୍ତ ଭାବେ ତୁଲାଇବେ ।

ସେହିଭଳି ୨୦୧୦ ବ୍ୟାଚ ଆଇଏଏସ୍‍ ପ୍ରେମଚନ୍ଦ୍ର ଚୌଧୁରୀଙ୍କୁ ପଶ୍ଚିମ ଓଡିଶା ବିକାଶ ପରିଷଦର ସିଇଓ ଭାବେ ବଦଳି ହୋଇଥିବାବେଳେ ୨୦୧୨ ବ୍ୟାଚ୍‍ ଆଇଏଏସ୍‍ ଅନୁପମ ସାହାଙ୍କୁ ଓପେସାର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି । ଶ୍ରୀ ସାହା ଗଜପତି ଜିଲ୍ଲାପାଳ ଭାବେ ଦାୟିତ୍ୱରେ ତୁଲାଉଥିଲେ ।

ସୋନପୁର ଜିଲ୍ଲାପାଳ ଥିବା ୨୦୧୩ ବ୍ୟାଚ୍‍ ଆଇଏଏସ୍‍ ମୋନାଲିସା ବାନାର୍ଜୀଙ୍କୁ ବରଗଡ ଜିଲ୍ଲାପାଳ ଭାବେ ବଦଳି କରାଯାଇଥିବାବେଳେ ମାଲକାନଗିରି ଜିଲ୍ଲାପାଳ ଥିବା ୨୦୧୪ ବ୍ୟାଚ୍‍ ଆଇଏଏସ୍‍ ୱାଇ.ବିଜୟଙ୍କୁ ପଶୁ ସମ୍ପଦ ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି ।

୨୦୧୫ ବ୍ୟାଚ୍‍ ଆଇଏଏସ୍‍ ଲିଙ୍ଗରାଜ ପଣ୍ଡାଙ୍କୁ ଗଜପତି ଜିଲ୍ଲାପାଳ ଭାବେ ବଦଳି କରାଯାଇଥିବାବେଳେ ୨୦୧୫ ବ୍ୟାଚ୍‍ ଆଇଏଏସ୍‍ ସୁନିଲ ନରଭଣେଙ୍କୁ ସୋନପୁର ଜିଲ୍ଲାପାଳ ଭାବେ ବଦଳି ହୋଇଛି । ଶ୍ରୀ ନରଭଣେ ରାଉରକେଲା ଏଡିଏମ୍‍ ଭାବେ ଦାୟିତ୍ୱ ତୁଲାଉଥିଲେ ।

୨୦୧୬ ବ୍ୟାଚ୍‍ ଆଇଏଏସ୍‍ ଦିବ୍ୟଜ୍ୟୋତି ପରିଡାଙ୍କୁ ରାଉରକେଲା ଏଡିଏମ୍‍ ଭାବେ ଅତିରିକ୍ତ ଦାୟିତ୍ୱ ମିଳିଥିବାବେଳେ ୨୦୧୬ ବ୍ୟାଚ୍‍ ଆଇଏଏସ୍‍ ବିଶାଳ ସିଂହଙ୍କୁ ମାଲକାନଗିରି ଜିଲ୍ଲାପାଳ ଭାବେ ବଦଳି କରାଯାଇଛି । ଶ୍ରୀ ସିଂହ ଯାଜପୁର ପିଡି ଡିଆରଡିଏ ଦାୟିତ୍ୱ ତୁଲାଉଥିଲେ ।

୨୦୧୭ ବ୍ୟାଚ୍‍ ଆଇଏଏସ୍‍ ସୋମେଶ କୁମାର ଉପାଧ୍ୟାୟଙ୍କୁ କଳାହାଣ୍ଡି ପିଡି ଡିଆରଡିଏ ଭାବେ ବଦଳି ହୋଇଥିବାବେଳେ ୨୦୧୭ ବ୍ୟାଚ୍‍ ଆଇଏଏସ୍‍ ସୁଶ୍ରୀ ପି ଅନ୍ୱେଶା ରେଡ୍ଡୀଙ୍କୁ ମୟୁରଭଞ୍ଜ ପିଡି, ଡିଆରଡିଏ ଭାବେ ନିଯୁକ୍ତି ଦିଆଯାଇଛି । ଏଥି ସହିତ ସେ ବାରିପଦା ପୌରପାଳିକାର କାର୍ଯ୍ୟର୍ନିବାହୀ ଅଧିକାରୀ ଦାୟିତ୍ୱ ତୁଲାଇବେ ।

୨୦୧୭ ବ୍ୟାଚ୍‍ ଆଇଏଏସ୍‍ ଦିବାକର ଟି.ଏସ.ଙ୍କର ଓକାକର ଓଏସ୍‍ଡି ଭାବେ ବଦଳି ହୋଇଛି । ଶ୍ରୀ ଦିବାକର ଧର୍ମଗଡ ଉପଜିଲ୍ଲାପାଳ ଦାୟିତ୍ୱ ତୁଲାଉଥିଲେ । ୨୦୧୯ ବ୍ୟାଚ୍‍ ଆଇଏଏସ୍‍ ଅଗ୍ରୱାଲ ଅକ୍ଷୟ ସୁନୀଲଙ୍କୁ ନବରଙ୍ଗପୁର ଉପଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଛି । ଶ୍ରୀ ସୁନିଲ ଦ୍ୱିତୀୟ ପର୍ଯ୍ୟାୟ ତାଲିମରୁ ଓଡିଶା ଫେରିଛନ୍ତି ।

ଦ୍ୱିତୀୟ ପର୍ଯ୍ୟାୟ ତାଲିମରୁ ଫେରିଥିବା ୨୦୧୯ ବ୍ୟାଚର ୫ଜଣ ଆଇଏଏସ୍‍ ଅଫିସରଙ୍କୁ ନିଯୁକ୍ତି ମିଳିଛି । ସେମାନଙ୍କ ମଧ୍ୟରେ ଅନ୍ୟା ଦାସଙ୍କୁ ବାରିପଦା ଉପଜିଲ୍ଲାପାଳ, ଆଦିତ୍ୟ ଗୋଏଲଙ୍କୁ କୁଚିଣ୍ଡା ଉପଜିଲ୍ଲାପାଳ, ମହାଜନ ମନୋଜ ସତ୍ୟାୱନଙ୍କୁ ଟିଟିଲାଗଡ ଉପଜିଲ୍ଲାପାଳ, ପାୱାର ସଚିନ ପ୍ରକାଶଙ୍କୁ ଧର୍ମଗଡ ଉପଜିଲ୍ଲାପାଳ ଓ ଈଶ୍ୱର ଗୌରବ ଶିବାଜୀଙ୍କୁ ଖୋର୍ଦ୍ଧା ଉପଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଛି