Home General ଅଲ୍‌ପିନ୍ ପୋର୍ଟାଲର ଶୁଭାରମ୍ଭ

ଅଲ୍‌ପିନ୍ ପୋର୍ଟାଲର ଶୁଭାରମ୍ଭ

ଭୁବନେଶ୍ୱର : ଆଜି ଓଡ଼ିଶା ସରକାରଙ୍କ ପକ୍ଷରୁ ଜମିଜମା ସଂପର୍କିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସୂଚନା ଆଧାରିତ ଅଭିନବ ଲ୍ୟାଣ୍ଡ ପାର୍ସଲ ଚିହ୍ନଟ ନମ୍ବର (ଅଲ୍‌ପିନ୍‌) ପୋର୍ଟାଲର ଶୁଭାରମ୍ଭ ହୋଇଛି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ଓ କେନ୍ଦ୍ର ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟର ଭୂସଂପଦ ବିଭାଗ ସଚିବ ଅଜୟ ତିର୍କୀଙ୍କ ଉପସ୍ଥିତିରେ ଏହି ପୋର୍ଟାଲ ଆରମ୍ଭ ହୋଇଛି ।

୧୪ ସଂଖ୍ୟା ବିଶିଷ୍ଟ ଅଭିନବ ଲ୍ୟାଣ୍ଡ ପାର୍ସଲ ଚିହ୍ନଟ ନମ୍ବର ପୋର୍ଟାଲ ମାଧ୍ୟମରେ କୌଣସି ଜମିଜମା ବା ଭୂସଂପତ୍ତି ସଂପର୍କିତ ସୂଚନା ମିଳିପାରିବ । ଏଥିରୁ ଜମି ମାଲିକଙ୍କ ସଂପର୍କରେ ସୂଚନା ମିଳିବା ସହିତ ମାଲିକାନା ସଂପର୍କିତ ସନ୍ଦେହ ଦୂର ହୋଇପାରିବ ।

ସରକାରୀ ଜମିର ସୁରକ୍ଷା ସହିତ ସେଗୁଡ଼ିକୁ ଠିକ୍‌ ଭାବେ ଚିହ୍ନଟ କରାଯାଇପାରିବ । ଜମିଜମା ସଂପର୍କିତ ଡାଟା ବିଶ୍ଳେଷଣ ସହଜ ହୋଇପାରିବ । ଜମିଜମା ସଂପୃକ୍ତ କାଗଜପତ୍ରର ଉପଯୁକ୍ତ ତଦାରଖ ନିମନ୍ତେ ଏହି ପୋର୍ଟାଲ ଏକ ସ୍ପଷ୍ଟ, ସ୍ୱଚ୍ଛ ଓ ଫଳପ୍ରଦ ପ୍ରକ୍ରିୟା ପ୍ରଦାନ କରିବ । ଏହି ନମ୍ବର ବ୍ୟବହାର କରି ଜମିଜମାର ଖଜଣା ଆଦାୟ ବାବଦରେ ସୂଚନା ମିଳିପାରିବ ଓ ଜମିର ମାଲିକାନା ନେଇ ତଥ୍ୟ ଉପଲବ୍ଧ ହେବ ।

ଓଡ଼ିଶାରେ ଏହି ପୋର୍ଟାଲ ଏକ ପାଇଲଟ୍‌ କାର୍ଯ୍ୟକ୍ରମ ଭାବେ ଆରମ୍ଭ କରାଯାଇଛି । ଦେବଗଡ଼ ଜିଲ୍ଲାର ତିନୋଟି ଗ୍ରାମ ଯଥା: ଦେବଗଡ଼ ତହସିଲର ବଡ଼ଖଣ୍ଡିଆ ଓ କଣ୍ଡେଇଜୋରି ଏବଂ ରିଆମାଳ ତହସିଲର ବରଖୋଲକୁ ଏହି ପାଇଲଟ୍‌ ପ୍ରୋଜେକଫରେ ଅନ୍ତର୍ଭୁକ୍ତ କରାଯାଇଛି । ବେଳେବେଳେ ଚାଷୀମାନେ ଋଣ ପାଇଁ ଜମି ବନ୍ଧକ ରଖୁଥିବାବେଳେ ଏହି ପୋର୍ଟାଲରୁ ଜମି ସଂପର୍କିତ ତଥ୍ୟ ସ୍ପଷ୍ଟ ହୋଇପାରିବ ।

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ଶାସନ ସଚିବ ଶୈଳେନ୍ଦ୍ର ଦ୍ୱିବେଦୀ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଲ୍ୟାଣ୍ଡ ରେକର୍ଡ ଓ ସେଟେଲ୍‌ମେଣ୍ଟ ନିର୍ଦ୍ଦେଶକ ଶ୍ରୀ ଶାଧର ନାୟକ ସ୍ୱାଗତ ଭାଷଣ ଦେଇଥିଲେ ।

କେନ୍ଦ୍ର ସରକାରଙ୍କ ଲ୍ୟାଣ୍ଡ ରେକର୍ଡସ ବିଭାଗୀୟ ଅତିରିକ୍ତ ସଚିବ ଭୂ-ପ୍ରଶାସନରେ ଓଡ଼ିଶାକୁ ଅଗ୍ରଣୀ ରାଜ୍ୟ ଭାବରେ ପ୍ରଶଂସା କରିଥିଲେ । ଡିଜିଟାଇଜେସନ୍‌ କ୍ଷେତ୍ରରେ ଓଡ଼ିଶା ଆଗୁଆ ରହିଥିବା କଥା ସେ ସୂଚାଇଥିଲେ । ସାରା ରାଜ୍ୟରେ ପର୍ଯ୍ୟାୟକ୍ରମେ ଏହି ପ୍ରକଳ୍ପକୁ ସଂପ୍ରସାରିତ କରାଯିବ ଓ ଏହା ଅତ୍ୟନ୍ତ ଫଳପ୍ରଦ ହେବ ବୋଲି ସେ ଆଶା ପ୍ରକଟ କରିଥିଲେ । ବିଭାଗର ଯୁଗ୍ମ ଶାସନ ସଚିବ ଧନ୍ୟବାଦ ଅର୍ପଣ କରିଥିଲେ ।