Home News in Odia ଅର୍ପଣ ରଥ ପାଇଁ ୧୩୫.୮୮କୋଟି ବ୍ୟବସ୍ଥା

ଅର୍ପଣ ରଥ ପାଇଁ ୧୩୫.୮୮କୋଟି ବ୍ୟବସ୍ଥା

ଭୁବନେଶ୍ୱର : ରାଜ୍ୟର ପ୍ରତ୍ୟେକ ପଞ୍ଚାୟତ ଓ ବ୍ଲକ ସ୍ତରରେ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ନିମନ୍ତେ ପ୍ରତି ପଞ୍ଚାୟତ ପାଇଁ ୨ଲକ୍ଷ ଟଙ୍କାର ବ୍ୟବସ୍ଥା ହୋଇଥିବାର ଏହି ଖର୍ଚ୍ଚର ହିସାବ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ, କାର୍ଯ୍ୟନିର୍ବାହୀ ଅଧିକାରୀମାନେ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗକୁ ପ୍ରଦାନ କରିବେ ।

ବିଜେପି ବିଧାୟିକା କୁସୁମ ଟେଟେ ଅର୍ପଣ ରଥ ପରିକ୍ରମା ପାଇଁ ପଞ୍ଚାୟତଗୁଡିକ ଦିଆଯାଇଥିବା ଅର୍ଥ ସଂକ୍ରାନ୍ତରେ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ପଞ୍ଚାୟତିରାଜ ଓ ପାନୀଳ ଜଳ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ।

ମନ୍ତ୍ରୀ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି ଯେ ଏଭଳି କାର୍ଯ୍ୟକ୍ରମର ଆୟୋଜନ ପାଇଁ ପ୍ରତି ପଞ୍ଚାୟତକୁ ୨ଲକ୍ଷ ଟଙ୍କାର ବ୍ୟବସ୍ଥା ହୋଇଛି । ଏହା ବାବଦରେ ୬୭୯୪ ପଞ୍ଚାୟତ ପାଇଁ ମୋଟ୍‍ ୧୩୫ କୋଟି ୮୮ ଲକ୍ଷ ଟଙ୍କାର ବ୍ୟୟବରାଦ ହୋଇଛି । ଏହି କାର୍ଯ୍ୟ ନିମନ୍ତେ ଖର୍ଚ୍ଚ ହେଉଥିବା ଟଙ୍କା ବ୍ଲକ/ଜିଲ୍ଲା ସ୍ତରରେ ଆମ ଓଡିଶା ନବୀନ ଓଡିଶା ଅଧୀନରେ ଉପଲବ୍ଧ ଥିବା ପାଣ୍ଠିରୁ ଖର୍ଚ୍ଚ ହେବାପାଇଁ ମାର୍ଗଦର୍ଶିକାରେ ନିର୍ଦ୍ଦେଶ ରହିଛି ।

ମନ୍ତ୍ରୀ କହିଛନ୍ତି ଯେ ଅର୍ପଣ ରଥ ତଥା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ଅଂଶଗ୍ରହଣର ସବିଶେଷ ପ୍ରକ୍ରିୟା ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ନିର୍ଦ୍ଦେଶନାମା ମାଧ୍ୟମରେ ସମସ୍ତ ଜିଲ୍ଲାମାନଙ୍କୁ ଅବଗତ କରାଯାଇଛି । ଏହି ଅର୍ଥ ବ୍ୟୟର ବିନିଯୋଗ ପ୍ରମାଣପତ୍ର ଜିଲ୍ଲାର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଓ ଜିଲ୍ଲାପାଳମାନଙ୍କର ଦସ୍ତଖତ ସହିତ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗକୁ ପ୍ରେରଣ କରିବାର ବ୍ୟବସ୍ଥା ରହିଥିବା ମନ୍ତ୍ରୀ ତାଙ୍କର ଉତ୍ତରରେ ଉଲ୍ଲେଖ କରିଛନ୍ତି । (ତଥ୍ୟ)