Home Energy ଆଇଆଇଟିରେ ଓପିଟିସିଏଲ୍‌ ଚେୟାର

ଆଇଆଇଟିରେ ଓପିଟିସିଏଲ୍‌ ଚେୟାର

ଭୁବନେଶ୍ୱର : ଆଇଆଇଟି, ଭୁବନେଶ୍ୱରଠାରେ ଓପିଟିସିଏଲ୍‌ ଚେୟାର ପ୍ରତିଷ୍ଠା ନିମନ୍ତେ ଆଇଆଇଟି ଏବଂ ଓଡ଼ିଶା ବିଦ୍ୟୁତ୍‍ ଶକ୍ତି ସଂରକ୍ଷଣ ନିଗମ ଲିଃ (ଓପିଟିସିଏଲ୍‌) ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । କୌଣସି ବୈଷୟିକ ଶିକ୍ଷାନୁଷ୍ଠାନ ସହ ଏ ଧରଣର ବୁଝାମଣା ପତ୍ର ସ୍ୱାକ୍ଷରିତ ହେବା ପ୍ରଥମ ଅଟେ ।

ସ୍ୱାକ୍ଷରିତ ବୁଝାମଣା ଅନୁଯାୟୀ ଆଇଆଇଟି ଭୁବନେଶ୍ୱର ରାଜ୍ୟର ଶକ୍ତିକ୍ଷେତ୍ରରେ ତାଲିମ ପ୍ରଦାନ, ଗୁଣାତ୍ମକ ଶକ୍ତି ଉତ୍ପାଦନ, ଶକ୍ତି ସଂଚାର, ଭିତ୍ତିଭୂମି ବିକାଶ, ନିରବଚ୍ଛିନ୍ନ ବିଦ୍ୟୁତ୍‍ ସେବା ଉପରେ ଉଚ୍ଚତର ଗବେଷଣା ଏବଂ ପ୍ରୟୋଗାତ୍ମକ ବୈଷୟିକ ଯନ୍ତ୍ରପାତିର ବିକାଶ ଉପରେ କାର୍ଯ୍ୟ କରାଯିବ ।

ଏହି ବୁଝାମଣା ପତ୍ର ସ୍ୱାକ୍ଷର କାର୍ଯ୍ୟକ୍ରମରେ ଯୋଗଦେଇ ଶକ୍ତିମନ୍ତ୍ରୀ କ୍ୟାପେ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର ଶକ୍ତି ବିଭାଗ ସମାଜକୁ ଅନ୍ଧକାରରୁ ଆଲୋକ ଆଡ଼କୁ ରୂପାନ୍ତରିତ କରିବାରେ ଯେଉଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛି ସେ ଦିଗରେ ଏହି ବୁଝାମଣା ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବ ବୋଲି ଆଶାପ୍ରକାଶ କରିଥିଲେ । ଏଥି ସହିତ ଆଇଆଇଟି ଶକ୍ତି କ୍ଷେତ୍ରକୁ ଅଧିକ କ୍ରିୟାଶୀଳ କରିବା ଦିଗରେ ଏହା କାର୍ଯ୍ୟ କରିବ ବୋଲି କହିଥିଲେ ।

ଏହି ଅବସରରେ ଆଇଆଇଟି ନିର୍ଦ୍ଦେଶକ ପ୍ରାଧ୍ୟାପକ ଆର୍‌.ଭି. ରାଜା କୁମାର କହିଲେ ଯେ ଏହି ଅନୁଷ୍ଠାନ ଶିକ୍ଷାଦାନ ବ୍ୟତୀତ ସ୍ଥାନୀୟ ଅଞ୍ଚଳର ବିକାଶ ନିମନ୍ତେ ଅଧିକ ଗବେଷଣା ଓ ବିକାଶ କାର୍ଯ୍ୟ ସଂପାଦନ କରିବାକୁ ପ୍ରତିଶ୍ରୁତିବଦ୍ଧ । ଏହି ବୁଝାମଣା ପ୍ରକାରେ ଚେୟାର ପ୍ରତିଷ୍ଠା ହେଲେ ଏହା ଶକ୍ତି କ୍ଷେତ୍ରରେ ଏକ ପରିବର୍ଦ୍ଧିତ ଶାଖା ଭାବେ କାର୍ଯ୍ୟକରିବ, ଯାହା ଏ କ୍ଷେତ୍ରରେ ଦେଖାଦେଉଥିବା ସମସ୍ୟାଗୁଡ଼ିକର ସ୍ଥାୟୀ ସମାଧାନ ନିମନ୍ତେ କାର୍ଯ୍ୟ କରିବ । ଆଗକୁ ଏହା ପ୍ରସ୍ତାବିତ ଅକ୍ଷୟଶକ୍ତି ଏବଂ ସ୍ମାର୍ଟ ଗ୍ରୀଡ଼ ଉତ୍କର୍ଷ କେନ୍ଦ୍ର ଉଭୟ ଏକାଡେମୀ ଏବଂ ଶିଳ୍ପ ପ୍ରତିଷ୍ଠାନ ପରିପୁଷ୍ଟ କରିବ ବୋଲି କହିଥିଲେ ।

ସେହିପରି ଓପିଟିସିଏଲ୍‌ର ଅଧ୍ୟକ୍ଷ ତଥା ଗ୍ରୀଡ଼୍‌କୋର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌରଭ ଗର୍ଗ ଆଇଆଇଟି ବିଭିନ୍ନ ବୈଷୟିକ ସମସ୍ୟାର ସମାଧାନ ଦିଗରେ କାର୍ଯ୍ୟ କରିବ । ଏହି ପ୍ରୟାସରେ ଉତ୍ତମ ଜ୍ଞାନସଂପନ୍ନ ଛାତ୍ରଛାତ୍ରୀ ଶକ୍ତି କ୍ଷେତ୍ରରେ ଉପୁଜୁଥିବା ପ୍ରକୃତ ସମସ୍ୟା ସହ ଅବଗତ ହେବା ଏବଂ ଏଥି ସହିତ ବିଭାଗର ଇଂଜିନିୟରମାନେ ଛାତ୍ରଛାତ୍ରୀଙ୍କ ସହ ଭାବବିନିମୟର ସୁଯୋଗ ଲାଭ କରିବେ ବୋଲି କହିଥିଲେ ।

ଏହି ବୁଝାମଣାପତ୍ରରେ ଆଇଆଇଟି, ଭୁବନେଶ୍ୱର ତରଫରୁ ପ୍ରାଧ୍ୟାପକ ସୁଜିତ ରାୟ ଏବଂ ଓପିଟିସିଏଲ୍‌ ତରଫରୁ ନିର୍ଦ୍ଦେଶକ (ମାନବସମ୍ବଳ) ଶ୍ରୀ ରଘୁନାଥ ପ୍ରତିହାରୀ ସ୍ୱାକ୍ଷର କରିଥିଲେ । ଏହି ଅବସରରେ ଆଇଆଇଟି, ଭୁବନେଶ୍ୱରର ପ୍ରାଧ୍ୟାପକ ଶ୍ରୀ ଶୁଭ୍ରାଂଶୁ ସାମନ୍ତରାୟ, ଓପିଟିସିଏଲ୍‌ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସଂଜୀବ ସିଂହ ଏବଂ ଗ୍ରୀଡ଼୍‌କୋର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ତି୍ରଲୋଚନ ପଣ୍ଡା ପ୍ରମୁଖ ଯୋଗଦେଇଥିଲେ ।