Home Culture ଅରଣ୍ୟ ସଂସ୍କୃତିରେ ଅଛି ଜୀବନାଦର୍ଶର ମାର୍ଗ

ଅରଣ୍ୟ ସଂସ୍କୃତିରେ ଅଛି ଜୀବନାଦର୍ଶର ମାର୍ଗ

ଭୁବନେଶ୍ୱର : ଅରଣ୍ୟ ସଂସ୍କୃତିରେ ଅଛି ଭାରତୀୟ ଜୀବନାଦର୍ଶ ଓ ଜୀବନବୋଧର ମାର୍ଗ । ଯେ ଏ ସଂସ୍କୃତିରେ ବିକୃତି ଆଣିବାକୁ ଚେଷ୍ଟା କରିଛି: ସେ ବିନାଶକୁ ବରଣ କରିଛି । ସାଂପ୍ରତିକ ସମାଜର ବହୁବିଧ ସମସ୍ୟାରୁ ମୁକ୍ତି ନିମନ୍ତେ ଅରଣ୍ୟ ସଂସ୍କୃତିର ଭାବବୋଧକୁ ଆପଣେଇବାକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପରାମର୍ଶ ଦେଇଛନ୍ତି ।

ଆଜି ରାଜଭବନରେ ଆୟୋଜିତ ଜନଜାତୀୟ ଗୌରବ ଦିବସ ସମାରୋହରେ ଯୋଗଦେଇ ରାଜ୍ୟପାଳ ପ୍ରଫେସର ଲାଲ କହିଲେ ଯେ ଭଗବାନ ବିର୍ସା ମୁଣ୍ଡା ହେଉଛନ୍ତି ଜନଜାତି ସ୍ପର୍ଦ୍ଧା, ଶୌର୍ଯ୍ୟ, ସ୍ୱାଭିମାନ ଓ ଚେତନାର ପ୍ରତୀକ । ଜୀବନର ସ୍ୱଳ୍ପତା ନୁହେଁ: କର୍ମର ବିଶାଳତା ହିଁ ଜୀବନକୁ ଅର୍ଥପୂର୍ଣ୍ଣ କରିଥାଏ, ଯାହା ତାଙ୍କ ଜୀବନରେ ପ୍ରତିଫଳିତ । ସେ ଚିରକାଳ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇରହିବେ ।

ଓଡ଼ିଶାର ପରିଚିତି ଓ ଅସ୍ମିତାକୁ ଜନଜାତିଙ୍କର ବିଶେଷ ଅବଦାନ ରହିଛି । ସେମାନଙ୍କର ବିକାଶରେ ହିଁ ରାଜ୍ୟର ବିକାଶ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଜନଜାତି ସଶକ୍ତିକରଣ ନିମେନ୍ତ ବହୁବିଧ ପ୍ରୟାସ କରୁଛନ୍ତି ଯାହାର ସକାରାତ୍ମକ ପ୍ରଭାବ ଅନୁଭୂତ ହେଉଛି ଏବଂ ଏହାର ଉପଯୋଗ କରିବାକୁ ରାଜ୍ୟପାଳ ପରାମର୍ଶ ଦେଇଛନ୍ତି ।

ସାଂସଦ ତଥା କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଡ. ଅଚୁ୍ୟତ ସାମନ୍ତ ଜନଜାତିଙ୍କ ବିକାଶ ନିମନ୍ତେ ଶିକ୍ଷାକୁ ପ୍ରମୁଖ ଉତ୍‌ପ୍ରେରକ ଭାବରେ ବର୍ଣ୍ଣନା କରି ଜନଜାତି ପିଲାମାନଙ୍କ ମଧ୍ୟରେ ପ୍ରତିଭାର ପ୍ରାବଲ୍ୟ ରହିଥିବା ପ୍ରକାଶ କରିଥିଲେ ।

ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ନିର୍ଦ୍ଦେଶକ ଡ. ଅଖିଳ ବିହାରୀ ଓତା ଜନଜାତିଙ୍କ ସାମାଜିକ, ସାଂସ୍କୃତିକ ଓ ଅର୍ଥନୈତିକ ବିକାଶ ନିମନ୍ତେ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ଓ ପ୍ରୟାସ ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ ।

‘ସ୍ୱାଧୀନତା ସଂଗ୍ରାମରେ ଜନଜାତିଙ୍କ ଅବଦାନ’ ଶୀର୍ଷକ ଭଗବାନ ବିର୍ସା ମୁଣ୍ଡା ସ୍ମାରକୀ ବକ୍ତୃତା ପ୍ରଦାନ କରି ପଦ୍ମଶ୍ରୀ ଡ. ଦମୟନ୍ତୀ ବେସ୍ରା କହିଲେ ଯେ ସ୍ୱାଧୀନ ଚେତନା ଜନଜାତିଙ୍କର ସହଜାତ ପ୍ରବୃତ୍ତି । ଅନ୍ୟାୟ ଓ ଅନୀତି ବିରୋଧରେ ତାଙ୍କ ସଂଗ୍ରାମରେ ରୁଦ୍ଧିମନ୍ତ ଭାରତର ଇତିହାସ । ଏବଂ ଏହାର ସଠିକ୍‌ ଆକଳନ ଓ ମୂଲ୍ୟାୟନ ହେବା ଦରକାର ।

ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର ଓ ରାଜଭବନର ବରିଷ୍ଠ ଅଧିକାରୀମାନଙ୍କ ସହ ଜନଜାତି ଛାତ୍ରଛାତ୍ରୀମାନେ ଉତ୍ସବରେ ଉପସ୍ଥିତ ଥିଲେ । ରାଜ୍ୟପାଳଙ୍କ ଲୋକସଂପର୍କ ଅଧିକାରୀ ରକ୍ଷକ ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here