Home Administration ଆଇଏଏସ୍‍ କ୍ୟାଡରରେ ୧୧ପଦବୀ ବଢିଲା

ଆଇଏଏସ୍‍ କ୍ୟାଡରରେ ୧୧ପଦବୀ ବଢିଲା

ଭୁବନେଶ୍ୱର : ରାଜ୍ୟ ଆଇଏଏସ୍‍ କ୍ୟାଡରରେ ୧୧ଟି ପଦବୀ ବୃଦ୍ଧି ପାଇବା ସହିତ ଏହି ସଂଖ୍ୟା ୨୪୮ରେ ପହଞ୍ଚିଛି । ସର୍ବୋଚ୍ଚ ପାହ୍ୟାରେ କେନ୍ଦ୍ର ସରକାର ଆଉ ଗୋଟିଏ ପଦବୀକୁ ଅନୁମତି ଦେବାପରେ ରାଜ୍ୟରେ ଏହି ପାହ୍ୟାରେ ପଦବୀ ସଂଖ୍ୟା ୪କୁ ବୃଦ୍ଧି ପାଇଛି । ପୂର୍ବରୁ ମୁଖ୍ୟ ଶାସନ ସଚିବ, ରାଜସ୍ୱ ପାର୍ଷଦ ଓ କେବିକେ ମୁଖ୍ୟ ପ୍ରଶାସକ ଏହି ପାହ୍ୟାରେ ଥିବାବେଳେ ନୂତନ ଭାବେ ଯୋଜନା ଓ ସଂଯୋଜନ ବିଭାଗ ଦାୟିତ୍ୱରେ ଥିବା ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପାଇଁ ଏହି ପଦବୀ ସୃଷ୍ଟି କରାଯାଇଛି ।

ଆଇଏଏସ୍‍ କ୍ୟାଡରରେ ସର୍ବୋଚ୍ଚ ବେତନ ପାହ୍ୟାରେ ୪ଟି ପଦବୀକୁ ଅନୁମତି ମିଳିଥିବାବେଳେ ରାଜ୍ୟ ସରକାର ସର୍ବୋଚ୍ଚ ପାହ୍ୟାରେ ଆହୁରି ୪ଟି ଅତିରିକ୍ତ ସୃଷ୍ଟିକରିପାରିବେ । ନିକଟରେ ହୋଇଥିବା କ୍ୟାଡର ସମୀକ୍ଷାରେ କେନ୍ଦ୍ର ସରକାର ରାଜ୍ୟପାଇଁ ଆଇଏଏସ୍‍ ପାହ୍ୟାରେ ଆଉ ୧୧ଟି ପଦବୀକୁ ମଞ୍ଜୁରୀ ଦେଇଛନ୍ତି । କେନ୍ଦ୍ର କାର୍ମିକ, ସାଧାରଣ ଅଭିଯୋଗ ଓ ପେନ୍‍ସନ ମନ୍ତ୍ରାଳୟ ପକ୍ଷରୁ ରାଜ୍ୟ ସରକାରଙ୍କୁ ସୂଚନା ଦିଆଯାଇଛି ।

ଏହା ଫଳରେ ରାଜ୍ୟରେ ଆଇଏଏସ୍‍ କ୍ୟାଡର ସଂଖ୍ୟା ୨୩୭ରୁ ୨୪୮କୁ ବୃଦ୍ଧି ପାଇଛି । ପୂର୍ବରୁ ପ୍ରମୁଖ ଶାସନ ସଚିବ ପାହ୍ୟାରେ ୧୧ଟି ପଦବୀ ଥିବାବେଳେ ଏହା ୧୩କୁ ବଢିଛି । କମିଶନର ତଥା ଶାସନ ସଚିବ ପାହ୍ୟାରେ ଥିବା ପଦବୀ ସଂଖ୍ୟା ୩୯ ରୁ ୩୬ ହୋଇଯାଇଛି । ତେବେ ସଚିବ, ଅତିରିକ୍ତ ସଚିବ, ଯୁଗ୍ମ ସଚିବ ଏବଂ ଉପସଚିବ ପାହ୍ୟାରେ ଆଇଏଏସ୍‍ କ୍ୟାଡରରେ ପଦବୀ ସଂଖ୍ୟା ୨୦ରୁ ୨୪କୁ ବୃଦ୍ଧିପାଇଛି । ପାଞ୍ଚବର୍ଷରେ ଥରେ କ୍ୟାଡର ସମୀକ୍ଷା ହେଉଥିବାବେଳେ ଏ କ୍ଷେତ୍ରରେ ବିଳମ୍ବ ଘଟିଛି ।

ଶେଷ କ୍ୟାଡର ସମୀକ୍ଷା ୨୦୧୪ରେ ହୋଇଥିବାବେଳେ ଏହାର ୭ବର୍ଷ ପରେ କେନ୍ଦ୍ର ସରକାର ପୁନଃ ସମୀକ୍ଷା କରି ଏହି ପଦବୀମାନ ସୃଷ୍ଟି କରିଛନ୍ତି । ଏହି ସମୀକ୍ଷାରେ ସିନିୟର ଡ୍ୟୁଟି ପୋଷ୍ଟ ୧୨୯ରୁ ୧୩୫କୁ ବଢିଥିବାବେଳେ କେନ୍ଦ୍ରୀୟ ଡେପୁଟେସନ ପାଇଁ ସଂରକ୍ଷଣ ଥିବା ସ୍ଥାନ ସଂଖ୍ୟା ୫୧ରୁ ୫୪କୁ ବୃଦ୍ଧିପାଇଛି । ଏହା ଫଳରେ ଆହୁରି ଅଧିକ ସଂଖ୍ୟା ଆଇଏଏସ୍‍ ଅଫିସର କେନ୍ଦ୍ରକୁ ଯିବାକୁ ସୁଯୋଗ ପାଇବେ । ତେବେ କେନ୍ଦ୍ରକୁ କମ୍‍ ସଂଖ୍ୟାରେ ଆଇଏଏସ୍‍ ଯାଉଛନ୍ତି ।

କେନ୍ଦ୍ରୀୟ ଡେପୁଟେସନ ପାଇଁ ୫୧ ପଦବୀ ଥିବାବେଳେ ବର୍ତ୍ତମାନ ସୁଦ୍ଧା ମାତ୍ର ୨୬ଜଣ କେନ୍ଦ୍ରରେ ନିୟୋଜିତ ଅଛନ୍ତି । ଅନ୍ୟ ରାଜ୍ୟକୁ ଡେପୁଟେସନରେ ଯିବାପାଇଁ ଥିବା ସଂରକ୍ଷିତ ପଦବୀ ସଂଖ୍ୟା ୩୨ରୁ ୩୩କୁ ବଢିଥିବାବେଳେ ପ୍ରଶିକ୍ଷଣ ପାଇଁ ଥିବା ୪ଟି ପଦବୀ ଅପରିବର୍ତ୍ତିତ ରହିଛି । ଛୁଟି ଏବଂ କନିଷ୍ଠ ପଦବୀ ସଂଖ୍ୟା ୨୧ ଥିବାବେଳେ ଏହା ୨୨କୁ ବଢିଛି । ସେହିଭଳି ୧୭୩ଟି ପଦବୀ ସିଧାସଳଖ ନିଯୁକ୍ତି ଜରିଆରେ ପୂରଣ ହେଉଥିବାବେଳେ ୭୫ଟି ପଦବୀ ପଦୋନ୍ନତି ଭିତ୍ତିରେ ପୂରଣ ହୋଇଥାଏ । ରାଜ୍ୟ ପ୍ରଶାସନିକ ସେବା ଏବଂ ଅଣ ରାଜ୍ୟ ପ୍ରଶାସନିକ ସେବାର ଅଧିକାରୀମାନେ ପଦୋନ୍ନତି ଭିତ୍ତିରେ ଆଇଏଏସ୍‍ କ୍ୟାଡରକୁ ଯାଇଥାନ୍ତି ।

ଆଇଏଏସ୍‍ କ୍ୟାଡରକୁ ଯିବାପାଇଁ ରାଜ୍ୟ ପ୍ରଶାସନିକ ସେବା ଅଧିକାରୀଙ୍କ ପାଇଁ କୌଣସି ପ୍ରବେଶିକା ପରୀକ୍ଷା ନଥିବାବେଳେ ଅଣ ରାଜ୍ୟ ପ୍ରଶାସନିକ ସେବା ଅଧିକାରୀମାନେ ୟୁପିଏସ୍‍ସି ଦ୍ୱାରା ଧାର୍ଯ୍ୟ ସାକ୍ଷାତକାର ପରୀକ୍ଷାର ବ୍ୟବସ୍ଥା ରହିଛି । ଚଳିତବର୍ଷ ଅତି କମ୍‍ରେ ୨୯ଜଣ ଓଏଏସ୍‍ ଅଫିସର ଆଇଏଏସ୍‍ ପାହ୍ୟାକୁ ପଦୋନ୍ନତି ଅପେକ୍ଷାରେ ଅଛନ୍ତି ।